ଭୁବନେଶ୍ୱର,୨୦/୧୨/୨୦୨୪ (ଓଡ଼ିଶା ସମାଚାର)- ୨୦୨୫-୨୬ ଆର୍ଥିକ ବର୍ଷରୁ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ପାଇଁ ଗ୍ରୀଡ୍ କୋ ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହାକୁ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ବିରୋଧ କରିଛି । ମହାସଂଘର ଅଧ୍ୟକ୍ଷ ପଂଚାନନ କାନୁନଗୋ ଓ ଆବାହକ ରବି ବେହେରା ଏକ ମିଳିତ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଆସନ୍ତା ଆର୍ଥିକବର୍ଷଠାରୁ ଗ୍ରୀଡ୍ କୋ ପକ୍ଷରୁ ବିଜୁଳି ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି କରିବାକୁ ଓ.ଇ.ଆର.ସି.କୁ ପ୍ରସ୍ତାବ ଦିଆଯାଇଛି । ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ନିଜର ପରିଚାଳନାଗତ ଅପାରଗତା, ସରବରାହ ଜନିତ କ୍ଷତି ଓ ବିଜୁଳି ଚୋରିକୁ ରୋକିବାରେ ବ୍ୟର୍ଥ ଗ୍ରୀଡ୍ କୋ ଓ ଓପିଟିସିଏଲ୍ ଏବଂ ବିଭିନ୍ନ ବିଜୁଳି ଆବଂଟନ କମ୍ପାନୀମାନେ (ଟାଟା ପାୱାର) ଆର୍ଥିକ କ୍ଷତିକୁ ଭରଣା କରିବା ପାଇଁ ସଲାସୁତୁରା ହୋଇ ବିଜୁଳି ଗ୍ରାହକଙ୍କ ଉପରେ ଶୁଳ୍କ ବୃଦ୍ଧି ଲଦିବାକୁ ଯାଉଛନ୍ତି । ପାୱାରକଟ୍ ରୋକିବାରେ ଏବଂ ସାଧାରଣ ଖାଉଟିଙ୍କୁ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଜୁଳି ଯୋଗାଇବାରେ ବ୍ୟର୍ଥ ବିଜୁଳି କମ୍ପାନୀମାନେ ସାଧାରଣ ଗ୍ରାହକଙ୍କୁ ଶୋଷଣ କରୁଛନ୍ତି । ତୁରନ୍ତ ସରକାର ବିଜୁଳି କମ୍ପାନୀମାନଙ୍କର ଏହି ଶୋଷଣ ଓ ଜନବିରୋଧି ନୀତି ଉପରେ ହସ୍ତକ୍ଷେପ କରିବାକୁ ଓଡ଼ିଶା ରାଜ୍ୟ ବିଦୁ୍ୟତଦ୍ ଉପଭୋକ୍ତା ମହାସଂଘ ଦାବି କରିଛି । ବିଜୁଳି କମ୍ପାନୀମାନଙ୍କର ଏହି ଖାଉଟିମାରଣ ନୀତି ବିରୁଦ୍ଧରେ ସରକାର ଯଦି ନିରବ ରହନ୍ତି, ତାହେଲେ ଜନ ଆନ୍ଦୋଳନ ଆଗାମୀ ଦିନରେ ତୀବ୍ରତର ହେବ ବୋଲି ଶ୍ରୀ କାନୁନଗୋ ଓ ଶ୍ରୀ ବେହେରା ଏହି ପ୍ରେସ୍ ବାର୍ତାରେ ସରକାରଙ୍କୁ ଚେତାଇ ଦେଇଛନ୍ତି । ଏଠାରେ ଉଲ୍ଲେଖଥାଉକି, ଗ୍ରୀଡ୍ କୋ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଜୁଳି ୟୁନିଟ୍ ପିଛା ଘ.୩.୯୫ ପଇସା କରିବା ପାଇଁ ଗ୍ରୀଡ କୋ ଦାବି କରିଛି । ଯାହାକି ଗତବର୍ଷ ଅପେକ୍ଷା ୟୁନିଟ୍ ପିଛା ୫୪ ପଇସା ଅଧିକ । ଏହି ଶୁଳ୍କ ବୃଦ୍ଧି ପ୍ରସ୍ତାବ ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହା ବିଜୁଳି କମ୍ପାନୀମାନଙ୍କର ଖାଉଟି ଶୋଷଣ ଓ ଜନମାରଣ ନୀତିର ପ୍ରତିଫଳନ ବୋଲି ସେମାନେ କହିଛନ୍ତି ।