ତିବ୍ବତର ସ୍ଵାଧୀନତା ନିମନ୍ତେ ଓଡ଼ିଶାବାସୀ ସହଯୋଗର ହାତ ବଢାନ୍ତୁ !
ଭୁବନେଶ୍ୱର,୨୦/୧୨/୨୦୨୪ (ଓଡ଼ିଶା ସମାଚାର)-ଭାରତର ଉତ୍ତର ସୀମାକୁ ଲାଗି ରହିଥିବା ବୌଦ୍ଧ ଧର୍ମାବଲମ୍ବୀ ତିବ୍ବତ ଦେଶ ଏକ ସ୍ଵାଧୀନ ରାଷ୍ଟ୍ର, ଯାହାକୁ ଅବୈଧ ଭାବରେ ଗତ ୧୯୫୯ ମସିହାରୁ ଚୀନ ଦଖଲ କରିଛି। ଚୀନ ସରକାର ତିବ୍ବତର ସାହିତ୍ୟ, ସଂସ୍କୃତି, ଚିକିତ୍ସା ପଦ୍ଧତି, ସଭ୍ୟତା ଓ ଜନ ଚେତନାକୁ ନଷ୍ଟ କରିବା ନିମନ୍ତେ ଭରପୁର ପ୍ରୟାସ ଚଳାଇଛି। ଏଥିପାଇଁ ତିବ୍ଦତୀ ଲୋକଙ୍କୁ ଜୋର ଜବରଦସ୍ତ ନିଜ ସ୍ଥାନରୁ ନେଇ ଅନ୍ୟ ରାଜ୍ୟମାନଙ୍କରେ ରଖାହେଉଛି ଓ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ବିଭିନ୍ନ ରାଜ୍ୟରୁ ଆଣି ତିବ୍ବତ କ୍ଷେତ୍ରରେ ଥଇଥାନ କରାହୋଇ ଚୀନ ସେନାବାହିନୀ ଦ୍ଵାରା ସେମାନଙ୍କ ସହ ଜୋର ଜବରଦସ୍ତ ତିବ୍ବତୀ ଝିଅମାନଙ୍କୁ ବିବାହ ଦିଆହେଉଛି। ତିବ୍ବତୀ ପିଲାମାନଙ୍କୁ ଛୋଟବେଳୁ ଜୋର ଜବରଦସ୍ତ ଉଠାଇ ନିଆହୋଇ ବୋର୍ଡିଂ ସ୍କୁଲମାନଙ୍କରେ ଭର୍ତ୍ତି କରାହେଉଛି। ଆନ୍ତର୍ଜାତିକ ସମୁଦାୟ, ପ୍ରେସ, ମାନବାଧିକାର ସଂଗଠନମାନଙ୍କୁ ତିବ୍ବତୀ କ୍ଷେତ୍ରକୁ ଯିବା ନିମନ୍ତେ ଅନୁମତି ଦିଆହେଉ ନାହିଁ। ଏପରିକି ଏଠାରେ ଥିବା ବୌଦ୍ଧ ମଠ ସବୁକୁ ଭାଙ୍ଗି ଦେବା ସହ ଲାମାମାନଙ୍କୁ ଜେଲରେ ଭର୍ତ୍ତି କରାଯାଇ ତିବ୍ବତର ସାମାଜିକ, ଆଧ୍ୟାତ୍ମିକ, ରାଜନୈତିକ ପରିସ୍ଥିତିକୁ ଗୋଳିଆ କରି ପୃଥିବୀ ପୃଷ୍ଠରୁ ତିବ୍ବତକୁ ଲୋପ କରିଦେବା ନିମନ୍ତେ ଚୀନ ଯୋଜନା ଚଳାଇଛି।
ତିବ୍ବତର ଜନଗଣ ପରମପାବନ ଦଲାଇଲାମାଙ୍କ ନେତୃତ୍ୱରେ ଭାରତର ହିମାଚଳ ପ୍ରଦେଶ ଅନ୍ତର୍ଗତ ଧର୍ମଶାଳାରେ ବିସ୍ଥାପିତ ତିବ୍ବତ ସରକାର ମାଧ୍ୟମରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ରହୁଥିବା ତିବ୍ବତୀ ଜନତା ଓ ଭାରତ ବାହାରେ ରହୁଥିବା ଆମ ଲୋକମାନଙ୍କୁ ନେଇ ସ୍ଵାଧୀନତା ଆନ୍ଦୋଳନ ଚଳାଇ ରଖିଛି। ମହାତ୍ମା ଗାନ୍ଧୀଙ୍କ ମାର୍ଗରେ ପଣ୍ଡିତ ଜବାହରଲାଲ ନେହେରୁ, ଡ. ରାମମନୋହର ଲୋହିଆ, ଲୋକନାୟକ ଜୟପ୍ରକାଶ ନାରାୟଣ, ରବି ରାୟ ପ୍ରଭୃତିଙ୍କ ନେତୃତ୍ୱରେ ଭାରତୀୟମାନେ ଯେଭଳି ସମର୍ଥନ ଆମକୁ ଦେଇଛନ୍ତି, ସେଥିପ୍ରତି ଆମେ ଧନ୍ୟବାଦ ଦେବା ସହ ଭାରତୀୟ ବିଶେଷ କରି ଓଡ଼ିଶାବାସୀ କମ୍ୟୁନିଷ୍ଟ ଚୀନର ବିସ୍ତାରବାଦୀ ଚରିତ୍ରକୁ ବିରୋଧ କରିବାକୁ ତିବ୍ବତୀ ୟୁଥ କଂଗ୍ରେସ ପକ୍ଷରୁ ଆଜି ଲୋହିଆ ଏକାଡେମୀ ଠାରେ ଆହ୍ଵାନ କରାହୋଇଛି। ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟଙ୍କ ନେତୃତ୍ୱରେ ଅରୁଣାଚଳ ପ୍ରଦେଶର ତିବ୍ବତ ସୀମା ବୁମଲାରୁ ବାହାରିଥିବା ଏହି ଯାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଯାତ୍ରୀ ଦଳରେ ତିବ୍ବତ ୟୁଥ କଂଗ୍ରେସର ସଭାପତି ଗୋମ୍ପୋ ଧୁଣ୍ଡୁପଙ୍କ ନେତୃତ୍ୱରେ ସେରିଂ ଚୋମ୍ଫେଲ, ତେଞ୍ଜିନ ଲୋବସାଙ୍ଗ, ସେରୀଙ୍ଗ ଦୋର୍ଜି, ରିଗଜେନ ଲାହ୍ୱାଙ୍ଗ, ଫୁଣ୍ଟସେକ ଦୟା ଭୂତିଆ, ଥିନଲେ ନାମଗ୍ୟାଲ, ସୋହିୟାଲ, ତେନଜିନ ଫାଲଗେ, ତେନଜିନ ଥାରପା, କର୍ମା ସେରିଙ୍ଗ ଭୁତିଆ, ସେୱାଙ୍ଗ ଗ୍ୟାଲ୍ପୋ, ଦୱା, କର୍ମା ତାଶି, ରିନଜିନ ତଣ୍ଡୁପ, ସେରିଙ୍ଗ ୱାଙ୍ଗଡୁ, କର୍ମା ସୋନମ ରାବତେନ ପ୍ରମୁଖ ଭାରତର ୨୦ଟି ରାଜ୍ୟର ୧୫ ହଜାର କିଲୋମିଟର ଯାତ୍ରା କରି ଜନ ସଚେତନତା ଯୋଜନା ରଖିଛନ୍ତି।
ଏହି ଅବସରରେ ଭାରତ ତିବ୍ବତ ମୈତ୍ରୀ ସଂଘର ଓଡିଶା ଚାପ୍ଟର ପକ୍ଷରୁ କୃଷ୍ଣା ମହାନ୍ତି, ଶାରଦା ଚରଣ ମହାନ୍ତି, ପ୍ରଫୁଲ୍ଲ ସାମନ୍ତରା, ଡାକ୍ତର ବିଶ୍ୱଜିତ୍, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ବିରୁପାକ୍ଷ ତ୍ରିପାଠୀ, ମିହିର ପ୍ରତାପ ଦାସ, ହରିହର ସେନ, ମାନସ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ନାଥ, ଆଦ୍ୟଶ୍ଳୋକ ମିଶ୍ର, ପ୍ରମୁଖ ତିବ୍ବତର ସ୍ଵାଧୀନତା ସଂଗ୍ରାମକୁ ସମର୍ଥନ ଜଣାଇବା ସହ ଚୀନର ବିସ୍ତାରବାଦୀ ନୀତିର ଦୃଢ଼ ନିନ୍ଦା କରିଛନ୍ତି।
