କଟକ, ୦୯/୦୧/୨୦୨୫ (,ଓଡିଶା ସମାଚାର /ଅଭୟ ଜେନା ) -କଟକ ଜଗତପୁର ଥାନା ଅନ୍ତର୍ଗତ ଖଇରା ପୋଲ ନିକଟରେ ଥିବା ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମକ ଟାୟାର ଗୋଦାମ ରେ ରଖାଯାଇଥିବା ଟାୟାର ଅସଲି ହେଲେହେଁ ବ୍ରାଣ୍ଡ ସବୁ ନକଲି। ଦୀର୍ଘଦିନ ଧରି ବିଭିନ୍ନ ନାମୀ କମ୍ପାନୀ ର ନାମରେ ନକଲି ସାଇକେଲ ଓ ବାଇକ୍ ଟାୟାର ଗୁଡ଼ିକୁ ବିକ୍ରି ପାଇଁ ବିଭିନ୍ନ ଦୋକାନ ମାନଙ୍କୁ ପଠାଯାଉଥିଲା । ବିଶେଷ କରି ଗ୍ରାମାଞ୍ଚଳ ମାନଙ୍କରେ ଥିବା କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଟାୟାର ଗୁଡ଼ିକୁ ପଠାଯାଉଥିବା ସହ ନାମୀଦାମୀ କମ୍ପାନୀ ର ଟାୟାର କୁ ଅଧା ଦାମ ରେ ବିକ୍ରି କରାଯାଉଥିଲା। ଯେତେବେଳେ ହିନ୍ଦୁସ୍ଥାନ ଟାୟାର କର୍ତ୍ତୃପକ୍ଷ ଏହି ନକଲି ଟାୟାର ଗୋଦାମ ସମ୍ପର୍କରେ ସୂଚନା ପାଇଥିଲେ , ସେ ସମୟରେ ଜଗତପୁର ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ପୁରା ଫିଲ୍ମ ଷ୍ଟାଇଲ ରେ ଏହି ଗୋଦାମ ରେ ଚଢାଉ କରିବା ସହ ହିନ୍ଦୁସ୍ଥାନ ଟାୟାର ନାମରେ ନକଲି ବ୍ରାଣ୍ଡ ର ଷ୍ଟିକର ଲାଗିଥିବା ଟାୟାର ଗଚ୍ଛିତ ରଖାଯାଇଥିବା ଜଣାପଡିଥିଲା । ଏହାପରେ ସଂପୂର୍ଣ୍ଣ ଗୋଦାମ କୁ ଯାଞ୍ଚ କରିବା ସହ ଟାୟାର , କାଗଜପତ୍ର କୁ ଜବତ୍ କରି ଗୋଦାମ ର କର୍ମଚାରୀ ଙ୍କୁ ମଧ୍ୟ ଅଟକ ରଖିଛି। ହିନ୍ଦୁସ୍ଥାନ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଅଭିଯୋଗ ଆଧାରରେ ପୋଲିସ ଚଢାଉ କରିବା ସହ ଗୋଦାମ ସିଲ୍ କରିଥିଲା । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି । ଘଟଣାର ତଦନ୍ତ ଚାଲିଥିବା ବେଳେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି , ପୋଲିସ ତାହାର ଖୋଳ ତାଡ଼ କରୁଛି ।