ରାସାୟନିକ ଦୁର୍ଘଟଣା ର ମୁକାବିଲା ନିମନ୍ତେ ଜିଲ୍ଲା ଆପତ କାଳୀନ ବୈଠକ ଅନୁଷ୍ଠିତ

ଜଗତସିଂହପୁର, ୩୧/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ବାର୍ଷିକ ଜିଲ୍ଲା ଆପତ କାଳୀନ ବୈଠକ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ କାରଖାନା ଏଵଂ ବାଷ୍ପିତ ବିଭାଗ ମିଳିତ ଆନୁକୂଲ୍ୟ ରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ର ମୁକାବିଲା ନିମନ୍ତେ ଆୟୋଜିତ  ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଏହି ଜିଲ୍ଲାରେ ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନ ସଜାଗ ଓ ସତର୍କ ରହିଛନ୍ତି। କିନ୍ତୁ ଏହା ଛଡ଼ା ଜିଲ୍ଲାର ପାରାଦ୍ଵୀପ ଠାରେ ଗଢ଼ିଉଠିଥିବା ବୃହତ୍ ଶିଳ୍ପାନୁଷ୍ଠାନ ମାନଙ୍କରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ର ମୁକାବିଲା ନିମନ୍ତେ ଆଗୁଆ ପ୍ରସ୍ତୁତି, ସୁରକ୍ଷା ବନ୍ଦୋବସ୍ତ ଆଦି କରିବା ପାଇଁ ଜିଲ୍ଲା ଆପତ କାଳୀନ ଗ୍ରୁପ୍ କାର୍ଯ୍ୟ କରୁଛି। ଜଗତସିଂହପୁର ରେ ୯ ଟି ମୁଖ୍ୟ ଦୁର୍ଘଟଣା ପ୍ରବଣ ବିପଦ ପୂର୍ଣ୍ଣ ଶିଳ୍ପାନୁଷ୍ଠାନ, ୭ ଟି ଦୁର୍ଘଟଣା ପ୍ରବଣ ଶିଳ୍ପାନୁଷ୍ଠାନ ଓ ୨୮ ଟି ବିପଦ ପୂର୍ଣ୍ଣ ଶିଳ୍ପାନୁଷ୍ଠାନ କାର୍ଯ୍ୟ କରୁଛି, ଯେଉଁଠାରେ ଅମୋନିଆ, କ୍ଲୋରିନ ଭଳି ବିଷାକ୍ତ ଗ୍ୟାସ ଲିକ୍ ହେବାର ସମ୍ଭାବନା ରହିଛି। ଅଫସାଇଟ ଇମର୍ଜେନ୍ସି ପ୍ଲାନ୍ ପ୍ରସ୍ତୁତ ରଖିବା, ଆଧୁନିକ ତଥା ଅବିଚ୍ଛିନ୍ନ ଭାବରେ ରାସାୟନିକ ଦୁର୍ଘଟଣାର ପରିଚାଳନା କରିବା,ରାଜ୍ୟ ଓ କେନ୍ଦ୍ର କ୍ରାଇମ୍ସ୍ ଗ୍ରୁପ୍ କୁ ସୂଚନା ଦେବା, ମକ ଡ୍ରିଲ୍ ଅନୁଷ୍ଠିତ କରାଇବା ସହ ସର୍ବୋପରି ଆଖପାଖର ଜନସାଧାରଣଙ୍କୁ ସଚେତନ କରାଇବା ନିମନ୍ତେ ଜିଲ୍ଲାପାଳ ବିଭିନ୍ନ ଶିଳ୍ପାନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ। ବିଭିନ୍ନ ରାସାୟନିକ ଗ୍ୟାସ ତଥା ପେଟ୍ରୋଲିୟମ ପଦାର୍ଥ ଗୁଡ଼ିକ ର ଟ୍ୟାଙ୍କ ବାହୀ ଟ୍ରକ୍ ଡ୍ରାଇଭର ମାନଙ୍କର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରିବାକୁ ସେ ଉପଦେଶ ଦେଇଥିଲେ।ଏହା ଛଡ଼ା ପାରାଦ୍ୱୀପ ରେ ଲୋକାଲ ଆପାତ୍ କାଳୀନ ଗ୍ରୁପ୍ ଏବଂ ସେମାନଙ୍କର ବୈଠକ ସମୟ ସମୟରେ ଅନୁଷ୍ଠିତ କରି ଆବଶ୍ୟକୀୟ ସାବଧାନତା ପାଇଁ ପ୍ରସ୍ତୁତି କରିବା ସହ ସଚେତନତା ଆଣିବାକୁ ସେ କହିଥିଲେ। ପ୍ରାରମ୍ଭ ରେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା ବୈଠକ ସଂପର୍କିତ ସୂଚନା ଦେଇଥିଲେ।ଫ୍ୟାକ୍ଟ୍ରି ଏବଂ ବଏଲର ବିଭାଗ ଉପ ନିର୍ଦ୍ଦେଶକ, କଟକ ଡିଭିଜନ ଶ୍ରୀ ମନୋଜ କୁମାର ପଣ୍ଡା ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକ ସହ ସମ୍ଭାବ୍ୟ ବିପଦ ତଥା ସେମାନଙ୍କ ତରଫରୁ ଏଥି ନିମନ୍ତେ ନିଆଯାଇଥିବା ଉପାୟ ଗୁଡ଼ିକ ର ବିଷଦ ଆଲୋଚନା କରିଥିଲେ।  ଫ୍ୟାକ୍ଟ୍ରି ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ର ଶେଖର  ବେହେରା ଜିଲ୍ଲାରେ ଶିଳ୍ପାନୁଷ୍ଠାନ ର ସଂକ୍ଷିପ୍ତ ଦୃଶ୍ୟକ୍ରମ ଏବଂ ଜିଲ୍ଲା କ୍ରାଇସିସ ଗ୍ରୁପ୍ ର କର୍ଯ୍ୟାବଳୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ବୈଠକରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଡେପୁଟି ଏନଭରେନମେଣ୍ଟାଲ ଇଞ୍ଜିନିୟର ଶ୍ରୀ ଡି. ଏଲ୍. ମହାପାତ୍ର, ପୌର ନିର୍ବାହୀ ଅଧିକାରୀ, ପାରାଦ୍ଵୀପ ଶ୍ରୀ ଅଭିଷେକ ପଣ୍ଡା,ଡି. ଏସ୍. ସି ର ଜେନେରାଲ ମ୍ୟାନେଜର ଶ୍ରୀ ଜଗମୋହନ ପତି, ଉପ ଆରକ୍ଷୀ ଅଧିକ୍ଷକ, ଜଗତସିଂହପୁର, ଶ୍ରୀ ପ୍ରଦୀପ କୁମାର କେରକେଟା,ଉପ ଆରକ୍ଷୀ ଅଧିକ୍ଷକ, ପାରାଦ୍ୱୀପ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ କୁମାର ମହାନ୍ତି, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଳସମ୍ପଦ, ଶ୍ରୀ ସନାତନ ଦାସ, ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ସନ୍ଧ୍ୟାଞ୍ଜଳି ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ପଣ୍ଡା, ଡକ ଇନ୍ସପେକ୍ଟର ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଙ୍କ ସହ ପାରାଦ୍ଵୀପ ପୋର୍ଟ ଟ୍ରଷ୍ଟ, ବିଭିନ୍ନ ଶିଳ୍ପାନୁଷ୍ଠାନ ଯଥା ଇଫ୍ କୋ, ପିପିଏଲ, ଆଇ ଓ ସି ଏଲ, ଏଚ୍ ପି ସି ଏଲ, ଆଇ ଓ ସି ଏଲ ପାଇପ୍ ଲାଇନ୍, ବି ପି ସି ଏଲ, ଆର୍ସେଲର ମିତ୍ତଲ- ନିପ୍ପନ୍ ଷ୍ଟିଲ୍,ଆଇ ଓ ସି ଏଲ ଟର୍ମିନାଲ ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।ଶିଳ୍ପାନୁଷ୍ଠାନ ର କର୍ମକର୍ତ୍ତାମାନେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ଜରିଆରେ ସେମାନଙ୍କର ବିପତ୍ତି ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ସୁରକ୍ଷା ପଦକ୍ଷେପ ଏବଂ ମକ୍ ଡ୍ରିଲ୍ ର ପ୍ରସ୍ତୁତି ସମ୍ପର୍କରେ ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *