ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ।

ଯାଜପୁର, ୩୦/୧୨/୨୦୨୪ (ଓଡ଼ିଶା ସମାଚାର)-ଗତ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଯାଜପୁର ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୪ ଉଦଯାପିତ ହୋଇଯାଇଅଛି। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା, ଉପ ସଭାପତି ଶ୍ରୀ ଗଣେଶ୍ୱର ବରାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ଡେପୁଟି କଲେକଟର ଶ୍ରୀ ରଶ୍ମି ରଞ୍ଜନ ମଲ୍ଲିକ ଯୋଗଦାନ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ବେହେରା ସଭାରେ ଅଧ୍ୟକ୍ଷତା କରିଥିଲେ। ଦୀର୍ଘ ୫ ଦିନ ଧରି ଜିଲ୍ଲାରେ ଆୟୋଜିତ ହୋଇଥିବା ଏହି କୃଷି ଯନ୍ତ୍ରପାତି ମେଳା ଜିଲ୍ଲାର ଚାଷୀ ଭାଇ ଭଉଣୀ ଓ ଅନ୍ୟ ସମସ୍ତ ଭାଗୀଦାରଙ୍କ ପାଇଁ ବିଶେଷ ଉପଯୋଗୀ ହୋବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆଗାମୀ ବର୍ଷ ମାନଙ୍କରେ ଆହୁରି ଅଧିକ ସଂଖ୍ୟକ କୃଷକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ। ସମସ୍ତ ବିଭାଗୀୟ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ଏହି ମେଳା ଖୁବ୍ ସୁନ୍ଦର ଭାବେ ଆୟୋଜିତ ହୋଇଛି ବୋଲି ପ୍ରକାଶ କରିଥିଲେ। ଏହି ମେଳା ସମୟରେ ମୋଟ ୬୦ ଜଣ କୃଷକଙ୍କୁ ବୃହତ୍ ଉଠା ଜଳ ସେଚନ ପ୍ରକଳ୍ପ ସେଚାଞ୍ଚଳରେ ଅଣ ଧାନ ଚାଷ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ କୃଷି ଯନ୍ତ୍ରପାତି ଉଦ୍ଭାବନ ନିମନ୍ତେ ଜିଲ୍ଲାର ୪ ଜଣ କୃଷକଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ମଣ୍ଡପ ଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ଏହି ମେଳାରେ ମୋଟ ୧୨ ଗୋଟି ବିଷୟରେ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା। ଜିଲ୍ଲାର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ କୃଷକ ଏହି ମେଳା ପରିଦର୍ଶନ କରିଥିଲେ।

ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ପାତ୍ର ଏହି କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ। ସହକାରୀ ନିର୍ଦ୍ଦେଶକ ମୃତ୍ତିକା, ମୀରା ପରିଚ୍ଛାଙ୍କ ସମେତ ସମସ୍ତ କୃଷି ଅଧିକାରୀ ଓ କର୍ମଚାରୀ ମେଳା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *