ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି – ୨୦୨୫ ଓ ପଲ୍ଲୀଶ୍ରୀମେଳା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ

ଯାଜପୁର, ୦୫/୦୨/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି – ୨୦୨୫ ସମ୍ପର୍କୀୟ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଏହି ବୈଠକରେ ଅଧ୍ୟକ୍ଷତା କରି କହିଲେ ଯଯାତି – ୨୦୨୫ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଫେବୃଆରୀ ୮ ତାରିଖରେ ପ୍ରଶାସନିକ ଭବନ ପଡିଆଠାରେ ଶୁଭ ଉଦଘାଟନ କରିବା କାର୍ୟ୍ୟକ୍ରମ ରହିଛି। ସେହିଦିନ ଚାନ୍ଦମା ପଡିଆ, ଯାଜପୁର ରୋଡ଼ ଠାରେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନା ପ୍ରଥମ ପର୍ୟ୍ୟାୟ ଚତୁର୍ଥ କିସ୍ତି ପ୍ରଦାନ କରିବେ। ଜିଲ୍ଲା ମହୋତ୍ସବ ଯଯାତି – ୨୦୨୫ ଏବଂ ପଲ୍ଲୀଶ୍ରୀ ମେଳା ଫେବୃଆରୀ ୦୮ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ୟ୍ୟନ୍ତ ଚାଲିବ। ଏହି ୫ ଦିନ ବ୍ୟାପୀ କାର୍ୟ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଅତିଥି ଭାବେ ଯୋଗଦାନ କରିବାର କାର୍ୟ୍ୟକ୍ରମ ରହିଛି। ଯଯାତି – ୨୦୨୫ ଆରମ୍ଭରେ ମା’ ବିରଜାଙ୍କ ମନ୍ଦିର ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ପ୍ରଶାସନିକ ଭବନ ପଡିଆ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ୧୫୦ ଷ୍ଟଲ୍ ବିଶିଷ୍ଟ ପଲ୍ଲିଶ୍ରୀ ମେଳା ଓ ୪୦ ଷ୍ଟଲ ର ଫୁଡ କୋର୍ଟ ଆୟୋଜିତ ହେବ। ପଲ୍ଲୀଶ୍ରୀ ମେଳାରେ ସ୍ଥାନୀୟ ଓ ଅନ୍ୟ ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଉତ୍ପାଦିତ ଜିନିଷ ବିକ୍ରୟ କରାଯିବ। ପ୍ରତ୍ୟେକ ଦିନ ସଭା ପୂର୍ବରୁ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବ। ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ପ୍ରତ୍ୟେକ ଦିନ ସ୍ବାଗତ ସଙ୍ଗୀତ ଗାନ କରାଯିବ। ଏହା ବ୍ୟତୀତ ବଲିଉଡ୍, ଓଲିଉଡ ଏବଂ ବିଭିନ୍ନ ଜିଲ୍ଲାର ଲୋକସଙ୍ଗୀତ, ଲୋକ ନୃତ୍ୟ କଳାକାର ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବ। ପ୍ରଥମ ଦିନ ଓଡ଼ିଶୀର ଗଣେଶ ବନ୍ଦନା ପରିବେଷଣ କରାଯିବ। ଆଦିବାସୀ ଢେମସା, ରାଜସ୍ଥାନୀ ଫୋକ ଡାନ୍ସ, ମାଲାଖମ୍ବ ଆକ୍ଟ, ଭାରତ ନାଟ୍ୟମ, ଷ୍ଟାଣ୍ଡ ଅପ୍ କମେଡି, କଳାହାଣ୍ଡି ଘୁମୁରା ବିଭିନ୍ନ ଦିନରେ ପରିବେଷଣ କରାଯିବ। ଏତଦବ୍ୟତୀତ ଫେବୃଆରୀ ୧୦ ତାରିଖରେ ସେମିନାର ଦିନ ୧୦ଘଟିକା ଓ ୧୧ ତାରିଖରେ ଏକ କବି ସମ୍ମିଳନୀ ୯.୩୦ ରେ ଅନୁଷ୍ଠିତ ହେବ।ଜିଲ୍ଲା ମହୋତ୍ସବରେ ବଲିଉଡ୍ ସିଙ୍ଗର ଜୁବିନ୍ ନଉଟିଆଲ୍, ଅନନ୍ୟା ଶ୍ରୀତମ ନନ୍ଦ, ସତ୍ୟଜିତ ପ୍ରଧାନ, ମୋନାଲୀ ଠାକୁର, ଦେବାର୍ଚ୍ଚନ ମିଶ୍ର, ଦିପ୍ତିରେଖା ପାଢ଼ୀ, ସୁଖବିନ୍ଦର୍ ସିଂହ ମୁଖ୍ୟ ଆକର୍ଷଣ ହେବେ।
ଏହି ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିରୁଦ୍ଧ ରାଉତରାୟ ଯୋଗଦେଇ ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ୍ ଶୃଙ୍ଖଳା ଉପରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସୋନାଲୀ ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ ଉପସ୍ଥିତ ରହି ସ୍ବାଗତ ସୂଚନା ଓ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *