ଭୁବନେଶ୍ୱର,୧୩/୦୯/୨୦୨୫ (ଓଡ଼ିଶା ସମାଚାର)- ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)ରେ ରହିଥିବା ୫ମ ଲକ୍ଷ୍ୟ ‘ଲିଙ୍ଗଗତ ସମାନତା’ ହାସଲ ସଂପର୍କରେ “ରିଇମେଜିଂ ଡେଭେଲପମେଂଟ ଥ୍ରୁ ଏ ଜେଣ୍ଡର ଲେନ୍ସ- ଇକ୍ଲୁସିଭ, ସେଫ୍ , ସସ୍େଟନେବଲ” ଶୀର୍ଷକ ଏକ ପରାମର୍ଶ କର୍ମଶାଳା ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ସହଯୋଗରେ ଓଡ଼ିଶା ସରକାରଙ୍କ ଯୋଜନା ଏବଂ ସଂଯୋଜନ ବିଭାଗ ଦ୍ୱାରା ଭୁବନେଶ୍ୱର ସ୍ଥିତ ହୋଟେଲ ଏଲୱାଇଏଫ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ଦୃଷ୍ଟିକୋଣ ମାଧ୍ୟମରେ ଲିଙ୍ଗଗତ ସମାନତା ଭିତିରେ ଅନ୍ତର୍ଭୁକ୍ତିକରଣ, ନିରାପଦ ଓ ନିରନ୍ତର ବିକାଶର ପୁନଃକଳ୍ପନା ଏବଂ ଏଥିପାଇଁ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।
ଜେଣ୍ଡର ଲେନ୍ସ ହେଉଛି, ଏକ ଲେନ୍ସ, ଯେଉଁଥିରେ ପୁରୁଷ ସହିତ ନାରୀମାନଙ୍କ ବିକାଶ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା କଳ୍ପନା କରାଯାଇଛି, ଯଦ୍ୱାରା ନିରନ୍ତର ବିକାଶ ଲକ୍ଷ୍ୟରେ ଲିଙ୍ଗଗତ ସମାନତା ଦର୍ଶାଉଥିବା ସୂଚକାଙ୍କରେ ଉଲ୍ଲେଖନୀୟ ପରିବର୍ତନ କରିପାରିବ । ଲିଙ୍ଗଭିତିକ ସମାନତାକୁ ହାସଲ କରିବାରେ ରହୁଥିବା ଦୃଷ୍ଟିକୋଣ ପରିବର୍ତନ ମାଧ୍ୟମରେ ସମାବେଶୀ ବିକାଶ, ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ବିଭିନ୍ନ କ୍ଷେତ୍ରରେ ସେମାନଙ୍କ କାର୍ଯ୍ୟ ସୁଗମ ଓ ସହଜ ହେବା, ଲିଙ୍ଗଗତ ସମାବେଶୀ ବିକାଶ ପଦକ୍ଷେପ ମାଧ୍ୟମରେ ସ୍ଥାୟୀ ବିକାଶ ଲକ୍ଷ୍ୟ-୫ ହାସଲ କରିବା ଗୁରୁତ୍ୱ ଉପରେ ବିଚାର ବିମର୍ଶ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଧେଶ୍ୟ ଥିଲା ।
କର୍ମଶାଳାର ଉଦଘାଟନୀ ଅଧିବେଶନରେ ଓଡ଼ିଶା ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ , ଓଡ଼ିଶାରେ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ସେବା ଏବଂ ବିଭିନ୍ନ ଗୋଷ୍ଠୀର୍ସମ୍ପୃକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ଉନ୍ନୟନ କମିଶନର କହିଥିଲେ ଯେ, ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ସେମାନଙ୍କ ପାଇଁ କର୍ମ ନିଯୁକ୍ତି ନିରନ୍ତର ବିକାଶ ଲକ୍ଷ୍ୟ ସାଧନରେ ଗୁରୁତ୍ୱ ରଖୁଛି । ଓଡିଶାରେ ମହିଳାମାନଙ୍କ ପାଇଁ ଶିକ୍ଷାର ବିକାଶ , ମହିଳା ଓ ଶିଶୁଙ୍କ ବିକାଶ, ସ୍ୱାସ୍ଥ୍ୟସେବାରେ ଉନ୍ନତି, ଅପପୁଷ୍ଟି ହ୍ରାସ ଆଦି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରାଯାଇପାରିଛି ।
ଓଡିଶାର ମହିଳାମାନଙ୍କୁ ସଶକ୍ତ, ସ୍ୱାବଳମ୍ବୀ କରିବା ପାଇଁ ସଚେତନ କରିବା ପାଇଁ ଅଦ୍ୱେକା, କିଶୋରୀମାନଙ୍କ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ସ୍ୱୟଂ ବିକାଶକୁ ସହାୟତା କରିବା ପାଇଁ ସଖୀ ସହେଲୀ ଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଥିବା ବେଳେ ସୁଭଦ୍ରା ଯୋଜନାରେ ଆର୍ଥିକ ସଶକ୍ତିକରଣ ପାଇଁ ପ୍ରୟାସ ରାଜ୍ୟ ସରକାରଙ୍କ ଗୁରୁତପୂର୍ଣ୍ଣ ପଦକ୍ଷେପ । ସେହିପରି ପାଣି ପଂଚାୟତରେ ୫୦ ପ୍ରତିଶତ ମହିଳାମାନଙ୍କର ସହଭାଗିତା ରହିଛି । ବିଭିନ୍ନ ନିଯୁକ୍ତିରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ମଧ୍ୟ ନିଯୁକ୍ତି ପୂର୍ବାପେକ୍ଷା ବହୁଗୁଣ ବଢିଛି ।
ମହିଳାମାନଙ୍କ ଦକ୍ଷତା ବୃଦ୍ଧି କରିବା, ବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନମାନଙ୍କରେ ପରିମଳ ତଥା ସାନିଟାରୀ ବ୍ୟବସ୍ଥାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଆମେ ବିକଶିତ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୩୬ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିବା ବେଳେ ଲିଙ୍ଗଗତ ସମାନତା କ୍ଷେତ୍ରରେ ସମନ୍ୱିତ ପ୍ରୟାସ କରିବାକୁ ସେ ଅଂଶଗ୍ରହଣ କରିଥିବା ସରକାରୀ ଅଧିକାରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ନାଗରିକ ସମାଜ, ଛାତ୍ରଛାତ୍ରୀ ଓ ବିଶେଷଜ୍ଞ ମାନଙ୍କୁ ନେତୃତ୍ୱ ନେବାକୁ ପରାମର୍ଶ ଦେଇଥିଲେ ।
