ଭୁବନେଶ୍ୱର,୨୭/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉତ୍କର୍ଷ ଓଡ଼ିଶା ବିକଶିତ ଭାରତ ଗଠନ ଦିଗରେ ଉତ୍ ପ୍ରେରକ ହେବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି କହିଛନ୍ତି । ଆଜି କନଫେଡେରେସନ୍ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟି୍ର (ସି.ଆଇ.ଆଇ.)ର ୟଙ୍ଗ୍ ଇଣ୍ଡିଆନସ୍ ଭୁବନେଶ୍ୱର ଚାପ୍ଟର ଆନୁକୂଲ୍ୟରେ ଆୟୋଜିତ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ମତବ୍ୟକ୍ତ କରିଛନ୍ତି । ଉକ୍ତ ଅଧିବେଶନରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଓ ଉଦ୍ୟୋଗୀମାନଙ୍କ ସହ ଆଲୋଚନା ବେଳେ ରାଜ୍ୟପାଳ କହିଥିଲେ ଯେ ବିକଶିତ ଓଡ଼ିଶା ଗଠନ ପାଇଁ ଉତ୍କର୍ଷ ଓଡ଼ିଶା ଏକ ସୁଯୋଗ ସୃଷ୍ଟି କରିବ । ଓଡ଼ିଶାରେ ଅପାର ସମ୍ଭାବନା ରହିଛି । ଓଡ଼ିଶାର ପ୍ରାକୃତିକ ସମ୍ପଦ, ପର୍ଯ୍ୟଟନ ବିଭବ, ସୁବିସ୍ତୃତ ବେଳାଭୂମି ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆସୁଥିବା ନିବେଶକମାନଙ୍କୁ ଆକର୍ଷିତ କରିବାର ମାଧ୍ୟମ ହେବ ।
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତର ପରିକଳ୍ପନା କରି ପ୍ରୟାସ ଆରମ୍ଭ କରିଛନ୍ତି । ବିକଶିତ ଭାରତର ପ୍ରୟାସକୁ ବିକଶିତ ଗାଁ, ବିକଶିତ ଜିଲା
ଏବଂ ବିକଶିତ ରାଜ୍ୟ ସାକାର କରିବ । ଏହି ଅବସରରେ ରାଜ୍ୟପାଳ ପୁଣି କହିଥିଲେ ଯେ ରାଷ୍ଟ୍ର ନିର୍ମାଣ ଓ ଭାରତର ଭବିଷ୍ୟତ ଗଠନରେ ଯୁବ ପିଢ଼ିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଗତ ଦଶନ୍ଧି ମଧ୍ୟରେ ଭାରତରେ ଯୁବକମାନଙ୍କ ମାନସିକତାରେ ଅନେକ ପରିବର୍ତନ ଆସିଛି । ପୂର୍ବରୁ ଯୁବକମାନେ କେବଳ ଚାକିରୀ ପଛରେ ଧାଉଁଥିଲେ । କିନ୍ତୁ ବର୍ତମାନ ଅନେକ ଯୁବକ ଉଦ୍ୟୋଗୀ ହେବାକୁ ଆଗ୍ରହୀ ହେଉଛନ୍ତି । ବର୍ତମାନ ଦେଶରେ ଷ୍ଟାର୍ଟ ଅପ୍ ସଂଖ୍ୟା ବହୁ ସଂଖ୍ୟରେ ବଢ଼ି ଚାଲିଛି । ସରକାର ମଧ୍ୟ ଏ ଦିଗରେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଯୋଗଇବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ନୂତନ ଶିକ୍ଷା ନୀତି ଉପରେ ଆଲୋକପାତ କରି ଏହା ଶିକ୍ଷା ଦୃଷ୍ଟି କୋଣକୁ ଅଧିକ ସମ୍ପ୍ରସାରିତ କରିଛି ବୋଲି କହିଥିଲେ । ନୂତନ ଶିକ୍ଷା ନୀତିରେ ଦକ୍ଷତା ବୃଦ୍ଧି, ଇଣ୍ଡଷ୍ଟ୍ରି-ଏକାଡେମିଆ ଆଲୋଚନା ଉପରେ ଗୁରୁତ୍ୱଆରୋପ କରାଯାଇଛି ବୋଲି ରାଜ୍ୟପାଳ ଡ. କମ୍ଭମ୍ ପାଟି କହିଥିଲେ । ଏହି ଅବସରରେ ୟଙ୍ଗ ଇଣ୍ଡିଆର ରାଷ୍ଟ୍ରୀୟ ଅଧ୍ୟକ୍ଷ ତରଙ୍ଗ ଖୁରାନା ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ଆୟୁଷ ଯଶୋରିୟା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ