ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାନଯାଇ ଥଇଥାନ କରାଯିବ-କମିଶନର
ଭୁବନେଶ୍ୱର,୧୭/୧୨/୨୦୨୪ (ଓଡ଼ିଶା ସମାଚାର)- ଗତ କିଛିଦିନ ହେଲା ଭୁବନେଶ୍ୱର ମହାନଗର ନିଗମ ଓ ବିଡ଼ିଏର ମିଳିତ ଉଚ୍ଛେଦକାରୀ ଦଳ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ, ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ଉତର ନିର୍ବାଚନ ମଣ୍ଡଳୀରୁ ପାଖାପାଖି ୬୦ଟି ଜାଗାରୁ ୮ ହଜାରରୁ ଉଦ୍ଧ୍ୱର୍ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିଥିଲେ । ଯାହାଫଳରେ ଦୋକାନୀମାନେ ଏକ ପ୍ରକାର ଭୟ ଓ ଆତଙ୍କରେ ରହିଥିଲେ ଓ ମଧ୍ୟମର ଶହ ଶହ ଦୋକାନୀ ବିଧାୟକ ଅନନ୍ତ ନାରାୟଣ ଜେନା, ଉତରର ଶହ ଶହ ଦୋକାନୀ ବିଧାୟକ ସୁଶାନ୍ତ ରାଉତଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ ।
ଦୁଇ ବିଧାୟକ ଦୋକାନୀମାନଙ୍କ ଦୁଃଖ ବୁଝିବା ସହ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ସହିତ ଆଲୋଚନା କରି ମଙ୍ଗଳବାର ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କୁ ଭେଟି ଉଠାଦୋକାନୀମାନଙ୍କୁ ଉଚ୍ଛେଦ ପରିବର୍ତେ ସେହି ଜାଗାରେ ଥଇଥାନ କରିବା ଓ ସମ୍ପୂର୍ଣ୍ଣ ଉଚ୍ଛେଦ ବନ୍ଦ କରିବା, ଉଚ୍ଛେଦ ପୂର୍ବରୁ ବିଏମସି କମିଶନର ଯାଇ ଦୋକାନୀମାନେ ଓ ମହାସଂଘ ସହ ଆଲୋଚନା କରି ସମାଧାନ କରିବା, ନୂତନ ଟାଉନ ଭେଣ୍ଡିଂ କମିଟି ଗଠନ କରିବା, ଯେଉଁ ଉଠାଦୋକାନୀମାନେ ପରିଚୟ ପତ୍ର ପାଇନାହାଁନ୍ତି, ସେମାନଙ୍କୁ ପରିଚୟ ପତ୍ର ଓ ସାର୍ଟିଫିକେଟ ପ୍ରଦାନ କରିବା, ଥଇଥାନ ସମୟରେ ସ୍ୱଚ୍ଛତା ଅବଲମ୍ବନ କରିବା, ମାଷ୍ଟର ପ୍ଲାନରେ ଉଠାଦୋକାନୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଏବଂ ଉଚ୍ଛେଦ ସମୟରେ ଯେଉଁ ସଂଘ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଧେଶ ଦେଖାଉଛନ୍ତି, ତାକୁ ବିଏମସି କର୍ମଚାରୀ ସମ୍ମାନ ଦେବା ଆଦି ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ପ୍ରଥମେ ଉଚ୍ଛେଦ ବନ୍ଦ କରି ସେମାନଙ୍କୁ ସେହି ଜାଗାରେ ଭେଣ୍ଡିଂଜୋନ ପ୍ରଦାନ କରିବାକୁ ଦୁଇ ବିଧାୟକ କମିଶନରଙ୍କ ସହିତ ଆଲୋଚନା କରିଥିଲେ । କମିଶନର ଶ୍ରୀଯୁକ୍ତ ପାଟିଲ କହିଲେ ଯେ, ଜୀବନ ଜୀବିକା ହେଉଛି ଉଠାଦୋକାନୀ ମାନଙ୍କର ଅଧିକାର । ସେମାନଙ୍କ ଅଧିକାରକୁ କେହି ଛଡ଼ାଇ ନେଇପାରିବେ ନାହିଁ । ବିଏମସି ସବୁବେଳେ ଉଠାଦୋକାନୀ ମାନଙ୍କ ସହିତ ଅଛି, ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ସହିତ ହାତ ମିଳାଇ ସହରର ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯିବ । ଏହି ଆଲୋଚନାରେ ବିଏମସିର ଡେପୁଟି କମିଶନର ଅଜୟ କୁମାର ମହାନ୍ତି, ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ମହାସଂଘର ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ, ସୂର୍ଯ୍ୟମଣି ସାହୁ, ବିପିନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।