ଜିଲା ସ୍ତରୀୟ ନିଯୁକ୍ତି ମେଳା ଓ ବ୍ଲକ୍ ସ୍ତରୀୟ ପରାମର୍ଶ ଶିବିର ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୦୭/୦୧/୨୦୨୫ (ଓଡ଼ିଶା ସମାଚାର)- ଜିଲା ସ୍ତରୀୟ ନିଯୁକ୍ତି ମେଳା ଓ ବ୍ଲକ୍ ସ୍ତରୀୟ ନିଯୁକ୍ତି ଭିତିକ ଦକ୍ଷତା ବିକାଶ ତାଲିମ୍ ନିମନ୍ତେ ପରାମର୍ଶ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଜିଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା । ମାନବ ସମ୍ବଳର ବିକାଶ ସହ ଅର୍ଥନୈତିକ ସ୍ୱଚ୍ଛଳତା ପାଇଁ ଦକ୍ଷତା ବିକାଶ ଏକାନ୍ତ ଅପରିହାର୍ଯ୍ୟ ବୋଲି ଏହି ଅବସରରେ କହିଥିଲେ ଜିଲାପାଳ ଶ୍ରୀ ପ୍ରଧାନ । ଚଳିତ ଜାନୁଆରୀ ମାସ ୨୮ ତାରିଖରୁ ବ୍ଲକ୍ ସ୍ତରୀୟ ନିଯୁକ୍ତି ଭିତିକ ଦକ୍ଷତା ବିକାଶ ତାଲିମ୍ ନିମନ୍ତେ ପରାମର୍ଶ ଶିବିର ଆରମ୍ଭ ହୋଇ ଫେବୃୟାରୀ ମାସ ୧୩ ତାରିଖରେ ଏହାର ସମାପ୍ତ କରିବାକୁ ସ୍ଥିର କରାଯାଇଛି । ଅଧିକରୁ ଅଧିକ ଯୁବକ ଯୁବତୀ ଏହି ଶିବିରରେ ଅଂଶଗ୍ରହଣ କରି କିପରି ଜୀବନ ଧାରଣ ମାନରେ ଉନ୍ନତି ଆଣି ପାରିବେ ସେ ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ସମସ୍ତ ବ୍ଲକ୍ ର ବିଡିଓ ଙ୍କୁ ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ସେହିପରି ଫେବୃୟାରୀ ୧୯ ଓ ୨୦ ତାରିଖରେ ଜିଲା ସ୍ତରୀୟ ନିଯୁକ୍ତି ମେଳା କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ହେବ । ଜିଲାସ୍ତରୀୟ ନିଯୁକ୍ତି ମେଳାରେ ଅଧିକରୁ ଅଧିକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯୋଗ ଦେବେ ବୋଲି କହିଛନ୍ତି ଜିଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ । ଏହି ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ତଥା ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲା ପରିଷଦ ଦୟାସିନ୍ଧୁ ନାୟକ, ଆଂଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ, ସରକାରୀ ପଲିଟେକ୍ନିକ ର ଅଧ୍ୟକ୍ଷ ଡକ୍ଟର ଗୁଣନିଧି ପ୍ରଧାନ, ଜିଲା କଲ୍ୟାଣ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲା ସୂଚନା ଅଧିକାରୀ (ଏନଆଇସି) ଶୁଭେନ୍ଦୁ ଶେଖର ସାହୁ, ଜିଲା ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ପାଢି ଏବଂ ସମସ୍ତ ବ୍ଲକ୍ ର ମଣ୍ଡଳ ଉନ୍ନୟନ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଜିଲା ସ୍ତରୀୟ ନିଯୁକ୍ତି ମେଳା ଓ ବ୍ଲକ୍ ସ୍ତରୀୟ ପରାମର୍ଶ ଶିବିରକୁ ସଫଳ ରୂପେ ଆୟୋଜନ କରିବା ନିମନ୍ତେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *