ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଦୁଇ ମହାପୁରୁଷଙ୍କ ଦେଶପ୍ରେମ, ଅସୀମ ପରାକ୍ରମ, ବୀରତ୍ୱ, ଦୃଢ଼ ଇଚ୍ଛାଶକ୍ତି ଓ ଉଚ୍ଚ ଆଦର୍ଶ ଅନନ୍ୟ ଓ ଅତୁଳନୀୟ

ଭୁବନେଶ୍ୱର, ୨୩/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଶସ୍ତ୍ର ସଂଗ୍ରାମ ବଳରେ ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ପାଇଁ ସୁଚିନ୍ତିତ ସଂଗ୍ରାମ କରିଥିବାବେଳେ ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କୁ ବିରୋଧ କରି ଅସୀମ ପରାକ୍ରମ ଓ ଅସାଧାରଣ ରଣକୌଶଳ ମାଧ୍ୟମରେ ବ୍ରିଟିଶ ଶାସକ ଓ ସେନାବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲେ । ନେତାଜୀଙ୍କର ଆହ୍ୱାନ ଥିଲା ‘ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ । ସେହିପରି ବୀର ସୁରେନ୍ଦ୍ର ସାଏ ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ବଶ୍ୟତା ସ୍ୱୀକାର ନକରି ଇଂଗ୍ରେଜ ଶାସନକୁ ମୁହଁତୋଡ଼ ଜବାବ୍‌ ଦେଇଥିଲେ ବୋଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଅତିଥିମାନେ ଉଲ୍ଲେଖ କରିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ମହାପୁରୁଷଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିବାକୁ ଯାଇ କହିଲେ ଯେ ଗୋଟିଏ ଦିନରେ ଦୁଇ ମହାନାୟକ ଜନ୍ମ ନେବା ଏକ ବିରଳ ସଂଯୋଗ ଥିଲା । ୧୮୫୭ ମସିହାକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଅବିହିତ କରାଯାଉଥିବାବେଳେ ତା’ର ୩୦ ବର୍ଷ ପୂର୍ବରୁ ସ୍ୱାଧୀନତା ଆନ୍ଦୋଳନର ମୂଳଦୁଆ ପଡିଥିଲା ଓଡ଼ିଶାରେ । ବ୍ରିଟିଶ ଶାସନ ବିରୁଦ୍ଧରେ ସେହି ମହାସଂଗ୍ରାମର କର୍ଣ୍ଣଧାର ଥିଲେ ବୀର ସୁରେନ୍ଦ୍ର ସାଏ । ତାଙ୍କ ସମଗ୍ର ପରିବାର ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ତାଙ୍କ ପରାକ୍ରମ ଇତିହାସରେ ବିରଳ । ଇତିହାସକାରମାନେ ଯଦି ଏହାକୁ ଉଲ୍ଲେଖ କରିଥାନ୍ତେ ତେବେ ଭାରତ ସ୍ୱାଧୀନତା ଆନ୍ଦୋଳନରେ ଓଡିଶା ସର୍ବାଗ୍ରେ ରହିଥାନ୍ତା ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ବ୍ରିଟିଶ ଶାସନର ଅନ୍ୟାୟ, ଅତ୍ୟାଚାର, ଶୋଷଣ ବିରୁଦ୍ଧରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଜର ବ୍ୟକ୍ତିଗତ ସୁଖଶାନ୍ତିକୁ ଜଳାଞ୍ଜଳି ଦେଇ ଜୀବନର ୨୩ ବର୍ଷର କର୍ମମୟ ଜୀବନକୁ ଦେଶମାତୃକାର ସେବାରେ ସମର୍ପଣ କରିଥିଲେ । ଦୁଇ ବୀର ସଂଗ୍ରାମୀ ଦେଶର ସ୍ୱାଧୀନତା ପାଇଁ ଯେଉଁ ବଳିଷ୍ଠ ନେତୃତ୍ୱ ଓ ଉଚ୍ଚ ଆଦର୍ଶ, ସାଂଗଠନିକ କ୍ଷମତା ଓ ଅବଦମିତ ଦେଶପ୍ରେମ ଓ ତ୍ୟାଗ ଦେଇ ଯାଇଛନ୍ତି ତାହା ଚିରସ୍ମରଣୀୟ ହୋଇରହିବ ବୋଲି କହିଥିଲେ ।

ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଶାସକ ତଥା ସାହିତି୍ୟକ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ଯୋଗଦେଇ ଉଭୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଦେଶପ୍ରେମ ଓ ଅସୀମ ପରାକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଜନ୍ମଭୂମିକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ବୀର ସୁରେନ୍ଦ୍ର ସାଏ ୨୦ ବର୍ଷରୁ ଊଦ୍ଧ୍ୱର୍କାଳ ସଶସ୍ତ୍ର ସଂଗ୍ରାମ କରିବା ସହ ଦୀର୍ଘ ୩୭ ବର୍ଷକାଳ କାରାଗାରରେ ବନ୍ଦୀ ଜୀବନ କଟାଇଥିଲେ । ସୁଭାଷଙ୍କ ନେତୃତ୍ୱରେ ‘ଆଜାଦ୍‌ ହିନ୍ଦ୍‌ ଫୌଜ’ ଓ ‘ଦିଲ୍ଲୀ ଚଲୋ’ ଆହ୍ୱାନ ବାସ୍ତବରେ ଅବିସ୍ମରଣୀୟ ବୋଲି କହିଥିଲେ । ଯୁବବର୍ଗ ଏହି ଯୁଗପୁରୁଷଙ୍କ ସୁଗୁଣରେ ଅନୁପ୍ରାଣିତ ହୋଇ କାର୍ଯ୍ୟକଲେ ଭାରତ ଏକ ସର୍ବଶ୍ରେଷ୍ଠ ଦେଶରେ ପରିଣତ ହୋଇପାରିବ ବୋଲି ସେ ଦର୍ଶାଇଥିଲେ ।

ସମ୍ମାନିତ ଅତିଥି ଭାବେ ଶ୍ୟାମ ପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ସମ୍ପାଦକ ଡା. ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉଭୟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମର ଏକ ତୁଳନାତ୍ମକ ବିବରଣୀ ଦେବା ସହ ସେମାନଙ୍କ ଦେଶପ୍ରେମ, ଅସୀମ ପରାକ୍ରମ, ବୀରତ୍ୱ, ଦୃଢ଼ ଇଚ୍ଛାଶକ୍ତି ଓ ଉଚ୍ଚ ଆଦର୍ଶ ଅନନ୍ୟ ଓ ଅତୁଳନୀୟ ବୋଲି କହିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି ଦୁଇ କ୍ରାନ୍ତିକାରୀ ମହାପୁରୁଷ ଭାରତ ମାଟିରେ ବିଦ୍ରୋହର ବହ୍ନି ପ୍ରଜ୍ୱଳିତ କରି ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରି ଭାରତ ଓ ଓଡିଶା ମାଟିକୁ ମହାନ କରିଛନ୍ତି ବୋଲି କହିବା ସହ ସ୍ୱାଧୀନତା ସଂଗ୍ରାମର ଏଇ ଦୁଇ ମହାନ ସେନାପତିଙ୍କ ବୀରତ୍ୱର ପଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଜୟଦେବ ଭବନ ଉପନିର୍ଦେଶକ ଦିପ୍ତିମୟୀ ମହାପାତ୍ର ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

-0-

ସରୋଜ କୁମାର ଶତପଥୀ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *