ମଧ୍ୟାହ୍ନ ଭୋଜନ ପାଚିକାଙ୍କ ଦୁର୍ବାର ଆନ୍ଦୋଳନ ଆଗରେ ନରମିଲେ ସରକାର

ନୂଆବର୍ଷରେ ଦାବିପୂରଣର ନୂଆ ସନ୍ଦେଶ ପାଇଁ ଆଶ୍ୱାସନା
ଭୁବନେଶ୍ୱର,୦୯/୧୨/୨୦୨୫ (ଓଡ଼ିଶା ସମାଚାର)- ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୭ ଦଫା ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜି ଛକଠାରେ ଦୁଇଦିନ ଧରି ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଦୀର୍ଘ ୩୦ ବର୍ଷ ଧରି ଶିକ୍ଷା ଭିତିଭୂମିର ମଧ୍ୟାହ୍ନ ଭୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ କାର୍ଯ୍ୟକରି ଆସୁଥିବା ପାଚିକା ମା’ମାନଙ୍କର ଏଯାଏଁ ନିଯୁକ୍ତିପତ୍ର ହୋଇନଥିବା ଯୋଗୁ ତୁରନ୍ତ ଏ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ, ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ମଜୁରି ଦୈନିକ ୪୬୨ ଟଙ୍କା ହିସାବରେ ପାଚିକା ମା’ମାନଙ୍କୁ ମାସିକ ୧୩୮୬୦ ଟଙ୍କା ପ୍ରଦାନ, ବିଦ୍ୟାଳୟ ପରିଚାଳନା କମିଟି ପାଚିକାଙ୍କ ନିଯୁକ୍ତି ଏବଂ ଅବସର କଥାକୁ ବିଚାର କରୁଥିବା ବେଳେ ଉକ୍ତ କ୍ଷେତ୍ରରେ ସରକାର ନିଜେ ଅନ୍ତର୍ଭୁକ୍ତ ରହି ସିଧାସଳଖ ପାଚିକାମାନଙ୍କ ଦରମା ପ୍ରତି ଦୃଷ୍ଟିଦେବା, ଯୋଜନା ଆରମ୍ଭରୁ ଖୁବ୍ କମ୍ ପାରିଶ୍ରମିକରେ କାର୍ଯ୍ୟ କରୁଥିବା ପାଚିକାମାନଙ୍କ ସମ୍ମାନ ସ୍ୱରୂପ ପରିବାରର ଜଣଙ୍କୁ ପୁନଃ ଥଇଥାନ ସହ ଅବସରକାଳୀନ ଭତା ୧ଲକ୍ଷ ଟଙ୍କା ପ୍ରଦାନ, ପାଚିକାମାନଙ୍କୁ ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ କରିବା, ପ୍ରତ୍ୟେକ ପାଚିକାମନଙ୍କୁ ବର୍ଷରେ ୧୦ ମାସ ବଦଳରେ ୧୨ ମାସର ଦରମା ପ୍ରଦାନ କରିବା ଏବଂ ମା’ ମାନଙ୍କୁ ସାମାଜିକ ସ୍ୱୀକୃତି ସ୍ୱରୂପ କାର୍ଯ୍ୟକ୍ଷେତ୍ରରେ ବୈଧ ପରିଚୟ ପ୍ରଦାନ କରିବା ଆଦି ୭ ଦଫା ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

୮ ତାରିଖରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ସମାବେଶରେ ୧୫ ହଜାରରୁ ଉଦ୍ଧ୍ୱର୍ ପାଚିକା ଯୋଗଦେଇ ନିଜର ଦାବି ପୂରଣ ନେଇ ଲୋୟର ପିଏମଜି ଖୋଲା ଆକାଶରେ ଶୀତ ଓ କାକରକୁ ଭ୍ର୍ରୁକ୍ଷେପ ନ କରି ଶୋଇ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ପାଚିକା ଗୁରୁ୍ତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିିତ ହେଉଛନ୍ତି । ଏତେ ସଂଖ୍ୟକ ପାଚିକାଙ୍କ ବିକ୍ଷୋଭ ସମାବେଶ ଆଗରେ ରାଜ୍ୟ ସରକାର ନରମି ଯାଇଛନ୍ତି । ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ସଚିବ ତଥା କମିଶନର ଏନ୍. ତିରୁମାଲା ମହୋଦୟ ସହ ପାଚିକା ମହାସଂଘର ଦୁଇଦିନର ଆଲୋଚନା ଓ ନିର୍ଭର ପ୍ରତିଶ୍ରୁତି ପରେ ବିକ୍ଷୋଭ ସମାବେଶକୁ ସାମୟିକ ପାଇଁ ସ୍ଥଗିତ ରଖାଗଲା ବୋଲି ଶ୍ରୀ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆଗାମୀ ଶୀତକାଳୀନ ବିଧାନସଭା ଅଧିବେଶନ ପରେ ଦାବି ପୂରଣ ନେଇ ମହାସଂଘ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରାଯାଇଛି । ଯଦି ରାଜ୍ୟ ସରକାର ମହାସଂଘର ଦାବି ପ୍ରତି କର୍ଣ୍ଣପାତ ନ କରନ୍ତି, ତେବେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବା ସହ ପାଚିକାମାନେ ମଧ୍ୟାହ୍ନ ଭୋଜନ କାର୍ଯ୍ୟରୁ ନିବୃତ ରହିବେ ବୋଲି ସଭାପତି ଶ୍ରୀ ସ୍ୱାଇଁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭ ସମାବେଶରେ ମହାସଂଘର ଉପସଭାପତି କାର୍ତିକ ସା, ଉପସଭାନେତ୍ରୀ ଶାନ୍ତି ଲୋହରା, କାର୍ଯ୍ୟକାରୀ ସଭାନେତ୍ରୀ ସରୋଜିନୀ କୁମୁରା, ସାଧାରଣ ସମ୍ପାଦିକା ସୁମିତ୍ରା ରଥଙ୍କ ସମେତ ହଜାର ହଜାର ସଂଖ୍ୟାରେ ପାଚିକମାନେ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *