ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା
ଭୁବନେଶ୍ୱର,୦୬/୦୨/୨୦୨୫ (ଓଡ଼ିଶା ସମାଚାର)- କୁଆଖାଇ ନଦୀରେ ବୁଡି ବୁଧବାର ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କ ବୟସ ୧୫ ବର୍ଷ ବୟସ ହେବ । ସରସ୍ୱତୀ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ୨ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବୁଧବାର ପୂର୍ବାହ୍ଣରେ ବାଲିଅନ୍ତା ରଙ୍ଗବଜାର କୁଆଖାଇ ନଦୀର ବାଲିଘାଟ ନିକଟରେ ଘଟିଥିବା
ଏମିତି ଏକ ଘଟଣା ସମସ୍ତଙ୍କ ଛାତି ଥରାଇଦେଇଛି। ଦଶମ ଶ୍ରେଣୀରେ ପଢ଼ୁଥିବା ମୃତ ଛାତ୍ରଦ୍ବୟ ହେଉଛନ୍ତି ଏୟାରପୋର୍ଟ ଥାନା ୟୁନିଟ୍ -୬ ଗଙ୍ଗନଗର ଅଞ୍ଚଳର ବୁଲୁ ସେନାପତିଙ୍କ ବଡ଼ପୁଅ ସିକୁନ ଓ କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍-୬ କାଳୀମନ୍ଦିର ବସ୍ତି ଅଞ୍ଚଳର ସୁଶାନ୍ତ ମହାଳିକଙ୍କ ଏକମାତ୍ର ପୁଅ ଦିବ୍ୟଜ୍ୟୋତି। ପୁଲିସ
ସୂଚନାନୁସାରେ ୟୁନିଟ୍-୬ ଅଞ୍ଚଳସ୍ଥିତ ଏକ କୋଚିଂ ସେଣ୍ଟରରେ ପଢ଼ୁଥିଲେ ସିକୁନ୍ ଓ ଦିବ୍ୟଜ୍ୟୋତି। ଆଜି ସକାଳୁ ସେମାନେ କୋଚିଂ ସେଣ୍ଟରରେ ଗଣିତ ଓ ଇଂରାଜୀ କ୍ଲାସ ଶେଷ କରିଥିଲେ। ମୁଣ୍ଡ ଉପରେ ମାଟ୍ରିକ୍ ପରୀକ୍ଷା ଥିବାରୁ ପଢ଼ା ସରିବା ପରେ ମୂର୍ତ୍ତି ବିସର୍ଜନ କରିବାକୁ ଶିକ୍ଷକ ଓ ଛାତ୍ରମାନେ ଯୋଜନା କରିଥିଲେ। ପଢ଼ାପଢ଼ି ସରିବା ପରେ ଶିକ୍ଷକଙ୍କ ସହ ୭ଜଣ ଛାତ୍ର ଏକ ଅଟୋରେ ମୂର୍ତ୍ତିକୁ ଧରି କୁଆଖାଇ ନଦୀ ଅଭିମୁଖେ ବାହାରିଯାଇଥିଲେ। ଟଙ୍କପାଣି ବ୍ରିଜ୍ଠାରୁ ୨୦୦ ମିଟର ଦୂର ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟସ୍ଥ ବାଲିଘାଟ ନିକଟରେ ଅଟୋ ପହଞ୍ଚିଯାଇଥିଲା। ଛାତ୍ରମାନେ ମୂର୍ତ୍ତିକୁ ଧରି ପାଣି ଭିତରକୁ ପଶିଯାଇଥିଲେ। କିନ୍ତୁ ହଠାତ୍ ସିକୁନ୍ ଓ ଦିବ୍ୟଜ୍ୟୋତି ବୁଡ଼ିଗଲେ। ୨ ଛାତ୍ରଙ୍କୁ ମୃତ ଅବସ୍ଥାରେ ନଦୀରୁ ଉଦ୍ଧାର କରାଯାଇଥିଲା। କ୍ୟାପିଟାଲ୍ ହସ୍ପିଟାଲ୍ରେ ବ୍ୟବଚ୍ଛେଦ ପରେ ମୃତଦେହ ଦ୍ବୟ କୁ ପରିବାର ଙ୍କୁ ଦିଆଯାଇଥିଲା। ବାଲିଅନ୍ତା ଥାନା ପୁଲିସ କୋଚିଂ ସେଣ୍ଟର୍ର ଶିକ୍ଷକଙ୍କୁ ଅଟକ ରଖିଛି ।
ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ମୃତକଙ୍କ ପରିବାର ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
