କଙ୍କଡ଼ାହାଡ ବ୍ଲକରେ କୁକୁଡ଼ା ଚାଷ କାର୍ଯ୍ୟକ୍ରମ ଉଦଘାଟିତ 

ଭୁବନ,୨୦/୦୨/୨୦୨୪ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲାର  ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ ଭାବେ ପରିଚିତ କଙ୍କଡାହାଡ ବ୍ଲକ ସଭଗୃହରେ ୬ ଦିନିଆ କୁକୁଡ଼ା ଚାଷ ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇଯାଇଛି । ଭାରତ ସରକାର ଙ୍କ  କେନ୍ଦ୍ରୀୟ କୁକ୍କୁଟ ଗବେଷଣା ବିକାଶ ସଂଗଠନ ଏବଂ ଜଗବନ୍ଧୁ ଜରାଶ୍ରମ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ରେ ଜଗବନ୍ଧୁ ଜରାଶ୍ରମର ସମ୍ପାଦକ ଆଶୁତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତିର ଯୁବକ ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବକ ଯୁବତୀ ନିଜନାମ ପଞ୍ଜିକରଣ କରି କୁକୁଡ଼ା ଚାଷ ବିଷୟରେ ଜ୍ଞାନ ଆହରଣ କରିଥିଲେ । ମୁଖ୍ୟ ଅତିଥି ଭାବେ କଙ୍କଡ଼ାହାଡ଼ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ହରେକୃଷ୍ଣ ନାୟକ, ଗୋଷ୍ଠି କାର୍ଯ୍ୟକ୍ରମ  ପରିଚାଳକ ମିଶନ ଶକ୍ତି ଅନ୍ନପୂର୍ଣ୍ଣା ସାହୁ ଏବଂ ରାମେଶ୍ୱର ମହାବିଦ୍ୟାଳୟର ଅଧକ୍ଷ ପ୍ରସନ୍ନ କୁମାର ସାହୁ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗର ଯୁବକ ଯୁବତୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ସହ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ କୁକୁଡ଼ା ଚାଷ ମାଧ୍ୟମରେ କିପରି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ସାମାଜିକ ଏବଂ ଆର୍ଥିକ ଉନ୍ନତି ଘଟିବା ସହିତ ସେମାନଙ୍କର ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ, ମତବ୍ୟକ୍ତ କରିଥିଲେ ।  ଏହି କାର୍ଯ୍ୟକ୍ରମକୁ ଆନ୍ତର୍ଜାତିକ ପର୍ବତରୋହୀ ଏବଂ ରାଜ୍ୟ ପ୍ରକଳ୍ପ ସଂଯୋଜିକା ସୁଶ୍ରୀ ବିଭାରାଣୀ ପାତ୍ର ପରିଚାଳନା କରିଥିଲେ । ସମାଜସେବୀ ପ୍ରଦୀପ୍ତ କୁମାର ବେହେରା ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *