ଯାଜପୁର, ୦୫/୦୨/୨୦୨୫ (ଓଡ଼ିଶା ସମାଚାର)-ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ଵାରା ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭ ଉନ୍ମୋଚନ ଆଭାଷୀ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାରେ ହୋଇଯାଇଅଛି । 
ଏହି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ମଧ୍ୟ ଆଜି ପୂର୍ବାହ୍ନରେ ଯାଜପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଶ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଅଛି । ଏହି ଦିବସରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ କହିଲେ ଓଡ଼ିଶାରେ ଆଜି ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭର ଦିନ । ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ଇତିହାସରେ ଚିରକାଳ ପାଇଁ ଏକ ଐତିହାସିକ ଦିନ ଭାବେ ଲିପି ବଦ୍ଧ ହୋଇ ରହିବ। ଗାଆଁରେ ରହିଛି ଭାରତର ଆତ୍ମା ।
ଗାଆଁ ର ବିକାଶ ହେଲେ ଦେଶର ବିକାଶ ହେବ ତେଣୁ ବିକଶିତ ଭାରତ ବିକଶିତ ଓଡ଼ିଶା ଏବଂ ବିକଶିତ ଗାଆଁ ହେବ ଆମର ସ୍ବପ୍ନ ଓ ସଂକଳ୍ପ। ଆମର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ମୋଦି ଏବଂ ଆମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାରଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ଆମ ସରକାର କ୍ଷମତାକୁ ଆସିବାର ଆଠ ମାସ ମଧ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ବିକାଶର ସୂର୍ଯ୍ୟୋଦୟ। ବିକଶିତ ଓଡ଼ିଶା ପାଇଁ ପଡ଼ିଛି ସୁଦୃଢ ମୂଳଦୁଆ ।
ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ପ୍ରତି ଗାଁ, ପଞ୍ଚାୟତ, ବ୍ଲକରେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଦିଆଯିବ। ଗମନା ଗମନ ପାଇଁ ଗାଁ କୁ ଭଲ ରାସ୍ତା, ଗାଁ ପୋଖରୀର ପୁନରୁଦ୍ଧାର, ପୋଖରୀ ତୁଠର ନବୀକରଣ, ଭାଗବତ ଟୁଙ୍ଗୀର ପୁନରୁଦ୍ଧାର। ବିଦ୍ୟାଳୟ ଆଦିର ସମ୍ପ୍ରସାରଣ, ପ୍ରତି ବ୍ଲକରେ ପାଠାଗାର, ଛୋଟ ଛୋଟ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ। ପିଲାଙ୍କ ଖେଳକୁଦ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଆଦି ପାଇଁ ଅର୍ଥ ଖର୍ଚ୍ଚ ହେବ। ଏହି ମହତ୍ତ୍ୱାଙ୍କାକ୍ଷୀ ଯୋଜନା ଗଣତନ୍ତ୍ରକୁ ତୃଣମୂଳରୁ ସୁଦୃଢ କରିବ । ଏଥିରେ ଗାଁ ଲୋକ ଗ୍ରାମ ସଭା କରି ବିଭିନ୍ନ ନିଷ୍ପତିମାନ ଗ୍ରହଣ କରିବେ। ଆଗାମୀ ୫ ବର୍ଷରେ ଗାଁ ରେ କଣ କଣ ନିର୍ମାଣ ହେବ ଏହାର ତାଲିକା ପ୍ରସ୍ତୁତ କରି ଗ୍ରାମ ପଞ୍ଚାୟତ ମାଧ୍ୟମରେ ଲୋକ ବ୍ଲକକୁ ପଠାଇବେ । ବ୍ଲକ ଅନୁମୋଦନ କରି ଜିଲ୍ଲାପାଳଙ୍କୁ ପଠାଇବା ପରେ ଯେଉଁ ଅଞ୍ଚଳର ଯେତେ ଲୋକ ଥିବେ ପ୍ରକଳ୍ପର ସ୍ଥାୟୀତ୍ବ ବ୍ୟବହାରକୁ ନଜରରେ ରଖି ଜିଲ୍ଲାପାଳମାନେ ଏହାକୁ ଅନୁମୋଦନ କରିବେ ଏବଂ ଶେଷରେ ଜିଲ୍ଲା ପରିଷଦ ମାଧ୍ୟମରେ ଏଥିରେ ଅର୍ଥ ଖର୍ଚ୍ଚ ହେବ। ଏହି ଯୋଜନାରେ ପ୍ରତି ବ୍ଲକରେ ବିଦ୍ୟୁତ୍, ଇଣ୍ଟରନେଟ ଆଦି ବିଭିନ୍ନ ଅତ୍ୟଧିକ ଆନୁଷଙ୍ଗିକ ବ୍ୟବସ୍ଥା ଥାଇ ପାଠାଗାର ନିର୍ମାଣ। ହେବ, ଗ୍ରାମାଞ୍ଚଳରେ କ୍ରୀଡା ଭିତ୍ତିଭୂମି, ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି, ଗମନାଗମନ ଭିତ୍ତିଭୂମି ସୁଦୃଢ କରାଯିବ।
ଏହି ସମସ୍ତ ବ୍ୟବସ୍ଥା ଗ୍ରାମୀଣ ଭିତ୍ତିଭୂମିକୁ ଉନ୍ନତି କରିପାରିବ। ଏହି ଐତିହାସିକ ଯୋଜନା ଦ୍ଵାରା ଓଡ଼ିଶା ବାସୀଙ୍କ ସମସ୍ତ ଆଶା, ଆକାଂକ୍ଷା, ସ୍ବପ୍ନ ଓ ସଂକଳ୍ପ ପୂରଣ ହେବ ବୋଲି ମୋର ବିଶ୍ୱାସ ରହିଛି। ଆମ ରାଜ୍ୟର ସମଗ୍ର ବିକାଶ ପାଇଁ ଆମର ସଂକଳ୍ପ, ବିକଶିତ ଓଡ଼ିଶା ଗଠନ ହିଁ ଆମର ଲକ୍ଷ୍ୟ। ରାଜ୍ୟରେ ଗ୍ରାମୀଣ ବିକାଶ ଜନ ଜୀବନକୁ ବିକଶିତ କରିବା ପାଇଁ ଏହା ଅଙ୍ଗୀକାର ବଦ୍ଧ ଓ ପ୍ରତିଶ୍ରୁତି ବଦ୍ଧ। ମୋର ଯେଉଁ ସ୍ବପ୍ନ ଥିଲା ଯାଜପୁର ବିକାଶର ଶିଖର ଛୁଇଁବ । ରାଜ୍ୟର ସମସ୍ତ ଅଧିବାସୀ ବିକାଶର ମହାସ୍ରୋତରେ ସାମିଲ ହେବେ ତାହା ଧୀରେ ଧୀରେ ସାକାର ହେବାକୁ ଯାଉଛି। ଗ୍ରାମୀଣ ଜନସାଧାରଣ ହେଉଛନ୍ତି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ । ଓଡ଼ିଶାର ଗ୍ରାମାଞ୍ଚଳ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ହେଉଛି ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ। ଗୋଟିଏ ରାଜ୍ୟର ଅର୍ଥନୈତିକ ବିକାଶ ଓ ସାମାଜିକ ଏକୀକରଣ ନିମନ୍ତେ ଗ୍ରାମାଞ୍ଚଳ ଯୋଗାଯୋଗ ବ୍ୟବସ୍ଥାର ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେଣୁ ରାସ୍ତା ସଂଯୋଗିକରଣ କୁ ଗୁରୁତ୍ବ ଦିଆଯାଇ ଗମନା ଗମନର ସର୍ବୋକୃଷ୍ଟ ଭିତ୍ତିଭୂମି ନିର୍ମାଣ ପାଇଁ ଏଥିରେ ପ୍ରାଥମିକତା ଦିଆଯିବ।
ଏହି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭ ଉନ୍ମୋଚନରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀ କହିଲେ ଆପଣମାନେ ଜାଣିଛନ୍ତି ରାଜ୍ୟ ସରକାର ଜନସାଧାରଣ ମାନଙ୍କ କଲ୍ୟାଣ ପାଇଁ ଅନେକ ଗୁଡ଼ିଏ ଯୋଜନାର ଶୁଭାରମ୍ଭ କରିଛନ୍ତି ଯେପରିକି ସୁଭଦ୍ରା ଯୋଜନାରେ ସମସ୍ତ ମା ମାନେ ଉପକୃତ ହୋଇ ପାରୁଛନ୍ତି। ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ମଧ୍ୟ ଫେବୃଆରୀ ୮ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆମ ଜିଲ୍ଲାରୁ ଶୁଭାରମ୍ଭ କରିବେ। ସୁଭଦ୍ରା ଯୋଜନା ପରେ ସମସ୍ତ ଚାଷୀମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଇନପୁଟ ସବସିଡ ପ୍ରୋଗ୍ରାମ ମଧ୍ୟ ଘୋଷଣା କରିଛନ୍ତି। ଏହିଭଳି ଅନେକ ଯୋଜନା ମଧ୍ୟରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା ଅଟେ ଯେଉଁଥିରେ ଗ୍ରାମର ଉନ୍ନତିକରଣ କରାଯିବ। ଯେଉଁ ଗ୍ରାମରେ ରାସ୍ତାର ସୁବିଧା ନଥିବ ରାସ୍ତାର ଉନ୍ନତିକରଣ ପାଇଁ ୩୫ ପ୍ରତିଶତ ପାଣ୍ଠି ପର୍ଯ୍ୟନ୍ତ ଉପଯୋଗ କରିପାରିବେ। କଲ୍ୟାଣ ମଣ୍ଡପ, ରିଡ଼ିଙ୍ଗ ରୁମ୍ ଇତ୍ୟାଦିର ଉନ୍ନତିକରଣ ମଧ୍ୟ କରିପାରିବେ। ୫ ପ୍ରତିଶତ ପାଣ୍ଠି ମଧ୍ୟ ନବୀକରଣ ନିମନ୍ତେ ରଖାଯାଇଛି। ମୁଁ ଆଶା କରୁଛି ଗାଁର ବିକାଶ ପାଇଁ ଏବଂ ଗାଁ ଗୁଡ଼ିକର ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ ପାଇଁ ଏହି ଯୋଜନା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରିବ। ଏହି ଯୋଜନା ସଫଳ ଭାବେ ସମସ୍ତ ଜିଲ୍ଲାରେ ଲାଗୁ ହେବ।
ଆଜିର ଏହି ଦିବସରେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଫଣେନ୍ଦ୍ର ମିଶ୍ର, ବ୍ଲକ୍ ଅଧ୍ୟକ୍ଷା, ଯାଜପୁର ସ୍ଵର୍ଣ୍ଣଲତା ପରିଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯାଜପୁର ଶ୍ରୀ ଧର୍ମ ରଞ୍ଜନ ପଣ୍ଡା, ସମସ୍ତ ବ୍ଲକର ସମିତି ସଭ୍ୟ/ସଭ୍ୟା, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ଏସ.ଏଚ.ଜି ର ମା’ ମାନେ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ।
