ଓଡ଼ିଶା ଇତିହାସର ପ୍ରବହମାନ ଧାରାରେ ଗଙ୍ଗ ଓ ଗଜପତିଙ୍କ ଶାସନକାଳ ଏକ ଗୌରବମୟ ରାଜତ୍ୱ ତଥା ଦୀପ୍ତିମନ୍ତ ଐତିହ୍ୟର ବାର୍ତାବହ

ଭୁବନେଶ୍ୱର, ୩୦/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ଇତିହାସର ପ୍ରବହମାନ ଧାରାରେ ଗଙ୍ଗ ଓ ଗଜପତିଙ୍କ ଶାସନକାଳ ଏକ ଗୌରବମୟ ରାଜତ୍ୱ ତଥା ଦୀପ୍ତିମନ୍ତ ଐତିହ୍ୟର ବାର୍ତାବହ ରହିଥିଲା । ଗଙ୍ଗବଂଶର ପତନ ପରେ ପରେ ଗଙ୍ଗରାଜ୍ୟର ଭିତିଭୂମି ଉପରେ ଅଭୁ୍ୟଦୟ ଘଟେ ସୂର୍ଯ୍ୟବଂଶୀ ଶାସନ ଯାହାର ନରପତିଗଣ ଥିଲେ ଗଜପତି ଉପାଧିରେ ବିଭୂଷିତ । ବିଶାଳ ହସ୍ତୀବାହିନୀ, ଶକ୍ତି ଓ ପରାକ୍ରମ ଏହି ଉପାଧି ଧାରଣର ମୂଳ ଉଦ୍ଧେଶ୍ୟ ଥିଲେ ମଧ୍ୟ ସୂର୍ଯ୍ୟବଂଶୀ ଶାସନକାଳରେ ଏଥିରେ ସଂଯୋଜିତ ହୁଏ ରାଜନୈତିକ ପ୍ରତିଷ୍ଠା ଓ ପ୍ରତିପତି । ଉତ୍କଳର ସାର୍ବଭୌମ ଗଜପତି କପିଳେନ୍ଦ୍ର ଦେବଙ୍କ ୫୯୦ତମ ରାଜ୍ୟାଭିଷେକ ଦିବସ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସହଯୋଗୀ ଅନୁଷ୍ଠାନ ଐତିହ୍ୟର ଅନ୍ତେଙ୍କ ମିଳିତ ସହଯୋଗରେ ୨୯ ଜୁନ୍ ୨୦୨୫ ପୂର୍ବାହ୍ଣ ୧୧ ଘଟିକାରେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟ ଠାରେ ଆୟୋଜିତ ଗଜପତି ଗୌରବ ଦିବସ ପାଳନ ଅବସରରେ ଆମନ୍ତ୍ରିତ ମାନ୍ୟଗଣ୍ୟ ଅତିଥି, ଗବେଷକ ଓ ବକ୍ତାଙ୍କ ଦ୍ୱାରା ବିଭିନ୍ନ ଆଲୋଚନା ହୋଇଥିଲା ।

ଏଥିରେ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାରତୀ ପାଲ୍ ଙ୍କ ସଭାପତିତ୍ୱରେ ସୁସାହିତି୍ୟକ ଶ୍ରୀଯୁକ୍ତ ମୋହିନୀ ମୋହନ ମିଶ୍ର ଯୋଗଦାନ କରି କପିଳେନ୍ଦ୍ରଙ୍କ ଦେବଙ୍କ ବିଭିନ୍ନ କୃତି ଓ କୃତିତ୍ୱ ଉପରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଯୋଗଦାନ କରି ଗଜପତି କପିଳେନ୍ଦ୍ର ଦେବଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିବା ସହ ଏହି କାର୍ଯ୍ୟକ୍ରମଟି ଆଗାମୀ ଦିନରେ ବହୁ ଭାବେ ସୁଦୂରପ୍ରସାରୀ ହୋଇପାରିବ ଏ ଦିଗରେ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ । ଐତିହ୍ୟର ଅନ୍ତେ ଅନୁଷ୍ଠାନର ଗବେଷକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଣ୍ଡା ଓ ଶ୍ରୀଯୁକ୍ତ ଶ୍ୱେତକ ମହାପାତ୍ର ଯୋଗଦାନ କରି କପିଳେନ୍ଦ୍ର ଦେବଙ୍କ ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଲୋଚନା କରିଥିଲେ ।

ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଯୋଗଦାନ କରି ଏହାର ଆଭିମୁଖ୍ୟ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସହ ଗଜପତି କପିଳେନ୍ଦ୍ର ଦେବଙ୍କ ବିଭିନ୍ନ ଅଭିଲେଖୀୟ ଉପାଦାନ ଓ ଗଜପତି ଶାସନ ସମ୍ବନ୍ଧରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାରତୀ ପାଲ୍ ନିଜର ସଭାପତିତ୍ୱ ଅଭିଭାଷଣରେ ଗଜପତି କପିଳେନ୍ଦ୍ର ଦେବ କିପରି ମଧ୍ୟଯୁଗୀୟ ଓଡ଼ିଶା ତଥା ଭାରତ ଇତିହାସରେ ଅନ୍ୟତମ ପରାକ୍ରମଶାଳୀ ଭାବେ ପରିଗଣିତ ହୋଇପାରିଥିଲେ ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନର ଆଲୋଚନାଚକ୍ରରେ ସମ୍ମାନନୀୟ ଆଲୋଚକ ଭାବେ ଉକ୍ରଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ଜୟନ୍ତୀ ଦୋରା ଏବଂ ଲେଖକ ତଥା ଗବେଷକ ଶ୍ରୀଯୁକ୍ତ ନିହାର ନନ୍ଦ ଯୋଗଦାନ କରି ‘ଭାରତୀୟ ରାଜନୀତି ଓ ସମର ନୀତିରେ ଗଜପତି କପିଳେନ୍ଦ୍ର ଦେବଙ୍କ ଅବଦାନ’ ଶୀର୍ଷକ ଆଲୋଚ୍ୟ ବିଷୟବସ୍ତୁ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ଦ୍ୱିତୀୟ ଅଧିବେଶନର ଆଲୋଚନାଚକ୍ରରେ ସମ୍ମାନନୀୟ ଆଲୋଚକ ଭାବେ ଲିପିତତ୍ୱବିଦ୍ ତଥା ଗବେଷକ ଇ. ବିଷ୍ଣୁ ମୋହନ ଅଧିକାରୀ ଓ ଲେଖକ ତଥା ଗବେଷକ ଶ୍ରୀଯୁକ୍ତ ଦୀପକ କୁମାର ନାୟକ ଯୋଗଦାନ କରି ଆଲୋଚ୍ୟ ବିଷୟବସ୍ତୁ ‘ପ୍ରତ୍ନତତ୍ୱ ଓ ଶିଳାଲେଖରେ ଗଜପତି କପିଳେନ୍ଦ୍ର ଦେବ’ ଶୀର୍ଷକ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ତୃତୀୟ ଅଧିବେଶନର ଆଲୋଚନାଚକ୍ରରେ ସମ୍ମାନନୀୟ ଆଲୋଚକ ଭାବେ ବିଶିଷ୍ଟ ଐତିହାସିକ ପ୍ରଫେସର ନାରାୟଣ ରାଓ, ସୁସାହିତି୍ୟକ କବି ବାଳମକୁନ୍ଦ ଦାସ ଏବଂ ଓଡ଼ିଶୀ ସଂଗୀତ ଗବେଷକ ଶ୍ରୀମାନ୍ ପ୍ରତୀକ ପଟ୍ଟନାୟକ ଯୋଗଦାନ କରି ଗଜପତି କପିଳେନ୍ଦ୍ର ଦେବଙ୍କ ପୃଷ୍ଠପୋଷକତାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି’ ଶୀର୍ଷକ ଆଲୋଚ୍ୟ ବିଷୟବସ୍ତୁ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ଏକାଡେମୀର ସହ-ସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳସିଂହ ଯୋଗଦାନ କରି ଏଥିରେ ଆମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜ୍ଞାନୀଗୁଣୀ, ସଜ୍ଜନମଣ୍ଡଳୀ, ବୁଦ୍ଧିଜୀବୀ, ଗବେଷକ, ସାହିତି୍ୟକ/ସାହିତି୍ୟକା ଏବଂ ସାମ୍ବାଦିକ ବନ୍ଧୁ ଆଦି ବହୁ ଭାବେ ଯୋଗଦାନ କରି ଅନୁଷ୍ଠିତ ଗଜପତି ଗୌରବ ଦିବସ ଉତ୍ସବଟିକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଏଥିରେ ସଂପୂର୍ଣ୍ଣ ଭାବେ ସହଯୋଗ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *