ଓଡ଼ିଆ ଭାଷା ବିକାଶ ମଞ୍ଚର ସାହିତ୍ୟ ସନ୍ଧ୍ୟା ଓ ସ୍ମୃତି ତର୍ପଣ ଉତ୍ସବ

ରାଉରକେଲା, ୩୦/୧୨/୨୦୨୪ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ)-ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ୍ ଏକାଡେମୀ ପରିସରରେ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ଓ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ୨୦୨୪ର ଶେଷ କାବ୍ୟ ସନ୍ଧ୍ୟା ଓ ନୂତନ ବର୍ଷର ଆବାହନ ସହିତ ସ୍ବତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଭାର ପ୍ରାରମ୍ଭରେ ଭକ୍ତକବି ମଧୁସୂଦନ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ସାହିତ୍ୟକୃତିର ସ୍ମୃତି ଚାରଣ , ଚଳଚ୍ଚିତ୍ର ଜଗତର ମହାନ ଭାରତୀୟ ନକ୍ଷତ୍ର ଶ୍ୟାମ ବେନିଗାଲ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ତିରୋଧାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସେମାନଙ୍କ ଅଭୂତପୂର୍ବ ଅବଦାନ ସଂପର୍କରେ ଆଲୋଚନା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା। ନାଟ୍ୟକାର ପ୍ରଫୁଲ୍ଲ ସାମଲ ଶ୍ରଦ୍ଧାଞ୍ଜଳି ଅଭିଭାଷଣର ପରିଚାଳନା କରିଥିଲେ ।

ମୁଖ୍ୟ ଅତିଥି ରୂପେ କଲଚରାଲ ଏକାଡେମୀର ସଭାପତି ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଯୋଗଦେଇ ବିଶ୍ଵ ସାହିତ୍ୟରେ ପ୍ରଗତିଶୀଳ ସାହିତ୍ୟ କିପରି ଅଭୂତପୂର୍ବ ଆଲୋଡନ ସୃଷ୍ଟି କରିଥିଲା । ସେ ସମ୍ପର୍କରେ ଆଲୋକପାତ କରି ଯେଉଁ ସାହିତ୍ୟ କର୍ମପ୍ରେରଣାକୁ ଉଜ୍ଜୀବିତ କରେ, ଆଗେଇ ଯିବାକୁ ଉତ୍ତାପ ଦିଏ , ଅମଡ଼ା ମାଡ଼ିଯିବାକୁ ସାହାସ ଓ ଧୈର୍ଯ୍ୟ ଦିଏ । ସେହି ସାହିତ୍ୟ ମାନବିକ ସଭ୍ୟତା ପାଇଁ ମୃତ୍ୟୁସଂଜୀବନୀ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ରୂପେ ବରିଷ୍ଠ କବି ବଳରାମ ରାଉଳ “ଚଳିତ ଶତକର ପ୍ରଗତିଶୀଳ କବିତାର ସ୍ବର” ସମ୍ପର୍କରେ ଆଲୋଚନା କରି ଏକବିଂଶ ଶତାବ୍ଦୀର କାବ୍ୟକାର ମାନଙ୍କର ପ୍ରଗତିଶୀଳ କାବ୍ୟ ସ୍ବରରେ କୁସଂସ୍କାର,କୁ ପ୍ରଥା , ଭ୍ରଷ୍ଟାଚାରକୁ ଝାଡ଼ି ଝୁଡ଼ି ସଫାକରି ଏକ ସଂସ୍କାରବାଦୀ ମାନବିକ ସଭ୍ୟତା ଗଠନ ଦିଗରେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।

ସଭାପତି ଶ୍ରୀ ପତି ଆଲୋଚନାର ନିର୍ଯ୍ୟାସକୁ ଉପସ୍ଥାପନ କରି ମାନବ ସମାଜର ଶ୍ରେଣୀ ସଂଗ୍ରାମରୁ ବିବର୍ତ୍ତିତ ହୋଇ ଚାଲିଥିବା ଧାରାରେ ଯେଉଁ ସାହିତ୍ୟ ସୃଷ୍ଟି ହୁଏ , ତାହାକୁ ପ୍ରଗତିଶୀଳ ସାହିତ୍ୟ କୁହାଯାଏ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ପ୍ରଗତିଶୀଳ କବିତା ସଂଯୋଜନା ଅବସରରେ ବିଶ୍ବର ପ୍ରସିଦ୍ଧ ପ୍ରଗତିଶୀଳ କବି ମାନଙ୍କର କବିତା ପଙ୍କ୍ତି ଉଦ୍ଧାର କରି ଓଡ଼ିଆ ସାହିତ୍ୟରେ ପ୍ରଗତିଶୀଳ ଯୁଗର ଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶାର ଯଶସ୍ବୀ କବି କବୟିତ୍ରୀ ସର୍ବଶ୍ରୀ ଡଃ କୃପାସିନ୍ଧୁ ନାୟକ, ତ୍ରିନାଥ ସିଂହ, ମୀନକେତନ ପଶାୟତ, ଅକ୍ଷୟ ସାମଲ,ଶ୍ରୀଧର ସୁନା, ସତ୍ୟବ୍ରତ ଦାସ,ଅଜୟ କୁମାର ମହାନ୍ତି, ପ୍ରତାପ କୁମାର ପଣ୍ଡା, ଆଲୋକ ବୋଷ , ଉମେଶ ପାତ୍ର, ଧୋବେଇ ବେହେରା, ନିକୁଞ୍ଜ ବିହାରୀ ଦାଶ,ଗୌତମ ଦାସ, ଗଦାଧର ରଥ, ଗୀତାରାଣୀ ବେହେରା, ସବିତା ବସ୍ତିଆ, ଅଳକା ରଶ୍ମି ମହାନ୍ତି, ଅର୍ଚ୍ଚନା ପାତ୍ର ପ୍ରମୁଖ ବହୁ କବି କବିତା ପାଠ କରିଥିଲେ।

 ପ୍ରାବନ୍ଧିକ ଆଇନଜୀବୀ କେଦାରନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ସହରର ବିଶିଷ୍ଟ ବୁଦ୍ଧିଜୀବୀ ସାହିତ୍ୟିକ ସର୍ବଶ୍ରୀ ଗଗନ ବିହାରୀ ଧଳ, ଡଃ ସୁମନ ଦତ୍ତ, ପ୍ରମୋଦ ଜଗଦେବ, କୁଞ୍ଜବିହାରୀ ରାଉତ, ଚନ୍ଦ୍ର ଶେଖର ପାଇକରାୟ, ଡଃ ନଗେନ ଦାସ, ଅକ୍ଷୟ କୁମାର ପଣ୍ଡା, ପ୍ରଶାନ୍ତ ଦାସ, ଧନଞ୍ଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *