ପାରାଦୀପ ନିର୍ବାଚନମଣ୍ଡଳୀରେ ‘କାର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀ

‘ପୂର୍ବୋଦୟ ମିଶନ’ରେ ପାରାଦୀପ ହେବ ‘ବିକାଶ ଦ୍ୱୀପ’ – ଧର୍ମେନ୍ଦ୍ର ପ୍ରଧାନ

  • ପାରାଦୀପରେ ଶିଳ୍ପାୟନର ବିକାଶ ପାଇଁ ନିବେଶ ହୋଇଛି ପ୍ରାୟ ୬୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା
  • ପାରାଦୀପ ଇଣ୍ଡିଆନ ଅଏଲର ତୈଳ ବିଶୋଧନାଗାର ବାଜପେୟୀଙ୍କ ଓଡ଼ିଶା ପାଇଁ ବଡ ଅବଦାନ
  • ପାରାଦୀପ ‘ପୂର୍ବୋଦୟ ମିଶନ’ ଓ ଗରିବ କଲ୍ୟାଣର ହେବ ପ୍ରୟୋଗଶାଳା
  • ଆଗାମୀ ଦିନରେ ପାରାଦୀପରେ ପେଟ୍ରୋକେମିକାଲ କମ୍ପଲେକ୍ସ ନିର୍ମାଣ ହେବ
  • ତିର୍ତ୍ତୋଲ ପାଖରେ ବନ୍ଦ ହୋଇ ପଡିଥିବା ସୂତାକଳର ପୁନରୁଦ୍ଧାର ହେବ
  • ଲୋକଙ୍କ ପାଇଁ ଓ ଲୋକଙ୍କ ହିତରେ କାମ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ

ପାରୀଦୀପ,୨୩/୧୨/୨୦୨୪ (ଓଡ଼ିଶା ସମାଚାର)-ଶିଳ୍ପାଞ୍ଚଳ ପାରାଦୀପରେ ଯେଉଁ ସମ୍ଭାବନା ଅଛି, ତାହା ଆଗାମୀ ଦିନରେ ଓଡ଼ିଶାର ଆବଶ୍ୟକତାକୁ ପୂରଣ କରିବ । ‘ପୂର୍ବୋଦୟ ମିଶନ’ରେ ପାରାଦୀପ ‘ବିକାଶ ଦ୍ୱୀପ’ ହେବ ବୋଲି ସୋମବାର ପାରଦୀପ ନିର୍ବାଚନମଣ୍ଡଳୀରେ ଆୟୋଜିତ  ‘କାର୍ଯ୍ୟକର୍ତ୍ତା ସମ୍ମିଳନୀ’ କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲାର ପାରାଦୀପ ସମଗ୍ର ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ଜିଲ୍ଲାରେ ଓଡ଼ିଆ ସଂସ୍କୃତିର ପବିତ୍ର ପୀଠସ୍ଥଳ ମାଆ ସାରଳା ପୂଜା ପାଉଛନ୍ତି ।  ଓଡ଼ିଆ ଭାଷାର ଆଦିକବି ସାରଳା ଦାସ ଏହିଠାରୁ ଓଡ଼ିଆ ମହାଭାରତ ରଚନା କରିଛନ୍ତି । ହଜାର ହଜାର ବର୍ଷର ପୁରାତନ ଐତିହ୍ୟର ମୁକସାକ୍ଷୀ ଭାବେ ଏହି ଅଞ୍ଚଳରୁ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରି ଓଡ଼ିଶାକୁ ବୈଭବ ଆଣିଛନ୍ତି । ସେହିପରି ପୂର୍ବ-ଭାରତର ତ୍ୱରିତ୍ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ହେଉଛି ‘ପୂର୍ବୋଦୟ’ । ଏହାର ପ୍ରମୁଖ ବିନ୍ଦୁ ହେଉଛି ଓଡ଼ିଶାର ବିକାଶ । ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ‘ପୂର୍ବୋଦୟ’ରେ ପାରାଦ୍ୱୀପ ହେଉଛି ଏକ ‘ବିକାଶ ଦ୍ୱୀପ’ । ବିନା ପାରାଦୀପର ବିକାଶରେ ଓଡ଼ିଶା ଓ ଭାରତ ବିକଶିତ ହେବ ନାହିଁ । ପାରାଦୀପ ବନ୍ଦର କ୍ରମାଗତ ଭାବେ ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ବୃହତ୍ତମ ବନ୍ଦର ଭାବେ ପରିଚୟ ପାଇବା ଆମ ଓଡ଼ିଶାର ଶିଳ୍ପ ଜଗତ ପାଇଁ ବଡ ଉପଲବ୍ଧି ।

ସେ ଆହୁରି କହିଛନ୍ତି ଯେ ଦେଶରେ ଇଣ୍ଡିଆନ ଅଏଲର ଏକ ବଡ଼ ପୁଞ୍ଜିନିବେଶ ପାରାଦୀପ ତୈଳ ବିଶୋଧନାଗାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ପାଇଁ ଅବଦାନ । ଏହାକୁ ବାଜପେୟୀ ଜୀ ଶୁଭ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପରେ ଜଣେ ସାଧାରଣ ଓଡ଼ିଆ ଭାବରେ ଧର୍ମପଦ ଭାବରେ ଯୋଗଦାନ ଦେବା ସମୟରେ ମୁଁ ଅଟଳଜୀଙ୍କର ମହାନ ଦୂରଦୃଷ୍ଟିକୁ କଳ୍ପନା କରିପାରିଥିଲି । ପାରାଦୀପରେ ଶିଳ୍ପାୟନର ବିକାଶ ପାଇଁ ପ୍ରାୟ ୬୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନିବେଶ ହୋଇଛି । ଆଗାମୀ ଦିନରେ ପାରାଦୀପରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହ ଏଠାରେ ଭାଇଚାରା, ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ତିଆରି ହେବ । ଡବଲ ଇଞ୍ଜିନ ସରକାରରେ ପାରାଦୀପ ‘ପୂର୍ବୋଦୟ ମିଶନ’ ଓ  ଗରିବ କଲ୍ୟାଣର ପ୍ରୟୋଗଶାଳା ହେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନିକଟରେ ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ଇଣ୍ଡିଆନ ଅଏଲ ୪,୩୮୨ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛି । ଇଣ୍ଡିଆନ ଅଏଲ ଓ  ଏମସିପିଆଇ ପ୍ରାଇଭେଟ ଲିମିଟେଡର ମିଳିତ ସହଭାଗୀତାରେ ଏହି ବୟନ ପାର୍କ ପ୍ରତିଷ୍ଠା ହେବ । ଏହି ପଦକ୍ଷେପ ଦ୍ୱାରା ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଭିତ୍ତିଭୂମି ସୁଦୃଢ ହେବ । ରାଜ୍ୟର ଅର୍ଥନୀତି ମଜଭୂତ୍ ହେବା ସହ ଯୁବକ ଯୁବତୀଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିପାଇଁ ପୂର୍ବ ସରକାର ସହଯୋଗ କରିନଥିଲେ । ମାତ୍ର ଏବେ ଡବଲ ଇଞ୍ଜିନ ସରକାରରେ ଓଡ଼ିଆ ଯୁବକମାନେ ବଡ ବଡ ଶିଳ୍ପ କାରଖାନାର ମାଲିକ ହେବେ । ଏଠାରେ ଆଗାମୀ ଦିନରେ ପେଟ୍ରୋକେମିକାଲ କମ୍ପଲେକ୍ସ ତିଆରି ହେବ । ତିର୍ତ୍ତୋଲ ପାଖରେ ବନ୍ଦ ହୋଇ ପଡିଥିବା ସୂତାକଳର ପୁନରୁଦ୍ଧାର ହେବ ।

ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସରକାରୀ ସୁବିଧା କେବଳ ସରକାରୀ ଦଳର ନେତା ଏବଂ ସେମାନଙ୍କର ସମର୍ଥକଙ୍କୁ ମିଳିବାର ସମୟ ଶେଷ ହୋଇଛି । ବିଜେପିର ଡବଲ ଇଞ୍ଜିନ ସରକାରରେ ଗରିବ, ମହିଳା, ଯୁବ, ଚାଷୀ, ପଛୁଆ ଏବଂ ଜନଜାତିଙ୍କୁ ଅଗ୍ରାଧିକାର ଦିଆଯାଉଛି । ନିୟମ ଆଇନ ପରିଧିରେ ଶାସନ ଚାଲୁଛି । ଆମ ସରକାରରେ ସବୁ ବର୍ଗର ଲୋକଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପ୍ରାଥମିକତା ଦିଆଯାଇଛି । ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏହି ନିର୍ବାଚନମଣ୍ଡଳୀରେ ଦଳକୁ ଆହୁରି ମଜଭୂତ୍ କରିବା ସହ ଅନେକ ଲୋକଙ୍କୁ ସଦସ୍ୟତା ଅଭିଯାନରେ ଯୋଡିବା ପାଇଁ ପଡ଼ିବ । ଲୋକଙ୍କ ପାଇଁ ଓ ଲୋକଙ୍କ ହିତରେ କାମ କରିବାକୁ ହେବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *