ନିମାପଡା,୦୩/୦୪/୨୦୨୬ (ଓଡ଼ିଶା ସମାଚାର)- ନିମାପଡ଼ାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଯୁବ ବିକାଶ ପରିଷଦ ଓ ଶ୍ରୀ ଗଣେଶ ଏକାଡେମୀର ମିଳିତ ଆୟୋଜନରେ ସ୍ୱାଭିମାନର ସ୍ୱର,ଅଭିମାନର କାହାଣୀ ଉତ୍କଳ ଦିବସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶ୍ରୀମୁଖ ବଜାରସ୍ଥିତ ଦୁର୍ଗାମଣ୍ଡପ ପଡ଼ିଆରେ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟଅତିଥି ଭାବେ ଶିକ୍ଷକ ନେତା ମାଧବ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ କୁଶଭଦ୍ରା-ଧନୁଆଁ ନଦୀ ପୁନଃରୁଦ୍ଧାର କମିଟିର ଉଦ୍ୟୋକ୍ତା ବିପିନ ମହାନ୍ତି, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ କାର୍ତ୍ତିକ ସ୍ୱାଇଁ, ବରିଷ୍ଠ ଶିକ୍ଷାବିତ୍ ଶରତ କୁମାର ସେନାପତି, ଯୁବ ଶିକ୍ଷାବିତ୍ ମାନସ ରଞ୍ଜନ ସ୍ୱାଇଁ, ପ୍ରେସକ୍ଲବ ସଭାପତି ଅକ୍ଷୟ କୁମାର ବେହେରା, ସାମ୍ବାଦିକ ସଞ୍ଜୟ ପତି ପ୍ରମୁଖ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ବନ୍ଧୀୟ ବିଶେଷ ଆଲୋକପାତ କରିଥିଲେ। ଓଡ଼ିଆର ସ୍ୱାଭିମାନ ପ୍ରଭୁ ଜଗନ୍ନାଥ ଭାଇଚାରାର ଶିକ୍ଷା ଦେଇଥାନ୍ତି।
ଉତ୍କର୍ଷ କଳାର ଦେଶ ବୋଲି ଓଡ଼ିଶାକୁ ଉତ୍କଳ କୁହାଯାଇଥାଏ ବୋଲି ଅତିଥିମାନେ କହିଥିଲେ। ଯୁବବିକାଶ ପରିଷଦର ସଭାପତି ନିରଞ୍ଜନ ସାହୁ, ଉପସଭାପତି ବିକାଶ ଚନ୍ଦ୍ର ବାରିକ, ସମ୍ପାଦକ ଚନ୍ଦ୍ରକାନ୍ତ ବରାଳ, ସହ ସମ୍ପାଦକ ଦର୍ପ ନାରାୟଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ଶ୍ରୀ ଗଣେଶ ଏକାଡେମୀର ଛାତ୍ରଛାତ୍ରୀମାନେ ଓଡ଼ିଶା ରାଷ୍ଟ୍ର ବନ୍ଦନା ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହି ଅବସରରେ ନିର୍ଭୀକ ସମ୍ବାଦ ପରିବେଷଣ କରୁଥିବା ନିମାପଡ଼ା, ଗୋପ ଅଞ୍ଚଳର ସାମ୍ବାଦିକ ବନ୍ଧୁ ଏବଂ ବିତରକ ବନ୍ଧୁମାନଙ୍କୁ ଉତ୍ତରୀ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୁନିକୁନି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଶ୍ରୀଗଣେଶ ଏକାଡେମୀର ଛାତ୍ରଛାତ୍ରୀମାନେ ଉତ୍କଳୀୟ ପରମ୍ପରାକୁ ଆଧାର କରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
