ନିରାକାରପୁର, ୨୩/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍କୋଳର ପ୍ରସିଦ୍ଧ ଦୟଣା ଚୋରୀ ଯାତ୍ରା ଆରମ୍ଭ ହୋଇଛି।ଟାଙ୍କୋଳ ଦୟଣା ଚୋରୀ ଯାତ୍ରା ଆସିଲେ ସ୍ଥାନୀୟ ଜନସାଧାରଣଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖାଯାଇଥାଏ। ଟାଙ୍କୋଳ ଗ୍ରାମର ଦୟଣା ଚୋରୀ ଯାତ୍ରା ପଡିଆ ହୋଇଛି ଉତ୍ସବମୁଖର। ଦୟଣାଚୋରୀ ଯାତ୍ରାକୁ ପାଳନ କରିବା ପାଇଁ ଦୋଳପଡିଆରେ
ବିଜେ ମଣ୍ଡପରେ ଦୋଳବିମାନରେ ବିରାଜମାନ କରିଛନ୍ତି ବ୍ରଜବିହାରୀ ଦେବ ଓ ବନବିହାରୀ ଦେବ ଏବଂ ଚୋରୀ ଠାକୁର ଭାବରେ ବିରାଜ ମାନ କରିଛନ୍ତି ସୁଦାମ ସୁବଳ।
ପ୍ରତିବର୍ଷ ଏଠାରେ ୫ଦିନ ଧରି ଯାତ୍ରା ହେଉଥିବା ବେଳେ ଚଳିତ ବର୍ଷ ମହାଆଡମ୍ବରରେ ହେଉଛି ଦୟଣା ଚୋରୀ ଯାତ୍ରା। ସଂସ୍କୃତି ସମ୍ପନ୍ନ ଗାଁ ଟାଙ୍କୋଳର ଏହି ଯାତ୍ରା ବହୁ ପ୍ରାଚୀନ ପରମ୍ପରା । ୧୯୧୮ମସିହାରୁ ପାରମ୍ପରିକ ଭାବରେ ଯାତ୍ରା ହୋଇଆସୁଛି । ଯାତ୍ରାକୁ ପୁରିଲାଣି୧୦୬ବର୍ଷ। ନୃସିଂହ ପୁରାଣ ଅନୁସାରେ ରାକ୍ଷସ ପିତା ହିରଣ୍ୟକସ୍ୟପ କବଳରୁ ଭକ୍ତ ପ୍ରହଲ୍ଲାଦ କୁ ରକ୍ଷା କରିବା ପାଇଁ ଭଗବାନ ନୃସିଂହ ନିଜର ନଖରେ ହିରଣ୍ୟକସ୍ୟପକୁ ବଧ କରିଥିଲେ। ବଧ କରି ସାରିବାପରେ ଅସୁର ପେଟର ଅନ୍ତ ନାଡିରୁ ହରହରି ଶୁଭିଥିଲା ।ଭଗବାନ ନୃସିଂହ ସେହି ନାଡିକୁ ଚୁପୁଡି ପଇତା କରି ପିନ୍ଧି ଥିଲେ ଏବଂ ଅନ୍ତନାଡିରୁ ବାହାରିଥିବା ରସକୁ ଫୋପାଡିବା ବେଳେ ତାହା ଦେବରାଜ ଇନ୍ଦ୍ରଙ୍କ ବଗିଚାରେ ପଡିଥିଲା।
ସେହିଠାରେ ଦୟଣା ଗଛର ସୃଷ୍ଟି ହୋଇଥିବା ଜଣାପଡିଛି। ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଦୟଣା ଗଛ ନେବା ପାଇଁ ଚେଷ୍ଟା କରିଥିଲେ । କାରଣ ଦୟଣାଗଛ ଅତୁଳନୀୟ ସୁଗନ୍ଧ। ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ପାଇଁ ଦୟଣା ଗଛ ଆଣିବା ପାଇଁ ସୁଦାମା ସୁବଳଙ୍କୁ ସାଥିରେ ଧରି ଯାଇଥିଲେ । ଶ୍ରୀକୃଷ୍ଣ ଇନ୍ଦ୍ର ଦେବଙ୍କ ସହିତ କଥା ହେଉଥିବା ବେଳେ ସୁଦାମା ସୁବଳ ଦୟଣାଚୋରୀ ଗଛ ଚୋରୀ କରି ଆଣୁଥିଲା ବେଳେ ଇନ୍ଦ୍ର ଦେବ ସୁଦାମା ସୁବଳକୁ ଧରିଥିଲେ ବୋଲି ପୁରାଣ ବର୍ଣ୍ଣିତ । ସେହିଦିନ ଠାରୁ ଦୟଣାଚୋରୀ ଯାତ୍ରା। ଯାତ୍ରା ପଡିଆରେ ଦୋଳ ବିମାନରେ ବିରାଜମାନ
କରିଛନ୍ତି ବ୍ରଜବିହାରୀ ଦେବ ଓ ବନବିହାରୀ ଦେବ।ପଡିଆରେ ମେଳିଛି ରଂଗ ବେରଙ୍ଗର ମନୁହରି ପସରା,ଜଳଖିଆ, କାଠ ଜିନିଷପତ୍ର ସହିତ ଅନ୍ୟାନ୍ୟ ଘରକରଣା ଆସବାବପତ୍ର। ଦୋଳପଡିଆରେ ବିଭିନ୍ନ ଭେରାଇଟ ଖାଦ୍ୟର ପସଲା ମେଲିଛି। ଠାକୁରଙ୍କ ଦୋଳ ବିମାନ ରଂଗ ବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳରେ ସଜେଇ ହୋଇଛି। ସ୍ଥାନାଧିପତି ବ୍ରଜବିହାରୀ ଦେବ ଓ ବନବିହାରୀ ଦେବ। ମନ୍ଦିରରୁ ବିମାନରେ ଏକ ବିରାଟ ପଟୁଆରରେ ବାହାରି ସାହି ସାହିରେ ଭୋଗ ଖାଇଥାନ୍ତି। ସୋମବାର ରାତିରେ ଦୁଇ ଠାକୁରଙ୍କୁ ବିମାନରେ ଏକ ବିରାଟ ଶୋଭାଯାତ୍ରାରେ ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ,ଚାଙ୍ଗୁ, ବାଘ ନୃତ୍ୟ,କେଳା କେଳୁଣୀ,ନାଗା ନୃତ୍ୟ, ଷଣ୍ଢ ନୃତ୍ୟ,ଘୋଡା ନୃତ୍ୟ,ପାଇକ ଆଖଡା,ଶୀବ ପାର୍ବତୀ କଳ ନୃତ୍ୟ, ପରୀ ନୃତ୍ୟ ସବୁ ସାମିଲ ହୋଇ ଗ୍ରାମ ପରିକ୍ରମା କରି ଦୋଳମଣ୍ଡପରେ ବିଜେ ହୋଇଛନ୍ତି। ହରିବୋଲ ହୁଳହୁଳି ଧୂନୀରେ ଫାଟିପଡୁଛି ମେଳଣ ପଡିଆ। ଟାଙ୍କୋଳ ଗ୍ରାମର ଯାତ୍ରା କମିଟି ସହଯୋଗ ପ୍ରତି ସାହିର ମୂରବି ଓ ସାହି ମୁଖିଆ,ଓ ଯୁବକ ଗୋଷ୍ଠୀ ସହଯୋଗଙ୍କ ରେ ଶାନ୍ତିଶୃଙ୍ଖଳାର ସହିତ ଚଳିତ ବର୍ଷ ଦୟଣା ଚୋରୀ ଯାତ୍ରା ଅନୁଷ୍ଠିତ ହେଉଛି।
ଟାଙ୍କୋଳର ପ୍ରସିଦ୍ଧ ଦୟଣା ଚୋରୀ ଦୋଳ ଯାତ୍ରା
