ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ବୈଠକ

                  ଜଳବାୟୁ ଅନୁକୂଳ ଓ ସୌର ଶକ୍ତି ଚାଳିତ ଶୀତଳ ଭଣ୍ଡାର ପ୍ରତିଷ୍ଠା ଉପରେ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଗୁରୁତ୍ୱ

ଭୁବନେଶ୍ୱର,୨୬/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ଭବନ ବୋର୍ଡ ରୁମ୍‌ ରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯୋଗଦେଇଥିଲେ ।

          ଏହି ବୈଠକରେ ଫଳ, ପନିପରିବା ଓ ଦୁଗ୍ଧ ତଥା ଦୁଗ୍ଧଜାତ ଦ୍ରବ୍ୟର ସଂରକ୍ଷଣ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ତଥା ସବ୍‌ଡିଭିଜନ୍‌ରେ ଶୀତଳ ଭଣ୍ଡାର ଖୋଲାଯିବା ଉପରେ ଆଲୋଚନା ହୋଇଥିଲା । ଓଡ଼ିଶାର ଜଳବାୟୁ ଓ ପାଣିପାଗ ଅନୁଯାୟୀ ଶୀତଳଭଣ୍ଡାରର ସ୍ଥାପନା ଓ ଏହାର ଖର୍ଚ୍ଚ ଆକଳନ ନେଇ ମନ୍ତ୍ରୀ ଶ୍ରୀ ସିଂହଦେଓ ସେବା ପ୍ରଦାନକାରୀ ସଂସ୍ଥା ଓ ବିଶେଷଜ୍ଞମାନଙ୍କଠାରୁ ଅବଗତ ହୋଇଥିଲେ । ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଳବାୟୁ ଅନୁକୂଳ ଶୀତଳ ଭଣ୍ଡାର ପ୍ରତିଷ୍ଠା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ପୋଷଣୀୟ ବିକାଶ ନିମନ୍ତେ ଅକ୍ଷୟ ଶକ୍ତି ଓ ସୌରଶକ୍ତିର ବ୍ୟବହାର ଉପରେ ଗୁରୁତ୍ୱ ଦେଉଥିବାରୁ ସୌରଶକ୍ତିଚାଳିତ ଶୀତଳ ଭଣ୍ଡାର ସ୍ଥାପନା ଉପରେ ବୈଠକରେ ଆଲୋଚନା ହୋଇଥିଲା ।

          ଶୀତଳ ଭଣ୍ଡାର ପ୍ରତିଷ୍ଠା ନିମନ୍ତେ ସରକାର ୭୦% ପର୍ଯ୍ୟନ୍ତ ରିହାତି ଦେଉଥିବାରୁ ଏହାର ସୁଯୋଗ ଦେଇ ଉଦ୍ୟୋଗୀମାନେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପାଇଁ ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରସ୍ତାବ ଦେଇଥିଲେ । ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଶକ୍ତି ବିଭାଗର ଅଧିକାରୀମାନେ ପୂର୍ବରୁ ସ୍ଥାପନା ହୋଇ ସଫଳତାର ସହ କାର୍ଯ୍ୟ କରୁଥିବା ଶୀତଳଭଣ୍ଡାରଗୁଡ଼ିକୁ ପରିଦର୍ଶନ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ପରିଦର୍ଶନ ପରେ ମିଳିଥିବା ତଥ୍ୟକୁ ଭିତ୍ତିକରି ଚାହିଦା ମୁତାବକ ଶୀତଳ ଭଣ୍ଡାର ସ୍ଥାପନା ଦ୍ୱାରା କୃଷକମାନଙ୍କୁ ଆୟବୃଦ୍ଧି ସହ ଅହେତୁକ ଦରଦାମ ବୃଦ୍ଧିକୁ ରୋକାଯାଇପାରିବ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଉଲ୍ଲେଖ କରିଥିଲେ ।

          ବୈଠକରେ ବିଭିନ୍ନ ଶୀତଳ ଭଣ୍ଡାର ସେବା ପ୍ରଦାନକାରୀ ସଂସ୍ଥାର ପ୍ରତିନିଧିମାନେ ଅଂଶଗ୍ରହଣ କରି ନିଜ ନିଜ ସଂସ୍ଥାର ସେବା ପ୍ରଦାନ ବାବଦରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

Leave a Reply

Your email address will not be published. Required fields are marked *