ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ଆୟୋଜିତ ଶ୍ରୀ ନୃତ୍ୟୋତ୍ସବ ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ବଣ୍ଣାଢ୍ୟ ପରିବେଶରେ ଉଦଘାଟିତ

ଭୁବନେଶ୍ୱର,୦୯/୧୨/୨୦୨୩ (ଓଡ଼ିଶା ସମାଚାର)-ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ନମିତା ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ଆୟୋଜିତ ଶ୍ରୀ ନୃତ୍ୟୋତ୍ସବ ୨୦୨୩ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅତିଥିମାନଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି  । ଏହି ନୃତ୍ୟ ଉତ୍ସବଟି ଦୁଇଦିନ ଧରି ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ସଂଧ୍ୟା ୬ ଘଟିକାରୁ ଅନୁଷ୍ଠିତ ହେବ  । ଏହି ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀକୁ ଲୋକଲୋଚନକୁ ଆଣିବା ଏବଂ ତାହାର ପ୍ରଚାର ଓ ପ୍ରସାର କରିବା  ।

ଉଦଘାଟନୀ ସଂଧ୍ୟାର ଅତିଥି ସେଂଟର ଅଫ୍ ଏକ୍ସିଲେନ୍ସ ଫର ଷ୍ଟଡ଼ିଜ ଇନ କ୍ଲାସିକାଲ ଓଡ଼ିଆର ପ୍ରକଳ୍ପ ଦିର୍ଦ୍ଧେଶକ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ଜ୍ୟୋତି ରାଉତ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀମତୀ ସୀକତା ଦାସ, ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଓ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀର ସଚିବ ଶ୍ରୀମତୀ ନମିତା ରାୟଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା  ।

ସଂଧ୍ୟାର ପ୍ରଥମ ଉପସ୍ଥାପନା ଥିଲା ଗୁରୁ ନମିତା ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀର କଳାକାରମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ  । ସେମାନଙ୍କ ପ୍ରସ୍ତୁତିରେ ଥିଲା ଶ୍ରୀ ପଲ୍ଲବୀ ଯାହା ରାଗ ଶ୍ରୀ ଓ ତାଳ ତ୍ରୀପଟା ଉପରେ ନିବଦ୍ଧ ଏବଂ ନୃତ୍ୟଟି ଭକ୍ତି ଉପରେ ଆଧାରିତ ଥିଲା  । ଶ୍ରୀ ପଲ୍ଲବୀର ସଙ୍ଗୀତ ସଂଯୋଜନା ଶ୍ରୀ ରବି ଶଙ୍କର ପ୍ରଧାନ ଓ ନୃତ୍ୟ ସଂରଚନା ଗୁରୁ ନମିତା ରାୟ କରିଥିଲେ  । ପରବର୍ତୀ ପ୍ରସ୍ତୁତିଟି ଥିଲା ବାଣୀ ମାଧବଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ  । ସେ ରୂତୁ ନାୟିକା ପରିବେଷଣ କରିଥିଲେ ଯାହା ରାଗ ମାଳିକା ଓ ତାଳ ମାଳିକା ଉପରେ ପର୍ଯ୍ୟବେସିତ   ଥିଲା  । ନୃତ୍ୟଟିର ସ୍ୱର ସଂଯୋଜନାଗୁରୁ ରାମହରି ଦାସ, ସଙ୍ଗୀତ ସଂଯୋଜନା ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ସଂରଚନା ନିଜେ ବାଣୀ ମାଧବ କରିଥିଲେ  । ପରେ ପରେ ଅଶୋକ ଘୋଷାଲ ଓ ବନ୍ଦିତା ଘୋଷାଙ୍କ ଦ୍ୱାରା ଦୈତ୍ୟ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା  । ସେମାନଙ୍କ ପରିବେଷଣରେ ଥିଲା ବର୍ଷା, ବସନ୍ତ ଓ ବୈଶାଖ ଯାହାର ରଚନା ବିଣ୍ଣୁପଦ ମିଶ୍ର, ସଙ୍ଗୀତ ସଂଯୋଜନା ହିମାଂସୁ ଶେଖର ସ୍ୱାଇଁ ଓ ନୃତ୍ୟ ସଂରଚନା ନିଜେ ଅଶୋକ ଘୋଷାଲ   କରିଥିଲେ  । ପରବର୍ତୀ ପ୍ରସ୍ତୁତିଟି ଥିଲା ଗୁରୁ ନିରଞ୍ଜନ ରାଉତଙ୍କ ଦ୍ୱାରା ପ୍ରତିଷ୍ଠିତ ନୂପୁର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ  । ସେମାନଙ୍କ ପ୍ରସ୍ତୁତିରେ ଥିଲା ଅଭିନୟ ଦଶମହାବିଦ୍ୟା ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ କେ ରାମାରାଓ ପାତ୍ର ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ନିରଞ୍ଜନ ରାଉତ  । ଶେଷରେ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା ଅଷ୍ଟଶମ୍ଭୁ ପରିବେଷିତ ହୋଇଥିଲା  । ଓଡ଼ିଶୀର ଏକକ, ଯୁଗଳ ଓ ଦଳଗତ ନୃତ୍ୟ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବେଶ୍ ଉତ୍ସାହ ପ୍ରଦାନ କରିଥିଲା  ।

ଏହି କାର୍ଯ୍ୟକ୍ରମଟିକୁ ପ୍ରସ୍ତୁତିରେ ସହଯୋଗ କରିଥିଲେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସଙ୍ଗୀତ ନାଟକ ଏକାଡ଼େମୀ, ନାଲକୋ, ଇମ୍ଫା, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏଲ.ଆଇ.ସି, ପାରାଦ୍ୱୀପ ଫସଫେଟ ଲିମିଟେଡ଼୍, ମା ସାରଦା ପବ୍ଲିକେଶନ୍ ଏବଂ ଓ.ପି.ଟି.ସି.ଏଲ  । ଏହି କାର୍ଯ୍ୟକ୍ରମଟିକୁ ବିଶ୍ୱଜିତ ବଳିଆରସିଂହ ପରିଚାଳନା କରିଥିବା ବେଳେ ସଂଯୋଜନା କରିଥିଲେ ଗୁରୁ ନମିତା ରାୟ  ।

Leave a Reply

Your email address will not be published. Required fields are marked *