ବ୍ରିଟିଶ୍ ଉପନିବେଶବାଦ ବିରୁଦ୍ଧରେ ଏକାଠି ହେଲେ ପୂର୍ବ-ସୈନିକ ସଂଘ।

ଭୁବନେଶ୍ୱର, ୧୪/୦୧/୨୦୨୫ (ଓଡ଼ିଶା ସମାଚାର)-  ଆଜି ପବିତ୍ର ମକର ସଂକ୍ରାନ୍ତି ପର୍ବ ଅବସରରେ ସାରାଦେଶରେ ଉତ୍ସବର ବାତାବରଣ ଭିତରେ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ନିଜ ଜୀବନର ସର୍ବଶ୍ରେଷ୍ଠ ସମୟକୁ ଉତ୍ସର୍ଗ କରି ଦେଶମାତୃକାର ସେବା କରିଥିବା ପୂର୍ବ ସୈନିକ ଓ ଅବସରପ୍ରାପ୍ତ ଅଫିସରଙ୍କ ଉଦ୍ଦେଶ୍ୟରେ “ଭେଟେରାନ୍ସ ଡେ” ପାଳନ କରାଯାଉଥିବାବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଚିତ୍ର। ରାଜ୍ୟ ସୈନିକ ବୋର୍ଡ ଓ ଜିଲ୍ଲା ସୈନିକ ବୋର୍ଡ ଆଦି ପୂର୍ବ ସୈନିକ ମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ସରକାରୀ ସଂସ୍ଥା ମାନଙ୍କରେ ବ୍ରିଟିଶ୍ ଉପନିବେଶବାଦ ହଟାଇବା ଲାଗି ଏକାଠି ହୋଇଥିଲେ ଅନେକ ପୂର୍ବ-ସୈନିକ ମାନଙ୍କ ସଙ୍ଗଠନ ମୁଖ୍ୟମାନେ। ରାଜଧାନୀରେ ଧାରଣା ସ୍ଥଳ ଭାବରେ ପରିଚିତ ଲୋୟର ପି.ଏମ୍.ଜି ଠାରେ ଆଜି ଦିନରେ ଏକାଠି ହୋଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ପୂର୍ବ ସୈନିକମାନେ। ସେମାନଙ୍କ ସିଧାସଳଖ ଅଭିଯୋଗ ଥିଲା ରାଜ୍ୟ ସୈନିକ ବୋର୍ଡ ସେକ୍ରେଟାରୀ ଅବସରପ୍ରାପ୍ତ କମୋଷ୍ଡ଼ୋ ଘନଶ୍ୟାମ ଓଝାଙ୍କ ବିରୁଦ୍ଧରେ ଯେ ଆଜିର “ଭେଟେରାନ୍ସ ଡେ” ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ଆସିଥିବା ଆଠ ଲକ୍ଷ ଟଙ୍କାର ସହଯୋଗ ରାଶିରୁ ସ୍ୱଳ୍ପ କିଛିଟଙ୍କାରେ ସେମାନଙ୍କ ସହଯୋଗୀ ଅଧିକାରୀ ମାନଙ୍କ ସହ ମିଶି ଲୋକଦେଖାଣିଆ ଭାବରେ କାର୍ୟ୍ୟକ୍ରମ ସାରି ବଳକା ବୃହତ୍ ଅଂଶ ହଡ଼ପ କରିନେବେ। ଏଭଳି ସଙ୍ଗୀନ ଅଭିଯୋଗ ସହ ସେମାନେ ରାଜ୍ୟ ସୈନିକ ବୋର୍ଡ ଜରିଆରେ ଚାଲିଥିବା ବ୍ରିଟିଶ୍ ଉପନିବେଶବାଦ ବିରୁଦ୍ଧରେ ଏକାଠି ସଂଗ୍ରାମ କରିବାପାଇଁ ସମସ୍ତ ପୂର୍ବ ସୈନିକମାନଙ୍କୁ ଆହ୍ବାନ କରିଛନ୍ତି।ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ସମୟରେ ସୈନିକମାନଙ୍କୁ ସମ୍ମାନର ସହ ଉତ୍ସାହିତ କରୁଥିବାବେଳେ ଓଡ଼ିଶାର ସୈନିକ ଅଧିକାରୀମାନେ ବ୍ରିଟିଶ ଢ଼ାଂଚାର ବ୍ୟବହାର ଛାଡ଼ିପାରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ ଭେଟେରାନ୍ ଅଜୟ କୁମାର ନାୟକ।ରାଜ୍ୟ ସୈନିକ ବୋର୍ଡ ପୂର୍ବ ସୈନିକମାନଙ୍କ ପାଇଁ ଏକ କଲ୍ୟାଣକାରୀ ସଂସ୍ଥା ହୋଇଥିଲାବେଳେ ସେଠାରେ ଜଣେ ଅବସରପ୍ରାପ୍ତ ଅଫିସର ସେକ୍ରେଟାରୀ ଭାବରେ ନିଯୁକ୍ତ ହେବା ଅସଙ୍ଗତ ଏବଂ ସୈନିକ ମାନଙ୍କ ପ୍ରତି ଅନ୍ୟାୟ। ସେ ଅଧିକାରୀଙ୍କ ଉପରେ ସୈନିକମାନେ ଆଦୌ ଭରସା କରନ୍ତିନାହିଁ ଏବଂ ସେମାନେ କେବେବି ସୈନିକ ମାନଙ୍କର ଶୁଭଚିନ୍ତକ ନୁହଁନ୍ତି ବୋଲି ସେ ସ୍ପଷ୍ଟଭାବରେ କହିଥିଲେ।ଉତ୍କଳ ସେବା ନିବୃତ୍ତ ସେନାନୀ ଆସୋସିଏସନ୍ ସଭାପତି ଭେଟେରାନ୍ କରୁଣାକର ନାଥ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାରେ ଏହି ଅଧିକାରୀଗଣ ପ୍ରତିବନ୍ଧକ ହୋଇ ସମସ୍ତପ୍ରକାର ଅନୈତିକ କାର୍ୟ୍ୟ କରିଥାନ୍ତି। ନିକଟରେ ଭରତପୁର ଘଟଣାରେ ଜଡ଼ିତ ଜଣେ ବିବାଦୀୟ ରିଟାର୍ଡ ବ୍ରିଗେଡିଅର୍କ୍ରାଇମ୍ବ୍ରାଞ୍ଚ ଅଧୀନରେ ଚାଲିଥିବା ବିଚାର ବିଭାଗୀୟ ତଦନ୍ତ ପରିସରଭୁକ୍ତ ଥିବାବେଳେ ତାଙ୍କୁ ଏହି “ଭେଟେରାନ୍ସ ଡେ” ପାଳନ କରିବାପାଇଁ ମୁଖ୍ୟଦାୟିତ୍ଵ ଦେବା ପଛରେ ରାଜ୍ୟ ସୈନିକବୋର୍ଡ ସେକ୍ରେଟାରୀଙ୍କ କି ପ୍ରକାର ସ୍ବାର୍ଥ ରହିଛିବୋଲି ସେ ପ୍ରଶ୍ନକରିଛନ୍ତି।ଏଭଳି ଜଣେ କୁତ୍ସିତ ମାନସିକତାର ଅଧିକାରୀଙ୍କୁ ତୁରନ୍ତ ରାଜ୍ୟ ସୈନିକ ବୋର୍ଡର ସେକ୍ରେଟାରୀ ଭଳି ଦାୟିତ୍ୱରୁ ମୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।ରାଜ୍ୟରେ ୫୬ହଜାରରୁ ଉର୍ଦ୍ଧ୍ବ ପୂର୍ବ ସୈନିକମାନଙ୍କ ପରିବାର ବସବାସ କରୁଥିବାବେଳେ ମାତ୍ର କିଛି ତୋଷାମଦକାରୀ ଓ ଅଫିସର ପରିବାରଙ୍କୁ ଧରି ରାଜଧାନୀରେ “ଭେଟେରାନ୍ସ ଡେ” ନାଁରେ ଆସିଥିବା ସରକାରୀ ଅର୍ଥ ଆତ୍ମସାତ କରିନେବା ଏବଂ ପୂର୍ବ ସୈନିକମାନଙ୍କୁ ଏ ଆୟୋଜନରେ ସାମିଲ ହେବାପାଇଁ ସାମାନ୍ୟ ସୂଚନା ନଦେବା ଏକ ଅସାମାନ୍ୟ ଅପରାଧ ବୋଲି କହିଛନ୍ତି ଭେଟେରାନ୍ ଅଶୋକ କୁମାର ଜେନା। କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ପୂର୍ବ ସେନାନୀ ସଂଘର ଉପସଭାପତି ହରପ୍ରସାଦ ଦୋରା, ଭେଟେରାନ୍ସ କ୍ଳବ୍ ଓଡ଼ିଶା ସଭାପତି ଭେଟେରାନ ବିଦ୍ୟାଧରନାୟକ, ପ୍ରଦୀପ କୁମାର ସ୍ୱାଇଁ, କିଶୋର ଚନ୍ଦ୍ର ମହାରଣା, ଭାଗବତ ପରିଡ଼ା, ବିପିନବିହାରୀ ମୁଦୁଲି, ରମେଶ ଚନ୍ଦ୍ର ମିଶ୍ର, ମହେଶ୍ୱର ଦିକ୍ଷୀତ, ଅଲେଖ ଚରଣ ଭୋଇ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *