ଡାକ୍ତର ହେବେ ପ୍ରଥମ ଆଦିମ ଦିଦାୟୀ ଯୁବତୀ ଚମ୍ପା ରାସପେଦା

                              ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳ
ମାଲକାନଗିରି ୧୯/୦୮/୨୦୨୫ (ଓଡ଼ିଶା ସମାଚାର)- ଡାକ୍ତର ହେବେ ଖଇରପୁଟ ବ୍ଳକ୍ ନାକାମାମୁଡି ଗ୍ରାମ ପଂଚାୟତର ଆମ୍ଲିବେଡ଼ା ଗ୍ରାମର ଆଦିମ ଦିଦାୟୀ ଜନଜାତି ଯୁବତୀ ଚମ୍ପା ରାସପେଦା । ନିଟ୍ ରୀକ୍ଷାରେ କୃତକାର୍ଯ୍ୟ ପରେ ଚମ୍ପା ରାସପେଦା ଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ସାମାଜିକ ଗଣ ମାଧ୍ୟମରେ ଚମ୍ପାଙ୍କୁ ଶୁଭେଛା ଜଣାଇ ଲେଖିଛନ୍ତି : ଦିଦାୟୀ ସମ୍ପ୍ରଦାୟର ପ୍ରଥମ ଝିଅ ଭାବରେ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ MBBS ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲାର ଚମ୍ପା ରାସପେଦାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ତାଙ୍କର କଠିନ ପରିଶ୍ରମ, ଦୃଢ଼ ସଂକଳ୍ପ ଓ ଏହି ସଫଳତା ଓଡ଼ିଶାର ସମସ୍ତ ଯୁବକ-ଯୁବତୀଙ୍କୁ ପ୍ରେରଣା ଦେବ। ଭବିଷ୍ୟତରେ ସେ ଜଣେ ଉତ୍ତମ ଡାକ୍ତର ଭାବରେ ଗରିବ ଓ ପଛୁଆ ଲୋକଙ୍କ ସେବା କରନ୍ତୁ ବୋଲି ଆଶା କରୁଛି ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

ସେହିପରି ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ମଧ୍ୟ ଚମ୍ପାଙ୍କୁ ଶୁଭେଛା ଜଣାଇଛନ୍ତି । ପ୍ରତିଭାଶାଳୀ ଯୁବତୀ ଚମ୍ପା ପ୍ରଥମ ପ୍ରୟାସରେ ସଫଳତାର ସହ ନିଟ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଚମ୍ପା ନିଜ ଦୃଢ ଇଚ୍ଛା ଶକ୍ତି ଏବଂ କଠିନ ରିଶ୍ରମ ଯୋଗୁଁ ଏହି ସଫଳତା ପାଇଛନ୍ତି । ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ପଢ଼ିବେ ଚମ୍ପା । ତାଙ୍କର ଏହି ସଫଳତା ନିଶ୍ଚୟ ଅନ୍ୟ ଯୁବକ ଯୁବତୀ ଓ ବିଶେଷ ଭାବେ ଝିଅ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଜିଲାପାଳ କହିଛନ୍ତି ।

ଆଦିମ ଦିଦାୟୀ ଜନଜାତିର ପ୍ରଥମ ମହିଳା ଭାବେ ଚମ୍ପା ଏହି ସଫଳତା ହାସଲ କରି ଇତିହାସ ରଚିଛନ୍ତି । ବାପା ଲାଛମୁ ରାସପେଦା ଜଣେ ଗରିବ ଚାଷୀ । ନିଜର କଠିନ ଅଧ୍ୟବସାୟ, ଦୃଢ଼ସଂକଳ୍ପ ଓ ଅନେକ ସଙ୍ଘର୍ଷ ପରେ ଏହି ଗୌରବ ହାସଲକରିଛନ୍ତି ଚମ୍ପା । ତାଙ୍କ ସଫଳତା ପାଇଁ ତାଙ୍କ ଗ୍ରାମ ସମେତ ଜିଲାରେ ଖୁସିର ଲହରୀ ଖେଳିଯାଇଛି । ଜିଲା ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର ଓ ଜିଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ମଧ୍ୟ ତାଙ୍କ ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *