ଡିସେମ୍ବର ୧୫ରେ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ

‘ଅକ୍ଷୟ ଶକ୍ତିର ଉତ୍ସ, ବ୍ୟବହାର ଓ ସୁଯୋଗ’ ଶୀର୍ଷକ ଜାତୀୟସ୍ତରୀୟ ଆଲୋଚନାଚକ୍ର
ଭୁବନେଶ୍ୱର,୧୨/୧୨/୨୦୨୪ (ଓଡ଼ିଶା ସମାଚାର)- ଚଳିତବର୍ଷର ମର୍ଯ୍ୟାଦାଜନକ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ-୨୦୨୪ ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଚଳିତବର୍ଷର ଏହି ସମ୍ମାନ ପ୍ରଦାନ କରାଯିବ । କଳା, ସାହିତ୍ୟ, ସଂସ୍କୃତି, ସମାଜସେବା, ସାମ୍ବାଦିକତା, ଉଦ୍ୟୋଗ ତଥା ବିଭିନ୍ନ କ୍ଷେତ୍ରରେ ସମାଜକୁ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ସମ୍ମାନିତ କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ‘ଅକ୍ଷୟ ଶକ୍ତିର ଉତ୍ସ, ବ୍ୟବହାର ଓ ସୁଯୋଗ’ ଶୀର୍ଷକ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ସମଗ୍ର ବିଶ୍ୱରେ ଦେଖା ଦେଇଥିବା ଶକ୍ତି ସଙ୍କଟର ମୁକାବିଲା ପାଇଁ ଅକ୍ଷୟ ଶକ୍ତି ହିଁ ଏକମାତ୍ର ବିକଳ୍ପ । ସୌରଶକ୍ତି, ପବନ ଶକ୍ତି, ଜଳ ଓ ଜୁଆର ଶକ୍ତିକୁ ବ୍ୟବହାର କରି ଆଗାମୀ ଦିନର ଶକ୍ତି ସଙ୍କଟ ଦୂର କରିବା ପାଇଁ କିଭଳି ଦୀର୍ଘମିଆଦୀ ଯୋଜନା କରାଯାଇ ପାରିବ ସେ ବିଷୟରେ ନିମନ୍ତ୍ରିତ ବିଶେଷଜ୍ଞମାନେ ସେମାନଙ୍କ ବିଚାର ଓ ମତ ରଖିବେ । ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଏହିସବୁ ଯୋଜନା ଉପରେ କିଭଳି ଆଗାମୀ ଦିନରେ ଦୀର୍ଘସୂତ୍ରୀ ଯୋଜନା ନେଇ କାର୍ଯ୍ୟ କରାଯିବ, ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ସେହିପରି ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ, କୌତୁକିଆ ପୋଷାକ ପରି ଆକର୍ଷଣୀୟ ପ୍ରତିଯୋଗିତାମାନ ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଦେଶର ଜଣାଶୁଣା ସାମାଜିକ କର୍ମୀ ଡ. ବିପିନ ବିହାରୀ ମିଶ୍ର ଉପସ୍ଥିତ ରହି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଓଡ଼ିଶା ମୁଖ୍ୟ ରବୀନ୍ଦ୍ରନାଥ ରାଉତରାୟ ଏବଂ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ । ଡିସେମ୍ବର ୧୫ ତାରିଖରେ ଜୟଦେବ ଭବନଠାରେ ଆୟୋଜିତ ହେବାକୁ ଯାଉଥିବା ଏହି ଜାତୀୟସ୍ତରୀୟ ମର୍ଯ୍ୟାଦାଜନକ ପୁରସ୍କାର ସମାରୋହରେ ସମସ୍ତ ଜନାଧାରଣ ଉପସ୍ଥିତ ରହିବା ପାଇଁ ଫାଉଣ୍ଡେସନ ତରଫରୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *