ଢ଼େଙ୍କାନାଳରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଷ୍ଠିତ

ଭୁବନ,୧୫/୦୧/୨୦୨୫ (ଓଡ଼ିଶା ସମାଚାର)-ଜନସେବା ଦିବସ ଅବସରରେ ଆଜି ପୂର୍ବାହ୍ନରେ ଢେଙ୍କାନାଳ ପୁରଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୮୦% ବା ତଦୁର୍ଦ୍ଧ୍ଵ ଭିନ୍ନକ୍ଷମଙ୍କୁ ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କା ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚ଼ନ୍ଦ୍ର ପାତ୍ର ଯୋଗ ଦେଇ, ସରକାର ପ୍ରତିଶୃତି ସ୍ୱରୂପ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ଭତ୍ତା ପ୍ରଦାନ ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ହିତାଧିକାରୀମାନେ ବିଶେଷ ଭାବରେ ଲାଭାନ୍ୱିତ ହେବେ । ସରକାର ଗରିବ ଓ ଭିନ୍ନ କ୍ଷମ ମାନଙ୍କ ପାଇଁ ଯନବାନ୍ ଅଛନ୍ତି । ସମସ୍ତ ହିତାଧିକାରୀଙ୍କୁଏହି ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବ,ଯେଉଁ ମାନେ କାର୍ଯ୍ୟାଳୟକୁ ଆସି ପାରିବେ ନାହିଁ, ସେମାନଙ୍କ ଘରେ ନେଇଏହି ଉତ୍ତା ପ୍ରଦାନ କରାଯିବ । ଏହି ବର୍ଦ୍ଧିତ ଭତ୍ତାରାଶି ସେମାନଙ୍କର ଦୈନନ୍ଦିନ ଖର୍ଚ୍ଚ ଭରଣାରେ ବିଶେଷ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।  ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନରେଶ ଚନ୍ଦ୍ର ସ୍ୱାଇଁ ପ୍ରାରମ୍ଭିକ ସୂଚ଼ନା ପ୍ରଦାନ କରିଥିଲେ। ଏହି ମଧୁବାବୁ ଭତ୍ତା ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ଭୁବନ ବ୍ଲକର ୧୩୮୧, ଢ଼େଙ୍କାନାଳ ସଦରର ୧୧୫୧, ଗଁଦିଆର ୩୫୪, ହିନ୍ଦୋଳ ର ୯୨୩, କାମାକ୍ଷାନଗରର ୨୨୦୩, କଙ୍କଡ଼ାହାଡ଼ର ୯୫୫, ଓଡ଼ାପଡ଼ାର ୯୨୭, ପରଜଙ୍ଗର ୨୬୧୧, ଭୁବନଏନ.ଏ.ସି.ର ୩୦୮, ଢ଼େଙ୍କାନାଳ ପୌରାଞ୍ଚଳର ୨୭୪, ହିନ୍ଦୋଳ ଏନ.ଏ.ସି.ର ୯୦ ଏବଂ କାମାକ୍ଷାନଗର ଏନ୍.ଏ.ସି.ର ୨୧୬ ଜଣ ଏହିପରି ମୋଟ ୧୧୩୯୩ଙ୍କୁ ଏହି ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ହିତାଧିକାରୀ ମାନଙ୍କୁଏହି ବର୍ଦ୍ଧିତ ଭତ୍ତା ପ୍ରଦାନ କରିଥିଲେ । ଏହି ସମାରୋହରେ ପୌରଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚ଼ନ୍ଦ୍ର ସେଠୀ ଙ୍କ ସମେତ ପୌର ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଶତାଧିକ ହିତାଧିକାରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *