ପ୍ରବାସୀ ଓଡ଼ିଆଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ମତ ବିନିମୟ

ପ୍ରବାସୀ ଓଡ଼ିଆଙ୍କ ଉଦ୍ୟମରେ ୨୦୩୬ରେ ବିଶ୍ୱର ‘ହାପେନିଂ ପଏଣ୍ଟ୍’ ହେବ ଓଡ଼ିଶା- ଧର୍ମେନ୍ଦ୍ର ପ୍ରଧାନ

  • ପ୍ରବାସୀ ଓଡ଼ିଆମାନେ ଓଡ଼ିଆ ଜାତି, ସଭ୍ୟତା, ସଂସ୍କୃତି, ସଂଭ୍ରମତାର ଜୀବନ୍ତ ପ୍ରତୀକ
  • ଓଡ଼ିଶାକୁ ବୈଶ୍ୱିକ ସ୍ତରକୁ ନେବା ପାଇଁ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମବିଶ୍ୱାସୀ ହେବାର ସଂକଳ୍ପ ନେବା ପାଇଁ ପ୍ରବାସୀ ଓଡ଼ିଆଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ
  • ଓଡ଼ିଶା ପ୍ରତି ଅମାପ ଆବେଗ ଓ ମମତା ଥିବା କାରଣରୁ ପ୍ରବାସୀ ଓଡ଼ିଆମାନେ ପ୍ରବାସୀ ଭାରତୀୟ ଦିବସରେ ସାମିଲ ହୋଇଇଥିବାରୁ ଧନ୍ୟବାଦ
  • ବୌଦ୍ଧିକ ମାନବ ସମ୍ବଳ ଓଡ଼ିଶାର ବଡ଼ ସମ୍ପତ୍ତି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରବାସୀ ଓଡ଼ିଆ
  • ମନ୍ଦିର ମାଳିନୀ ସହର ଭୁବନେଶ୍ୱର ହେଉ କିମ୍ବା କଳା ଓ ସଂସ୍କୃତିର ଭୂମି ସମ୍ବଲପୁର ଅବା କଳାହାଣ୍ଡି, ସବୁଠି ହଜାର ହଜାର ବର୍ଷର ଇତିହାସ ଓ କୀର୍ତ୍ତିରାଜି ଅଛି
  • ଯେଉଁ ଓଡ଼ିଶାର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ରାଜ୍ୟରେ ହଜାର ହଜାର ବର୍ଷର ରକ୍ ଆର୍ଟ ଅଛି, ମହିମା ଧର୍ମର ଦାର୍ଶନିକ ମୂଲ୍ୟବୋଧ ରହିଛି, ସେହି ସମାଜର ବିଚାର ଓ ବାର୍ତ୍ତାକୁ ବିଶ୍ୱରେ ପହଞ୍ଚାଇବା
  • କନ୍ଧମାଳର ହଳଦୀ, କୋରାପୁଟର ଆମ୍ବ, ହୀରାକୁଦର ମାଛକୁ ବିଦେଶରେ ପହଞ୍ଚାଇବା ପାଇଁ ଦାୟିତ୍ୱ ନେବା

ଭୁବନେଶ୍ୱର,୧୦/୦୧/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶାର ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆମେ ନିଜେ ଏବଂ ଅନ୍ୟମାନଙ୍କୁ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମବିଶ୍ୱାସୀ ହେବାର ସଂକଳ୍ପ କରାଇଲେ ହିଁ ଓଡ଼ିଶାର ପରିଚୟ ବିଶ୍ୱ ଦରବାରରେ ବଢିବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅବସରରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ୨୦୩୬ରେ ପ୍ରବାସୀ ଓଡ଼ିଆଙ୍କ ଉଦ୍ୟମରେ ଓଡ଼ିଶା ବିଶ୍ୱର ‘ହାପେନିଂ ପଏଣ୍ଟ୍’ ହେବ ବୋଲି ସେ କହିଛନ୍ତି ।

ପ୍ରବାସୀ ଭାରତୀୟ ସମାରୋହରେ ପ୍ରବାସୀ ଓଡ଼ିଆଙ୍କ ଯୋଗଦାନକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ସମ୍ମେଳନରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବା ମୋ ପାଇଁ ଏକ ଆନନ୍ଦର କ୍ଷଣ । ଦେଶ ହେଉ କି ବିଦେଶରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମନରେ ଆତ୍ମସନ୍ତୋଷ ଆସେ । ବାହାରେ ଓଡ଼ିଶାର ପର୍ବ ପର୍ବାଣୀ ପାଳନ କରିବା ସହ ନୈସର୍ଗିକ ବିପତ୍ତି ସମୟରେ ପ୍ରବାସୀ ଓଡ଼ିଆମାନେ ସହଯୋଗର ହାତ ବଢାଇଛନ୍ତି । ଓଡ଼ିଶା ପ୍ରତି ଅମାପ ଆବେଗ ଓ ମମତା ଥିବା କାରଣରୁ ପ୍ରବାସୀ ଓଡ଼ିଆମାନେ ପ୍ରବାସୀ ଭାରତୀୟ ଦିବସରେ ସାମିଲ ହୋଇ ଏହି ଐତିହାସିକ କାର୍ଯ୍ୟକ୍ରମକୁ କେବଳ ସଫଳ କରିନାହାନ୍ତି ବରଂ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନରେ ନିଜର ଯୋଗଦାନ ଦେବା ପାଇଁ ଆଗଭର ହୋଇଛନ୍ତି । ଓଡ଼ିଆ ଆବେଗକୁ ଏକ ଢାଞ୍ଚାରେ ପରିବର୍ତ୍ତନ କରିବାରେ ପ୍ରବାସୀଙ୍କ ଯୋଗଦାନ ରହିବ ।

ଓଡ଼ିଶାରେ କାଶ୍ମୀରରୁ କନ୍ୟାକୁମାରୀ ଭଳି ସମସ୍ତ ଜିନିଷ ଉପଲବ୍ଧି ଅଛି । ଓଡ଼ିଶା କେବଳ ସୁଦୀର୍ଘ ବେଳାଭୂମି, ଖଣିଜ ସମ୍ପଦ, ଜଙ୍ଗଲ, ଉର୍ବର ଜମି ଏବଂ କଳା ଓ ସଂସ୍କୃତିର ବୈଭବରେ ପରିପୂର୍ଣ୍ଣ ନୁହେଁ, ବୌଦ୍ଧିକ ମାନବ ସମ୍ବଳ ଓଡ଼ିଶାର ବଡ଼ ସମ୍ପତ୍ତି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରବାସୀ ଓଡ଼ିଆ । ଅନେକ ପ୍ରବାସୀ ଓଡ଼ିଆ ଭାଷାରେ ପାଠ ପଢି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ପ୍ରବାସୀ ଓଡ଼ିଆମାନେ ଓଡ଼ିଆ ଜାତି, ସଭ୍ୟତା, ସଂସ୍କୃତି, ସଂଭ୍ରମତାର ଜୀବନ୍ତ ପ୍ରତୀକ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମନ୍ଦିର ମାଳିନୀ ସହର ଭୁବନେଶ୍ୱର ହେଉ କିମ୍ବା କଳା ଓ ସଂସ୍କୃତିର ଭୂମି ସମ୍ବଲପୁର ଅବା କଳାହାଣ୍ଡି, ସବୁଠି ହଜାର ହଜାର ବର୍ଷର ଇତିହାସ ଓ କୀର୍ତ୍ତିରାଜି ଅଛି । ଓଡ଼ିଶାରେ କୀର୍ତ୍ତିରାଜିର ବୈଭବ କୌଣସି ଗୁଣରେ କମ ନାହିଁ । ଯେଉଁ ଓଡ଼ିଶାର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ରାଜ୍ୟରେ ହଜାର ହଜାର ବର୍ଷର ରକ୍ ଆର୍ଟ ସଂରକ୍ଷିତ ଅଛି, ମହିମା ଧର୍ମର ମହାନ ଦାର୍ଶନିକ ମୂଲ୍ୟବୋଧ ରହିଛି, ସେହି ସମାଜର ବିଚାର ଓ ବାର୍ତ୍ତାକୁ ବିଶ୍ୱରେ ପହଞ୍ଚାଇବା ପାଇଁ ପ୍ରବାସୀ ଓଡ଼ିଆଙ୍କୁ ଦାୟିତ୍ୱ ନେବାକୁ ହେବ । ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ ।

 ଯେତେବେଳେ ଆମ ରାଜ୍ୟ ଓଡ଼ିଶା ୨୦୩୬ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବାକୁ ଯାଉଛି, ସେହି ସମୟରେ ଓଡ଼ିଶାର ବୈଶ୍ୱିକ ପରିଚୟକୁ ଆଗକୁ ବଢାଇବାର ଦାୟିତ୍ୱ ନେବା ସହ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ପାଇଁ ସଂକଳ୍ପ ନେବାକୁ ହେବ । ୨୦୩୬ରେ ଓଡ଼ିଶାକୁ ବିଶ୍ୱର ‘ହାପେନିଂ ପଏଣ୍ଟ୍’ ବନାଇବା ପାଇଁ ହେବ । ବର୍ତ୍ତମାନ ସମୟରେ ପରିବର୍ତ୍ତିତ ଯୁଗରେ ଓଡ଼ିଶାର କୃଷି ଉତ୍ପାଦିତ ଓ ଅନ୍ୟାନ୍ୟ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ହେବ । କନ୍ଧମାଳର ହଳଦୀ, କୋରାପୁଟର ଆମ୍ବ, ହୀରାକୁଦର ମାଛକୁ ଦୁବାଇ, ସିଙ୍ଗାପୁର ଓ ଲଣ୍ଡନରେ ପହଞ୍ଚାଇବାକୁ ହେବ । ଚାକିରି ଅନ୍ୱେଷଣରେ ନ ହୋଇ ଚାକିରି ଦାତା ହେବା ପାଇଁ ପଡିବ । ଏକବିଂଶ ଶତାବ୍ଦୀରେ ଆମେ ନିଜେ ଏବଂ ଅନ୍ୟମାନଙ୍କୁ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମବିଶ୍ୱାସୀ ହେବାର ସଂକଳ୍ପ କରାଇଲେ ହିଁ ଓଡ଼ିଶାର ପରିଚୟ ବିଶ୍ୱ ଦରବାରରେ ବଢିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *