ଭୁବନେଶ୍ୱର,୦୬/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ୩୫ତମ କୋଣାର୍କଉତ୍ସବ ଓ ୧୪ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ଏହି ପଞ୍ଚଦିବସିୟ କାର୍ଯ୍ୟକ୍ରମରେ ପ୍ରତି ଦିନ ରାଜ୍ୟ ତଥା ଦେଶବିଦେଶର ବହୁ ସ୍ୱନାମଧନ୍ୟ କଳାକାର ସେମାନଙ୍କର ନୃତ୍ୟ, ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବ୍ଲାକ୍ ପାଗୋଡ଼ା ଭାବେ ପରିଚିତ ଓଡ଼ିଶାର ଗୌରବମୟ ସ୍ଥାପତ୍ୟର ଅନନ୍ୟ ଦୃଷ୍ଟାନ୍ତ କୋଣାର୍କଠାରେ ଆୟୋଜିତ ଏହି ଉତ୍ସବ ଓଡ଼ିଶାର ଅସ୍ମିତା ଓ ପରିଚିତିକୁ ଦେଶବିଦେଶରେ ଉପସ୍ଥାପନ କରିବା ଦିଗରେ ମହାନ ଅବସର ପ୍ରଦାନ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କୋଣାର୍କ ଉତ୍ସବକୁ ରାଜ୍ୟର ସାଂସ୍କୃତିକ ମାନଚିତ୍ରରେ ଏକ ଉଜ୍ଜ୍ୱଳ ତାରକା ବୋଲି ଉଲ୍ଲେଖ କରିବା ସହ ଏହି ଉତ୍ସବର ସଫଳତା ପାଇଁ ପର୍ଯ୍ୟଟନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅବଦାନ ସ୍ମରଣୀୟ ରହିବ ବୋଲି ଦର୍ଶାଇ ଉପମୁଖ୍ୟମନ୍ତ୍ରୀ ଏହି ଉତ୍ସବ ପାଇଁ ସହଯୋଗ କରିଥିବା ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ, ସ୍ଥାନୀୟ କଳାକାର, ସେ୍ୱଚ୍ଛାସେବୀ ସଂଗଠନ ଏବଂ ଦେଶବିଦେଶରୁ ଆସିଥିବା ଶିଳ୍ପୀ ଓ କଳାକାରମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏପରି ଉତ୍ସବ ରାଜ୍ୟର ପ୍ରବୀଣ ଓ ନୂତନ ଶିଳ୍ପୀ-କଳାକାରମାନଙ୍କ ମଧ୍ୟରେ ଭାବବିନିମୟ ପାଇଁ ଏକ ପ୍ରକୃଷ୍ଟ ମଞ୍ଚ ପ୍ରସ୍ତୁତ କରିଛି । ରାଜ୍ୟର ପର୍ଯ୍ୟଟନ ସମ୍ବଳକୁ ଏହି ଉତ୍ସବ ଅଧିକ ବ୍ୟାପକ କରିବା ସହ ଆମର ସଂସ୍କୃତିକୁ ପରିପୁଷ୍ଟ ଓ ପରିବ୍ୟାପ୍ତ ହେବାରେ ଏହା ସହାୟକ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି ।
-0-
ତନୁଜା ମହାନ୍ତି,ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ