ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ନଅଗୋଟି ନୂତନ ଗ୍ୟାଲେରୀ ଉଦଘାଟିତ

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ହେଉଛି ଓଡ଼ିଆ ଜାତିର ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଇତିହାସର ସଂଗ୍ରହାଳୟ ଏବଂ ଆମ ଅସ୍ମିତାର ଅନ୍ୟ ଏକ ପରିଚୟ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ଆଜି ଉଦଘାଟିତ ହୋଇଥିବା ନୂତନ ଗ୍ୟାଲେରୀ ଗୁଡ଼ିକରେ ସ୍ଥାନ ପାଇଥିବା ବିଭିନ୍ନ କଳାକୃତି ଅତ୍ୟନ୍ତ ଆକର୍ଷଣୀୟ ଓ ବିରଳ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୭/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଆଜି ନଅ ଗୋଟି ନୂତନ ଗ୍ୟାଲେରୀ ଉଦଘାଟିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଏହି ନଅ ଗୋଟି ନୂତନ ଗ୍ୟାଲେରୀର ଉଦଘାଟନ କରିଥିଲେ।

ପ୍ରାଗ-ଐତିହାସିକ ଗ୍ୟାଲେରୀ, ରାଜକୀୟ ଓ ହାତୀଦାନ୍ତ ଗ୍ୟାଲେରୀ, ପ୍ରାଣୀ ବିଜ୍ଞାନ ଗ୍ୟାଲେରୀ, ଖଣି ଓ ଭୂ-ତତ୍ତ୍ୱ ଗ୍ୟାଲେରୀ , କଣ୍ଢେଇ ଗ୍ୟାଲେରୀ, ମୁଖା ଗ୍ୟାଲେରୀ, ଜନଜାତି ଗ୍ୟାଲେରୀ , ହସ୍ତତନ୍ତ ଗ୍ୟାଲେରୀ ଏବଂ ପରିଚୟ କକ୍ଷ ଆଦି ନଅ ଗୋଟି ଗ୍ୟାଲେରୀ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ୯ଟି ଗ୍ୟାଲେରୀ ବୁଲି ଦେଖିବା ସହିତ ରାଜ୍ୟ ସଂଗ୍ରହାଳୟରେ ନବ-ନିର୍ମିତ ତାଳଚିତ୍ରରେ ରାମାୟଣ ପ୍ରଦାର୍ଶନୀ କକ୍ଷ ଏବଂ ଭୂତଳ କଳା ସାମଗ୍ରୀ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ହେଉଛି ଓଡ଼ିଆ ଜାତିର ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଇତିହାସର ସଂଗ୍ରହାଳୟ ଏବଂ ଆମ ଅସ୍ମିତାର ଅନ୍ୟ ଏକ ପରିଚୟ। ଆଜି ରାଜ୍ୟ ସଂଗ୍ରହାଳୟରେ ୯ ଗୋଟି ଗ୍ୟାଲେରୀ ଉଦଘାଟିତ ହୋଇଛି। ଏହି ନୂତନ ଗ୍ୟାଲେରୀ ଗୁଡ଼ିକରେ ସ୍ଥାନ ପାଇଥିବା ବିଭିନ୍ନ କଳାକୃତି ଅତ୍ୟନ୍ତ ଆକର୍ଷଣୀୟ ଓ ବିରଳ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ହେଉଛି ଆମ ଓଡ଼ିଶା ଇତିହାସ ଓ ଭୂଗୋଳର ବଳିଷ୍ଠ ସଂରକ୍ଷିତ ସମ୍ପତ୍ତି। ଏହାର ସାମଗ୍ରିକ ବିକାଶ ଓ ଉନ୍ନୟନ ପାଇଁ ଆମ ସରକାର ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଥିଲେ।

ସଂଗ୍ରହାଳୟରେ ଉଦଘାଟିତ ହୋଇଥିବା ଏହି ୯ଟି ଗ୍ୟାଲେରୀରେ ଓଡ଼ିଶାର ଇତିହାସ, ଭୂଗୋଳ, ଖଣିଜ ସମ୍ପଦ, କଳା, ସଂସ୍କୃତି, ସ୍ଥାପତ୍ୟ, ଐତିହ୍ୟ ଓ ବିବିଧତା ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି। ଖଣି ଓ ଭୂ-ତତ୍ତ୍ୱ ଗ୍ୟାଲେରୀରେ ଓଡ଼ିଶାର ଖଣିଜ ସମ୍ପଦ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରାଯାଇଥିବା ବେଳେ ପ୍ରାଣୀ ବିଜ୍ଞାନ ଗ୍ୟାଲେରୀରେ ଓଡ଼ିଶାର ବନ ସମ୍ପଦ, ହ୍ରଦ, ପଶୁ, ପକ୍ଷୀ ଆଦିକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ସଂଗ୍ରହାଳୟକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ପ୍ରାଣୀ ବିଜ୍ଞାନ ଗ୍ୟାଲେରୀରେ ସ୍ଥାନିତ ହୋଇଥିବା କ୍ୟୁ-ଆର କୋଡ଼ (QR Code) କୁ ମଧ୍ୟ ସ୍କାନ କରି ବିଭିନ୍ନ ତଥ୍ୟ ଜାଣି ପାରିବେ। ସେହିପରି ଭାବେ କଣ୍ଢେଇ ଗ୍ୟାଲେରୀରେ କାଠି କଣ୍ଢେଇ, ସଖୀ କଣ୍ଢେଇ, ସୂତା କଣ୍ଢେଇ, ଛାୟା କଣ୍ଢେଇ ଆଦିକୁ ପ୍ରଦର୍ଶିତ କରାଯାଇଥିବା ବେଳେ ଜନଜାତି ଗ୍ୟାଲେରୀରେ ଜନଜାତି ସମ୍ପ୍ରଦାୟର ଜୀବନ ଶୈଳୀ, ପର୍ବପର୍ବାଣୀ ଓ ସମୃଦ୍ଧ ଇତିହାସ ସମ୍ବନ୍ଧରେ ବିବରଣୀ ପ୍ରଦାନ କରାଯାଇଛି। ହସ୍ତତନ୍ତ ଗ୍ୟାଲେରୀରେ ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପକୁ ଅତି ନିଖୁଣ ଓ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ତାଳଚିତ୍ରରେ ରାମାୟଣ ପ୍ରଦର୍ଶନୀ କକ୍ଷରେ ଆମ ସଂସ୍କୃତି ଜୀବନ୍ତ ହୋଇ ଉଠିଥିବା ବେଳେ ଭୂତଳ କଳା ସାମଗ୍ରୀ ପ୍ରଦର୍ଶନୀରେ ବିଭିନ୍ନ କଳାକୃତିକୁ ପ୍ରଦର୍ଶିତ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ୪ଟି ପୁସ୍ତକ ମଧ୍ୟ ଉନ୍ମୋଚିତ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ମିଶ୍ର, ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

-0-

ଅମ୍ଳାନ ଦାସ, ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *