ଜଗତସିଂହପୁର,୨୨/୧୨/୨୦୨୪ (ଓଡ଼ିଶା ସମାଚାର)- ଚାଷୀମାନଙ୍କୁ ସଙ୍ଗଠିତ କରିବା ସହ ପାଣିପଞ୍ଚାୟତ ମାଧ୍ୟମରେ ସେମାନେ ଜଳସେଚନ ସୁବିଧା ପାଇ ଯେଭଳି ସ୍ୱାବଲମ୍ବୀ ହୋଇପାରିବେ, ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ଜଳ ସମ୍ପଦ ବିଭାଗ ତରଫରୁ ଚଳିତ ମାସ ୨୨ ଠାରୁ ଜଗତସିଂପୁର ଜିଲ୍ଲା ରେ ପାଣିପଞ୍ଚାୟତ ପକ୍ଷ ପାଳନ କରାଯାଉଛି। ସେହି ପରିପ୍ରେକ୍ଷୀରେ, ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଜରୁରୀ ବିଭାଗ ସମ୍ମୁଖ ରେ ପାଣିପଞ୍ଚାୟତ ସଚେତନତା ରଥ ମାନ୍ୟବର ବିଧାୟକ, ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା। ଯାହା ଏହି ପକ୍ଷରେ ଜିଲ୍ଲାର ତାଳଦଣ୍ଡା ଓ ମାଛଗାଁ କେନାଲ୍ ର ସମସ୍ତ ସେଚାଞ୍ଚଳ ରେ ୪ଦିନ ଧରି ପରିଭ୍ରମଣ କରି ପ୍ରତ୍ୟେକ ବିଭାଜନରେ ମଧ୍ୟ ବୁଲିବା ସହିତ ଜନସାଧାରଣ ମାନଙ୍କୁ ପାଣି ପଂଚାୟତର କାର୍ଯ୍ୟକାରିତା, ଉପାଦେୟତା ବିଷୟରେ ଅବଗତ କରାଇବା ସହିତ କୃଷିଜୀବୀଙ୍କ ଗୁଣାତ୍ମକ ମାନ ବୃଦ୍ଧି, ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ, ଜଳସେଚନ ପ୍ରଣାଳୀର ସୁପରିଚାଳନା ବିଷୟରେ ବୁଝାଇବାରେ ସହାୟକ ହେବ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ,ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇ ରଥ ର ଶୁଭାରମ୍ଭ କରିଥିଲେ ।
ଇତ୍ୟବସରରେ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଏକ ବିଭାଜନ ସ୍ତରୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ, ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ,ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଯୋଗ ଦେଇଥିଲେ ।
କେବଳ ସରକାରୀ ବ୍ୟବସ୍ଥା କିମ୍ବା ଚାଷୀଙ୍କର ବ୍ୟକ୍ତିଗତ ଉଦ୍ୟମ ଦ୍ଵାରା ଜଳସେଚନ ପ୍ରଣାଳୀର ଉତ୍ତମ ରକ୍ଷଣାବେକ୍ଷଣ ଓ ସୁପରିଚାଳନ ଭାବେ ଚାଲିବ ବୋଲି ଭାବିବା ଅସମ୍ଭବ । ଏଣୁ ଏହାର ସମାଧାନ ନିମନ୍ତେ ପ୍ରତ୍ୟକ୍ଷ ଯୋଗଦାନ ଓ ସହଭାଗୀ ଜଳସେଚନ ପରିଚାଳନା ମାଧ୍ୟମରେ ଉପଲବ୍ଧ ସେଚ ଜଳର ସୁପରିଚାଳନା , ସୁଷମ ବଣ୍ଟନ ଓ ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଶ୍ରୀ ଦାସ ପ୍ରକାଶ କରିଥିଲେ। ଦେବୀ ନଦୀ ର ଦେବିଦୋଳ ଠାରେ ଏକ ବ୍ୟାରେଜ୍ ନିର୍ମାଣ ନିମନ୍ତେ ସେ ସରକାର ଙ୍କ ନିକଟ ରେ ଦାବି ଉପସ୍ଥାପନ କରିବେ ବୋଲି କହିଥିଲେ। ଏହି ବ୍ୟାରେଜ ଦ୍ବାରା ହଜାର ହଜାର ଚାଷ ଜମି ଜଳସେଚିତ ହୋଇପାରିବ ।
ନିଜ ବକ୍ତବ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ଅଦିନିଆ ବର୍ଷା ଯୋଗୁଁ କ୍ଷୟ କ୍ଷତି ହୋଇଥିବା ଚାଷ ଜମି ର ଆକଳନ କରି ଚାଷୀ ମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାଛଡା ଅନଲାଇନ୍ ବ୍ୟବସ୍ଥାରେ ଅଭିଯୋଗର ସମାଧାନ କରିବା , ବନ୍ୟା ସମ୍ପର୍କରେ ସମୟଭିତ୍ତିକ ପ୍ରାକ୍ ସ୍ଥିତିର ସଠିକ ଆକଳନ କରିବା, ଶିଳ୍ପ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ଅନଲାଇନ୍ ବ୍ୟବସ୍ଥାରେ ଜଳ ଆବଣ୍ଟନ, ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗରେ ବିଭାଗୀୟ ବିଭିନ୍ନ କାର୍ଯ୍ୟର ତଦାରଖ ବ୍ୟବସ୍ଥାକୁ ଦକ୍ଷତାର ସହ ନିର୍ବାହ କରିବା, ଭୂତଳ ଜଳର ସଠିକ ମାତ୍ରା ଜାଣିବା ବିଷୟ ରେ ଆଲୋଚନା କରଯାଇଥିଲା। ପୌର ଅଧ୍ୟକ୍ଷା ଜଳ ସମ୍ପଦର ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଅଧିକ ଜ୍ଞାନ ସମ୍ପନ୍ନ ଅନୁଷ୍ଠାନ ବା ବ୍ୟକ୍ତି ବିଶେଷଙ୍କ ସହଭାଗିତାକୁ ଜଳସମ୍ପଦ ବିଭାଗ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମା ଠାକୁରାଣୀ ପାଣି ପଞ୍ଚାୟତ ୫୨ ନଂ ର ସଭାପତି ଶ୍ରୀ ପ୍ରକାଶ ରାଏ ଧନ୍ୟବାଦ ଅର୍ପଣ କରିଥିଲେ । ଜଳସେଚନ ବିଭାଗ ଦ୍ୱାରା ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଶେଷ କରି ପାଣି ପଞ୍ଚାୟତ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇ ଜଳ ବ୍ୟବହାର କରୁଥିବା କୃଷକଙ୍କ କ୍ଷେତ୍ରରେ ପତି ବା ପତ୍ନୀଙ୍କୁ ପାଣି ପଞ୍ଚାୟତର ସଦସ୍ୟା ଭାବେ ନିୟୋଜିତ କରାଯାଇଛି । ମେଗା ଲିଫ୍ଟ ପ୍ରକଳ୍ପ ଗୁଡିକ ଅଧିନରେ ପାଣି ପଞ୍ଚାୟତ ଯୋଜନା ଗଠନ କରାଯାଇଛି । ପାଣି ପଞ୍ଚାୟତଗୁଡିକର କାର୍ଯ୍ୟାବଳୀ ସମ୍ପର୍କରେ ଜାଣିବା ପାଇଁ ସୂଚନା ଓ ପ୍ରଯୁକ୍ତି ଆଧାରରେ ଇ-କାଡ୍ ଭଳି ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଉଛି ।
ସୂଚନା ଥାଉକି, ଆସନ୍ତା ୨୯ ତାରିଖରେ ଏହି ପାଣି ପଞ୍ଚାୟତର ଜିଲ୍ଲା ସ୍ତରୀୟ ଉଦଯାପନୀ କାର୍ଯ୍ୟକ୍ରମ, ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସର ରେ ପାଳନ କରାଯିବ ବୋଲି ଜଗତସିଂହପୁର ଜଳସେଚନ ବିଭାଜନ ର ଅଧିକ୍ଷଣ ଯନ୍ତ୍ରୀ ତଥା ନୋଡାଲ ଅଫିସର ଶ୍ରୀ ସନ୍ଦୀପ ସୂଚନା ଦେଇଥିଲେ। ଏହି ସଭାରେ ଜିଲ୍ଲା ର ପାଣି ପଞ୍ଚାୟତ ର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ଏବଂ ଜଳ ସେଚନ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।