କେନ୍ଦ୍ରାପଡ଼ା, ୧୪/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହରର ଗୋବରୀ ନଦୀ ବାଇପାସ ରାସ୍ତାକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାର ଅଧିକାଂଶ ଅଂଶ ଏବେ ଜବରଦଖଲରେ ଥିବା ଦେଖିବାକୁ ମିଳିଛି । କେତେକ ଦୁଇଚକିଆ ଗାଡି ଗ୍ୟାରେଜ ବାଲା ଏହି ଫୁଟ୍ ପାଥ ଉପରେ ଭଙ୍ଗାଦଦରା ଗାଡି ସବୁ ଗଦେଇ ରଖିଥିବା ବେଳେ ଅନ୍ୟ କେତେକ କବାଡ଼ିଆ ବେପାରୀ ଏଠାରେ ବିଭିନ୍ନ ପ୍ରକାରର ସାମଗ୍ରୀ ଗଦା କରି ବ୍ୟବସାୟ କରୁଛନ୍ତି । ଏହାଦ୍ୱାରା ଏହି ଅଂଚଳର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନଷ୍ଟ ହୋଇଯାଇଛି । ସେହିପରି ଫୁଟ୍ ପାଥରେ ଲୋକମାନେ ଚାଲି ଚାଲି ଯିବା ଆସିବା କରିବା ସହ ଅବସର ବିନୋଦନ ପାଇଁ ବ୍ୟବସ୍ଥା ହୋଇଥିଲା । ହେଲେ ଫୁଟ୍ ପାଥରେ କବାଡିଆ ବେପାରୀ ବିଭିନ୍ନ ପ୍ରକାରର ସାମଗ୍ରୀ ଗଦା କରି ରଖିଥିବାରୁ ଯିବା ଆସିବା କରିବା ସମ୍ଭବପର ହେଉନାହିଁ । ଫଳରେ ସରକାରୀ ଅର୍ଥ ପାଣିରେ ପଡିଲା ବୋଲି ଅଭିଯୋଗ ହୋଇଛି । ସୂଚନା ଥାଉକି ଦୁଇ ବର୍ଷ ତଳେ ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଗୋବରୀ ନଦୀର ଗୋଟିଏ ପାଶ୍ୱର୍କୁ ପୂର୍ତ ବିଭାଗ ପକ୍ଷରୁ ସୌନ୍ଦର୍ଯ୍ୟକରଣ କରାଯାଇଥିଲା । ଏହି ଅର୍ଥରେ ନଦୀ ପାଶ୍ୱର୍ରେ ଫେବର ବ୍ଲକ ଫୁଟ୍ ପାଥ ନିର୍ମାଣ କରାଯାଇଥିଲା । ଏଥିସହ ସୁନ୍ଦର ଆଲୋକୀକରଣ ମଧ୍ୟ କରାଯାଇଥିଲା । ଲକ୍ଷ୍ୟ ରହିଥିଲା ସହରବାସୀ ସନ୍ଧ୍ୟା ସମୟରେ ଗୋବରୀ ନଦୀ କୂଳରେ ବୁଲାବୁଲି କଲେ ସେମାନଙ୍କ ମାନସିକ ଅବସ୍ଥାରେ ଉନ୍ନତି ଘଟିବ । ଲୋକେ ନଦୀକୂଳରେ କିଛି ସମୟ ବିତାଇଲେ ସେମାନଙ୍କ ମନ ହାଲୁକା ହେବ । ରକ୍ଷଣାବେକ୍ଷଣା ଦାୟିତ୍ୱ ରହିଥିଲା ପୌରପାଳିକାର । କିନ୍ତୁ ଏବେ ସୌନ୍ଦର୍ଯ୍ୟକରଣ ସ୍ଥାନକୁ କେତେକ ବ୍ୟବସାୟୀ ଜବରଦଖଲ କରି ରଖିଛନ୍ତି । ଏ ନେଇ ପୌରପାଳିକା ପକ୍ଷରୁ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହା ଫଳରେ ନିର୍ଭିକ ଭାବେ ବ୍ୟବସାୟୀମାନେ ସରକାରୀ ଜାଗାକୁ ଜବରଦଖଲ କରିଛନ୍ତି । ଏହାଦ୍ୱାରା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନଷ୍ଟ ହେବାରେ ଲାଗିଛି । ଏ ନେଇ ସମାଜସେବୀ ରମଣୀରଞ୍ଜନ ରାଉତରାୟ କହିଛନ୍ତି ସରକାର ଯେଉଁ ଯୋଜନା କରନ୍ତି ତାହା ଲୋକଙ୍କ ପାଇଁ । ଗଣତନ୍ତ୍ର ହେଉଛି ଲୋକଙ୍କ ସରକାର । ଗଣତନ୍ତ୍ରର ପ୍ରକୃତ ମାଲିକ ହେଉଛନ୍ତି ଜନତା । ତେଣୁ ସାଧାରଣ ଜନତା ସରକାରୀ ସମ୍ପତିର ରକ୍ଷଣାବେକ୍ଷଣା କରିବାର ମାନସିକତା ଆପଣାଇବା ଉଚିତ । ହେଲେ ଏ କ୍ଷେତ୍ରରେ ସାଧାରଣ ଜନତା ସରକାରୀ ସମ୍ପତିକୁ ନଷ୍ଟ କରୁଛନ୍ତି । ଏହି ମାନସିକତାରୁ ସେମାନେ କ୍ଷାନ୍ତ ରହିବା ଉଚିତ । ଏ ଦେିଗରେ ପୌରପାଳିକା କଠୋର ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ଏ ସଂକ୍ରାନ୍ତରେ ପୌରପାଳିକାର ନିର୍ବାହୀ ଅଧିକାରୀ ଆଶୁତୋଷ ଗøରବ କରଙ୍କୁ ପଚାରିବାରୁ ସେ କହିଲେ ଏ ନେଇ ସେ ବ୍ୟକ୍ତିଗତ ଭାବେ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବେ । ପ୍ରଥମେ ବ୍ୟବସାୟୀମାନଙ୍କୁ ସଚେତନ କରିବେ । ଯଦି ସେମାନେ ନିୟମ ନ ମାନନ୍ତି ତାହା ହେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କବାଡିଆ ବେପାରୀଙ୍କ କବଜାରେ ଫୁଟ୍ ପାଥ
