ଭୁବନେଶ୍ୱର,୧୨/୧୨/୨୦୨୪ (ଓଡ଼ିଶା ସମାଚାର)- ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ରୟାଲ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ‘ଉତ୍କଳ ଉତ୍କର୍ଷ ଚିନ୍ତନ’ ସମ୍ମେଳନ ଆୟୋଜିତ ହୋଇଯାଇଛି । କ୍ଲବ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସ୍ୱତନ୍ତ୍ର ଅତିଥି ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଅତିଥି ରୋଟାରୀ ପ୍ରାନ୍ତପାଳ ଯଜ୍ଞାଶୀଷ ମହାପାତ୍ର, ମୁଖ୍ୟବକ୍ତା ପ୍ରଫେସର କୁମରବର ଦାସ ଓ ସମ୍ମାନିତ ଅତିଥି ଭାବେ ଗବେଷକ ଅନିଲ ଧୀର୍ ଯୋଗଦେଇ ‘କାଲି, ଆଜି ଓ କାଲି’ ଶୀର୍ଷକ ଉପରେ ନିଜ ନିଜର ବିଶ୍ଲେଷଣ ଉପସ୍ଥାପିତ କରିଥିଲେ । ପରିବର୍ତିତ ପରିସ୍ଥିତିରେ ଆମ ସଂସ୍କୃତି, ଐତିହ୍ୟ, ପରମ୍ପରାରେ ଦେଖା ଦେଇଥିବା ଅବକ୍ଷୟମୁଖୀ ଧାରା ଆମ ସାମାଜିକ ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରୁଛି । ଏହି ଧାରାକୁ ପ୍ରତିହତ କରିବାକୁ ହେଲେ ରୋଟାରୀ ଭଳି ବିଶ୍ୱସ୍ତରୀୟ ସାମାଜିକ ସଂଗଠନ ଆନୁସଙ୍ଗିକ ପ୍ରୟାସ ଜାରି କରିବା ଉଚିତ୍ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ତପନ କୁମାର ମିଶ୍ର, ବିରୁପାକ୍ଷ ତ୍ରିପାଠୀ, ଦୁର୍ଗାଶିଷ, ପପୁ ମହାନ୍ତି, ଶିଶିର ଭଟ୍ଟମିଶ୍ର, ଅଶୋକ ପଣ୍ଡା, କିଶୋର ଦ୍ୱିବେଦୀ, ସୁପ୍ରିୟା ଦାସ, ବରିଷ୍ଠ ପୁଲିସ୍ ଅଧିକାରୀ ରଜତ ରାୟ, ଭରତ ସାହୁ, ଆଇନଜୀବି ସୂର୍ଯ୍ୟନାରାୟଣ ଦାସ, ରମେଶ କେଜ୍ରିୱାଲ, ଲକ୍ଷ୍ମୀନାରାୟଣ ପଟେଲ, ବନ୍ଦନାବାଳା ସାହୁ, ସମାଜସେବୀ କୃଷ୍ଣ କେଶବ ଆପଟ୍ଟ, ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରାଥା ଇତ୍ୟାଦିଙ୍କୁ ‘ଉତ୍କଳ ଉତ୍କର୍ଷ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରାନ୍ତପାଳ ଅଶ୍ୱିନୀ କର, ଶିବବ୍ରତ ଦାସ, ରବିନାରାୟଣ ନନ୍ଦ, ଦେବାଶିଷ ମିଶ୍ର, ପ୍ରଭୂଦତ ସୁବୁଦ୍ଧି, ନିର୍ବାଚିତ ପ୍ରାନ୍ତପାଳ ଅନିଲ୍ ସାମଲ, ପରବର୍ତୀ ପ୍ରାନ୍ତପାଳ ମନୋଜ ତ୍ରିପାଠୀ ଓ ପ୍ରାକ୍ତନ ସଭାପତି ଫୋରମ ଅଧ୍ୟକ୍ଷ ପ୍ରଶାନ୍ତ ମିଶ୍ର ପ୍ରମୁଖ ଭାଗ ନେଇଥିଲେ । କ୍ଲବର ପରବର୍ତୀ ସଭାପତି ଅର୍ଜୁନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲା ବେଳେ କ୍ଲବର ଜନଛବି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।