ଶହୀଦ ବିର୍ସା ମୁଣ୍ଡାଙ୍କ ଶ୍ରାଦ୍ଧଦିବସ ଅବସରରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୦୯/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତର ସ୍ୱାଧୀନତା ସଂଗ୍ରାମ ତଥା ଜନଜାତି ସମାଜର ଅଧିକାର ସୁରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କୁ ତାଙ୍କ ଶ୍ରାଦ୍ଧଦିବସ ଅବସରରେ ଆଜି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଯାଇଛି । ଜନଜାତି ସମାଜର ସ୍ୱାଭିମାନ, ଆତ୍ମସମ୍ମାନ ଓ ଅଧିକାର ପାଇଁ ତାଙ୍କର ସଂଗ୍ରାମ ଏବଂ ତ୍ୟାଗମୟ ଜୀବନ ଆଜି ମଧ୍ୟ ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ।

ମାତ୍ର ୨୫ ବର୍ଷ ବୟସରେ ସେ ଦେଶ ପାଇଁ ଶହୀଦ ହୋଇଥିଲେ । ତାଙ୍କର ତ୍ୟାଗ, ସଂଗ୍ରାମ ଓ ଜନଜାତି ସମାଜର ଅଧିକାର ପାଇଁ ଲଢ଼େଇ ତାଙ୍କୁ ଭାରତୀୟ ଇତିହାସର ଜଣେ ଅମର ବିପ୍ଳବୀ ଭାବେ ପ୍ରତିଷ୍ଠିତ କରିଛି ।

ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସୌଧ ସମ୍ମୁଖରେ ଥିବା ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ବିଧାୟକ ଶ୍ରୀ ବାବୁ ସିଂ, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ମହାନ ବିପ୍ଳବୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହାସହ ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନର ପ୍ରତିନିଧି, ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ଯୋଗଦେଇ ଶହୀଦ ବିର୍ସା ମୁଣ୍ଡାଙ୍କ ଅମର ସ୍ମୃତିଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *