ଭୟମୁକ୍ତ ଓ ବିକଶିତ ଅଞ୍ଚଳ ହେବ ଆଠଗଡ଼- ଧର୍ମେନ୍ଦ୍ର ପ୍ରଧାନ
- ବିଜେପି ସରକାରରେ ଆଇନ କେଉଁ ବିଧାୟକଙ୍କ ନିର୍ଦ୍ଦେଶରେ ଚାଲିବ ନାହିଁ, ନ୍ୟାୟ ଗରିବ ଲୋକଙ୍କ ପାଇଁ ରହିବ
- ବ୍ୟାଙ୍କରୁ ଋଣ ନିଆଯାଇ ଆଠଗଡରେ କେନାଲ ଖୋଳା ହେଲା, ଚାଷୀଙ୍କ ଜମିକୁ ପାଣି ମାଡିଲା ନାହିଁ
- କ୍ୟାପିଟାଲ ଜୋନ୍ ରିଙ୍ଗ ରୋଡ ପ୍ରକଳ୍ପ ଦ୍ୱାରା ଆଠଗଡ ଅଧିକ ଲାଭ ପାଇବ
- ସମ୍ବଲପୁର, କଟକ, ଢେଙ୍କାନାଳ, ବାଙ୍କୀ, ଜଗତସିଂହପୁରର ସଡକ ଭିତ୍ତିଭୂମି ସୁଦୃଢ ହେବ
ଆଠଗଡ଼, ୨୨/୧୨/୨୦୨୪ (ଓଡ଼ିଶା ସମାଚାର)-ଚଷା ଚାଷୀର ଅଞ୍ଚଳ ଆଠଗଡ଼ ଅପାର ସମ୍ଭାବନାରେ ପରିପୂର୍ଣ୍ଣ । ଏହି ମାଟି କେବେ ଇଂରେଜମାନଙ୍କୁ ଭ୍ରୁକ୍ଷେପ କରିନାହିଁ । ଅନ୍ୟାୟ ଅତ୍ୟାଚାର ଆଗରେ ମଥା ନୁଆଇଁ ନାହିଁ । କିଛି ଲୋକଙ୍କ କାରଣରୁ ଆଜି ଆଠଗଡ଼ର ବିକାଶ ହୋଇନାହିଁ । ମାତ୍ର ବିଜେପିର ଡବଲ ଇଞ୍ଜିନ ସରକାରରେ ଆଠଗଡ଼କୁ ଭୟମୁକ୍ତ ଓ ବିକଶିତ ଅଞ୍ଚଳ କରିବା ପାଇଁ ଆମେ କଟିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଠଗଡ଼ରେ ଆୟୋଜିତ ମିଶ୍ରଣ ପର୍ବରେ ଅନେକ ସମର୍ଥକଙ୍କ ଦଳରେ ସ୍ୱାଗତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଠଗଡ଼ ଗଡଜାତ ଓ ସ୍ୱାଭିମାନୀ ଅଞ୍ଚଳ । ଆଠଗଡ ଓଡ଼ିଶାର ପ୍ରମୁଖ ପେଣ୍ଠସ୍ଥଳ । ଅନ୍ୟାୟ, ଅତ୍ୟାଚାରରେ ମୁଣ୍ଡ ନୁଆଉଁ ନଥିବା ଅଞ୍ଚଳ । ବିଜେପି ସରକାରରେ ଆଇନ କେଉଁ ବିଧାୟକଙ୍କ ନିର୍ଦ୍ଦେଶରେ ଚାଲିବ ନାହିଁ । ନ୍ୟାୟ ଗରିବ ଲୋକଙ୍କ ପାଇଁ ରହିବ । ଏଠାରେ କିଛି ଲୋକ ଔଷଧ ବିକଳରେ ତାଟିଆ କମୁଡ଼ିଛନ୍ତି । ଡବଲ ଇଞ୍ଜିନର ସରକାର ଏହି ଅଞ୍ଚଳରେ ଲୋକଙ୍କୁ ନ୍ୟାୟ ଦେବା ସହ ବିକାଶ ପାଇଁ ପ୍ରତିବଦ୍ଧ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ୟାଙ୍କରୁ ଋଣ ଅଣାଯାଇ ଆଠଗଡ଼ରେ କେନାଲ ଖୋଳା ହେଲା । ଏହାଦ୍ୱାରା ଓଡ଼ିଶାର ଋଣ ଭାର ବଢିଲା କିନ୍ତୁ ଏହି ଅଞ୍ଚଳର ଚାଷୀଙ୍କ ଜମିକୁ ପାଣି ମାଡିଲା ନାହିଁ । ମହାନଦୀରେ ଆଜି ପାଣି ନଷ୍ଟ ହେଉଛି । କିନ୍ତୁ ଯଦି ସେହି ପାଣିକୁ ସୁବ୍ୟବସ୍ଥିତ ରାଯାଇପାରିବ ତେବେ ଆଠଗଡ ଚାଷୀ ବିଲରେ ସୁନା ଫଳିବ । ଡବଲ ଇଞ୍ଜିନ ସରକାରରେ ଆଠଗଡ଼ର ଚାଷ ଓ ଚାଷୀଙ୍କ ସମସ୍ୟାର ସମାଧାନ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ମିଶନରେ କ୍ୟାପିଟାଲ ଜୋନ୍ ରିଙ୍ଗ ରୋଡର କଳ୍ପନା ହୋଇଛି । ଏଥିପାଇଁ ପ୍ରାୟ ୬୦୦୦ କୋଟି ଟଙ୍କାର ଖର୍ଚ୍ଚ ହେବ । ଏହାର ଅଧିକ ଲାଭ ଆଠଗଡ ପାଇବ । ପୂର୍ବ ସରକାରଙ୍କ ଏଥିରେ ସହଯୋଗ ନଥିଲା । ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ, ଏହି କାମରେ ପୂର୍ବ ସରକାର ଲାଗିଥିଲେ । ମାତ୍ର ଉପରୋକ୍ତ ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଆଠଗଡରେ ଚାଷ ଓ ଶିଳ୍ପାୟନ ବଢିବ । ଓଡ଼ିଶାର ସବୁଠୁ ବିକଶିତ ହେବ ଅଞ୍ଚଳ ହେବ ଖୋର୍ଦ୍ଧାରୁ ଆଠଗଡ । ଖୋର୍ଦ୍ଧା ସବ ଡିଭିଜନ, କଟକ ସଦର ସବ ଡିଭିଜନ, ଆଠଗଡ ସବ ଡିଭିଜନ, ଢେଙ୍କାନାଳ ସବ ଡିଭିଜନ, ବାଙ୍କୀ ସବ ଡିଭିଜନର ବିକାଶ ହେବ । ଆଠଗଡ଼ ସମେତ ସମ୍ବଲପୁର, କଟକ, ଢେଙ୍କାନାଳ, ବାଙ୍କୀ, ଜଗତସିଂହପୁରର ସଡକ ଭିତ୍ତିଭୂମି ସୁଦୃଢ ହେବ ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ ମିଶ୍ରଣ ପର୍ବରେ କଂଗ୍ରେସ ଏବଂ ବିଜେଡି ଦଳର ନେତା, ଜନପ୍ରତିନିଧି ଓ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ଓ ବିକାଶଶୀଳ କାର୍ଯ୍ୟକୁ ସ୍ୱୀକାର କରି ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ ଜଣାଇବା ସହ ଏହି ମିଶ୍ରଣ ପର୍ବ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ୍ କରିବ ବୋଲି ସେ କହିଛନ୍ତି ।