ଜିଲାପାଳଙ୍କୁ ଭେଟିଲେ ରାଜା ଶିବେନ୍ଦ୍ର ନାରାୟଣ
କେନ୍ଦ୍ରାପଡା, ୨୮/୦୧/୨୦୨୫(ଓଡ଼ିଶା ସମାଚାର)- ଜବର ଦଖଲରେ ରହିଛି କନିକା ରାଜାଙ୍କ ଜମି । କେତେକ ଦୁର୍ବୃତ ରାଜାଙ୍କ ସମ୍ପତିକୁ ଜବରଦଖଲ କରିଛନ୍ତି । ଏହି ଜବରଦଖଲକୁ ରାଜାଙ୍କ ପରିବାର ବିରୋଧ କଲେ ସେମାନଙ୍କୁ ମରଣାନ୍ତକ ଆକ୍ରମଣର ଧମକ ଦିଆଯାଉଛି । ଏନେଇ ଥାନାରେ ଅଭିଯୋଗ କଲେ ପୋଲିସ ଅଭିଯୁକ୍ତମାନଙ୍କ ସପକ୍ଷରେ କଥା କହୁଛି । ତେଣୁ ବାଧ୍ୟ ହୋଇ ଜିଲାପାଳଙ୍କୁ ଭେଟି ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି କନିକାରାଜ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ତଥା କନିକାରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ । ଶ୍ରୀ ଭଞ୍ଜଦେବ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ କେତେକ ଦୁର୍ବୃତ ରାଜକନିକା ବ୍ଲକର ଈଶ୍ୱରପୁର ମୌଜାର ଟଣେଇପଦା ଗ୍ରାମର ରାଜ ଚାରିଟେବୁଲ ଟ୍ରଷ୍ଟର ୭ଟି ପ୍ଲଟରେ ରହିଥିବା ଜମିକୁ ଜବରଦଖଲ କରିଛନ୍ତି । ରାଜାଙ୍କ ମ୍ୟାନେଜର ଲମ୍ବୋଦର ରାଉତ ଜଣେ ଅମିନଙ୍କ ଦ୍ୱାରା ମାପଚୁପ କରୁଥିବା ବେଳେ ଜବରଦଖଲକାରୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଛି । ଏହି ଘଟଣାରେ ରାଜକନିକା ଥାନା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଜିଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଜବର ଦଖଲରେ କନିକା ରାଜ ଚାରିଟେବୁଲ ଟ୍ରଷ୍ଟ ଜମି
