ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ରେ ‘ଶିଳ୍ପ ଭିତ୍ତିଭୂମି, ବନ୍ଦର, ବିମାନ ବନ୍ଦର, ରେଳ ଓ ସଡ଼କ ପଥ’ ଶୀର୍ଷକ ଅଧିବେଶନ

ସାମୁଦି୍ରକ ଓ ଲଜିଷ୍ଟିକ୍‌ ବିକାଶ ସହିତ ମାନବସମ୍ବଳର ବିକାଶ ଗୁରୁତ୍ୱପୂର୍ଣ୍ଣ: ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ଜେନା

ଭୁବନେଶ୍ୱର,୨୯/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦେଶର ପୂର୍ବ ଉପକୂଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥିତ ଓଡ଼ିଶା, ସାମୁଦ୍ରିକ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ଭାରତର ଆର୍ଥିକ ପ୍ରଗତି ନିମନ୍ତେ ପ୍ରବେଶ ଦ୍ୱାର ଭାବରେ ଉଭା ହୋଇପାରିବ । ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବାକୁ ଓଡ଼ିଶା ସରକାର ପ୍ରତିବଦ୍ଧ । ସାମୂହିକ ଅଭିବୃଦ୍ଧି, ସ୍ଥାୟିତ୍ୱ ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରି ୨୦୩୬ ସୁଦ୍ଧା ବିକଶତ ଓଡ଼ିଶାର ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ବାଣିଜ୍ୟ ଏବଂ ପରିବହନ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି ।

ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୨୫ର ଦ୍ୱିତୀୟ ଦିବସରେ ଆଜି ‘ଶିଳ୍ପ ଭିତ୍ତିଭୂମି, ବନ୍ଦର, ବିମାନ ବନ୍ଦର, ରେଳ ଓ ସଡ଼କ ପଥ’ ଶୀର୍ଷକ ଅଧିବେଶନରେ ବିଶ୍ୱସ୍ତରୀୟ ସାମୁଦ୍ରିକ ଏବଂ ଲଜିଷ୍ଟିକ୍ସ ହବ୍‌ ହେବା ପାଇଁ ରାଜ୍ୟର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ଅଧିବେଶନରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ସାମୁଦି୍ରକ ଓ ଲଜିଷ୍ଟିକ୍‌ ବିକାଶ ସହିତ ମାନବସମ୍ବଳର ବିକାଶ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟ ରହିଛି । ଏହି ଗୌରବମୟ ଇତିହାସର ପୁନରାବୃତ୍ତି ନିମନ୍ତେ ଆମ ଯୁବବର୍ଗଙ୍କୁ ଦକ୍ଷ କରାଯାଇପାରିଲେ ରାଜ୍ୟର ନିରନ୍ତର ବିକାଶ ସମ୍ଭବ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଅଧିବେଶନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜା କହିଛନ୍ତି ଯେ ଓଡ଼ିଶାରେ ବିକାଶ ପାଇଁ ଆବଶ୍ୟକୀୟ ସମସ୍ତ ଆନୁଷଙ୍ଗିକ ସୁବିଧା ରହିଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ରୂପରେଖ ନେଇ ସରକାରଙ୍କର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ରହିଛି । ସରକାର, ଶିଳ୍ପଜଗତ ଓ ଜନସାଧାରଣଙ୍କ ମଧ୍ୟରେ ସହଭାଗିତାରେ ଏହି ଲକ୍ଷ୍ୟ ହାସଲ ହେବ ବୋଲି ସେ ମତ ଦେଇଥିଲେ ।

ପାରାଦୀପ ପୋର୍ଟର ଅଧ୍ୟକ୍ଷ ପି. ଏଲ୍‌. ହରନାଧ, ଆଦାନୀ ଗ୍ରୁପ୍‌ର ପ୍ରତିନିଧି ସୁବ୍ରତ ତି୍ରପାଠୀ ଏବଂ ଜେଏସ୍‌ଡବ୍ଲୁ୍ୟର ପ୍ରତିନିଧି ରିଙ୍କେଶ ରାୟ ଅଧିବେଶନରେ ବକ୍ତା ଭାବେ ଯୋଗଦେଇ ରାଜ୍ୟରେ ଲଜିଷ୍ଟିକ୍‌ ବିପ୍ଳବ ଦ୍ୱାରା ବିକାଶର ସମ୍ଭାବ୍ୟ ଦିଗଗୁଡ଼ିକ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ରାଜ୍ୟରେ ଲଜିଷ୍ଟିକ୍‌ କ୍ଷେତ୍ରରେ ନିବେଶ ଓ ଉନ୍ନୟନ ନେଇ ‘ଏରୋ କ୍ଲବ ଅଫ୍‌ ଇଣ୍ଡିଆ’ ଓ ‘ଇଣ୍ଡିଆୱାନ୍‌ ଏୟାର’ ସହ ରାଜ୍ୟ ସରକାର ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷର କରିଥିବାବେଳେ ପରିବହନ କମିଶନର ଏବଂ ଜାତୀୟ ରାଜପଥ ଓ ଲଜିଷ୍ଟିକ୍ସ ପରିଚାଳନା ଲିମିଟେଡ୍‌ (NHLML) ମଧ୍ୟରେ ଅନ୍ୟ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ପ୍ରାରମ୍ଭିକ ବକ୍ତବ୍ୟ ଦେବା ସହ ବିକାଶର ତିନି ବାହକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଲଜିଷ୍ଟିକ୍‌ କ୍ଷେତ୍ରର ବିକାଶ ସହ ଏହାର ପରିଚାଳନା ନିମନ୍ତେ ରାଜ୍ୟ ସରକାର ଉପଯୁକ୍ତ ମାନବସମ୍ବଳ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀଙ୍କ ସଂଯୋଜନାରେ ‘ଓଡ଼ିଶାର ଲଜିଷ୍ଟିକ୍ସ ବିପ୍ଳବ: ମଲଫି-ମୋଡାଲ୍‌ ସିନର୍ଜି ମାଧ୍ୟମରେ ଅଭିବୃଦ୍ଧିର ପରିଚାଳନା’ ଶୀର୍ଷକ ଆଲୋଚନାଚକ୍ରରେ ରବି ପି. ଚତୁର୍ବେଦୀ, ମଣିକାନ୍ତ ନାୟକ, ଡି. ଆନନ୍ଦ ଭାସ୍କର, ଦେବାଶିଷ ଦତ୍ତା, କେ. ଭି. ମହୀଧର, ଅଜୟ କୁମାର, ନିତିନ୍‌ ଠାକୁର ଅତିଥି ବକ୍ତା ଭାବେ ଯୋଗଦେଇ ଓଡ଼ିଶାରେ ଏହାର ଭବିଷ୍ୟତ ଏବଂ ସମ୍ଭାବ୍ୟ ଦିଗଗୁଡ଼ିକ ଉପରେ ଆଲୋଚନା କରିଥିଲେ ।

-0-

ବିନାୟକ ମିଶ୍ର,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *