ଧାନ ଅମଳରେ ବାଧକ ସାଜିଲା ଅଦିନିଆ ବର୍ଷା

କ୍ଷତିଗ୍ରସ୍ତଙ୍କ ପାଇଁ ଉପଯୁକ୍ତ କ୍ଷତିପୂରଣ ଦେବା ନିମନ୍ତେ ସରକାରଙ୍କୁ ଅନୁରୋଧ କଲେ ପୁର୍ବତନ ମନ୍ତ୍ରୀ ସମୀର ଦାଶ

ନିମାପଡା, ୨୬/୧୨/୨୦୨୪ (ଓଡ଼ିଶା ସମାଚାର)-ଧାନ ଫସଲ ଅମଳରେ ବାଧକ ସାଜିଛି ଲଘୁଚାପ ଜନିତ ଅଦିନିଆ ବର୍ଷା । ଏଭଳି ପରିସ୍ଥତିକୁ ଦେଖି ଚାଷୀ ଆଖିରୁ ଲୁହ ଶୁଖୁନି, କେବେ ମିଳିବ ସରକାରୀ ସହାୟତା ଚିନ୍ତାରେ ରହିଛି ଚଷାକୁଳ । ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ୫ ଦିନ ଧରି ଲଗାଣ ବର୍ଷା ଫଳରେ ପାଚିଲା ଧାନ ବିଲରେ ବର୍ଷା ଜଳ ଲହଡି ଭାଙ୍ଗୁଛି । ଏଭଳି ସ୍ଥିତିରେ ଧାନ କେମିତି ଖଳାକୁ ଆସିବ ଚିନ୍ତାରେ ଚାଷୀକୁଳ । ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ ଧାନ ବହୁତ ଭଲ ହୋଇଥିଲା । ବିଲ ମୁଣ୍ଡରେ ଠିଆ ହୋଇ ଧାନକୁ ଦେଖିଲେ ପେଟ ପୁରିଯାଉଥିଲା । ଚାଷୀ ଆଶା କରିଥିଲା ଚଳିତ ବର୍ଷ ଧାନ ଅମଳ କରି ଆଶା ଠାରୁ ଢେରବେଶୀ ଅର୍ଥ ରୋଜଗାର କରିବ । ହେଲେ ଚାଷୀର ଆଶା ଆଶାରେ ହିଁ ରହିଗଲା । ଅଦିନିଆ ବର୍ଷା ସବୁକିଛି ଓଲଟାପ।ଲଟ କରିଦେଲା । ନିମାପଡା କୃଷି ଜିଲ୍ଲା ଅଧୀନରେ ଥିବା ନିମାପଡା ବ୍ଲକରେ  କୃଷି ବିଭାଗ ତଥ୍ୟ ଅନୁଯାଇ ଚଳିତ ବର୍ଷ ୧୯, ୫00 ହେକ୍ଟର ଧାନ ଫସଲ କରାଯାଇଥିଲା । ବର୍ତମାନ ପରିସ୍ଥିରେ ଶତକଡା ୯0ଭାଗ ଜମି ଅଦିନିଆ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି । କହିବାକୁ ଗଲେ ଫଳରେ ଧାନ ଫସଲ ନଷ୍ଟ ହୋଇଯିବା ଉପରେ । ଏଭଳି ସ୍ଥିତିରେ ଧାନ କେମିତି ଅମଳ ହେବ ଚିନ୍ତାରେ ଚାଷୀ । ବର୍ଷା ଯୋଗୁଁ ପାଚିଲା ଧାନ କେଣ୍ଡାରୁ ଛିଣ୍ଡି ପାଣିରେ ବୁଡି ରହିଛି । ହାତରେ କଟାଯାଇଥିବା ଧାନ ପାଣିରେ ବୁଡି ଯାଇଛି । ଫଳରେ ଦିନେ ଦୁଇଦିନ ପରେ ଗଜା ହୋଇଯିବ  । ଲଘୁଚାପ ଜନିତ ବର୍ଷା ଫଳରେ ଶହଶହ ହେକ୍ଟର ଜମିରେ ହୋଇଥିବା ପରିବା ଫସଲ ଫୁଲକୋବି, ବନ୍ଧାକୋବି, ଆଳୁ,ପୋଟଳ, ବାଇଗଣ, କାକୁଡି ଅନ୍ୟାନ ପନିପରିବା ଚାଷ ସମ୍ପୂର୍ଣ ପ୍ରଭାବିତ ହୋଇଛି । ବର୍ତମାନ ହଜାର ହଜାର ଟଙ୍କା ଧାର କରଜ କରି ଫସଲ ଅମଳ ଆଶାରେ ଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଏଭଳି ଦୁର୍ଦଶା ସମୟରେ ସରକାର ସହଯୋଗ କରିବା ନିମନ୍ତେ ଚାଷୀ ହରିହର ପ୍ରଧାନ, ନକୁଳ ବେହେରା, ସବ୍ୟସାଚୀ ରାଉତ, ଭ୍ରମରବର ରାଉତ ପ୍ରମୁଖ ଅନୁରୋଧ କରିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଅଣ୍ଟାଭିଡି ବାହାରିଛନ୍ତି ପୂର୍ବତନମନ୍ତ୍ରୀ ସମୀର ଦାଶ । କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହିତ କ୍ଷତିଗ୍ରସ୍ତଙ୍କ ସହିତ ଶ୍ରୀଯୁକ୍ତ ଦାଶ ଆଲୋଚନା କରିଛନ୍ତି । କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ନିମନ୍ତେ ସରକାରଙ୍କୁ ଅନୁରୋଧ କରିଛନ୍ତି ସମୀର ଦାଶ ।

Leave a Reply

Your email address will not be published. Required fields are marked *