କଟକ ସଦର,୨୬/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ତହସିଲ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ଆଜି (ରବିବାର ଦିନ) ମହାସମାରୋହରେ ପାଳିତ ହୋଇଯାଇଛି। ଜାତୀୟ ଦିବସ ପାଳନ କମିଟି (ଏନ୍ ଡି ଓ ସି) ର ଅଧ୍ୟକ୍ଷ ତଥା ତହସିଲଦାର କ୍ଷୀରୋଦ କୁମାର ଦାଶ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମାରୋହରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ୨୮ ଗୋଟି ସ୍କୁଲ ଓ ଗୋଟିଏ କଲେଜର ପିଲାମାନଙ୍କ ପକ୍ଷରୁ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ସଦର ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା। ସୋମପୁର କିଶନନଗର ରାସ୍ତା କଡ଼ ବୁଢିଆଣୀ ମନ୍ଦିର ନିକଟରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ୍ ସ୍କୁଲ ରେ ପରିଚାଳନା ନିର୍ଦ୍ଦେଶକ ବିବେକାନନ୍ଦ ଭୁୟାଁ ଓ ପ୍ରିତମ ଚୈ।ଧୁରୀ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମାରୋହରେ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଓ ସାମ୍ବାଦିକ ସୟଦ୍ ସାଜିଦ୍ ଅଲ୍ଲୀ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ମେଡାଲ ପ୍ରଦାନ କରିଥିଲେ।
କିଶନନଗର କୃଷକ ସେବା ସମବାୟ ସମିତି ସଭାପତି ବିରଞ୍ଚିନାରାୟଣ ପଣ୍ଡା ସମିତି ପରିସରରେ ପତାକା ଉତ୍ତୋଳନ କରିଥିବା ବେଳେ ଉପସଭାପତି ବାବୁଲାଲ ନାୟକ, ସଂପାଦକ ଚନ୍ଦ୍ର ଶେଖର ରାଉତ ଓ ପୂର୍ବତନ ସଂପାଦକ ଅନିଲ ମଣ୍ଡଳ ଯୋଗ ଦେଇଥିଲେ। ସେହିପରି କଟକ ସଦର ବିଜେଡ଼ି ପକ୍ଷରୁ ବିଜେଡ଼ି ନେତା ବିଳାସ ମଲ୍ଲିକ ବିଜୁ ସେତୁ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରି ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ।
କିଶନନଗର ଠାରେ ତହସିଲ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ
