୪୬ ବର୍ଷ ପରେ ଏକାଠି ହେଲେ ବନ୍ଧୁ

ଭୁବନେଶ୍ୱର,୧୨/୧୨/୨୦୨୪ (ଓଡ଼ିଶା ସମାଚାର)- ଆଠ ନମ୍ବର ସରକାରୀ ବାଳକ ବିଦ୍ୟାଳୟର ୧୯୭୮ ବ୍ୟାଚ୍ ର ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁମିଳନ ବାଲିଅନ୍ତା ଠାରୁ କିଛି ଦୂରରେ ଥିବା ପ୍ରାକୃତିକ କୋଳରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନରେ ୩୦ଜଣ ବନ୍ଧୁ ପରସ୍ପର ଭିତରେ ବାଂଟିଥିଲେ କିଛି ସ୍ମୃତି ଓ ଅନୁଭୂତି । କିଛି ସୁଖ, କିଛି ଦୁଃଖ, ପରିଣତ ବୟସରେ ସମାଜ ପାଇଁ କିଛି କରିବାର ପ୍ରତିଶ୍ରୁତି । ମନୋରମ ପରିବେଶ, ଶୀତୁଆ ସକାଳ, ଟିକେ ଟିକେ ବର୍ଷା, ବାଃ ନେଇଯାଇଥିଲା ସମସ୍ତଙ୍କୁ ଗୋଟେ ସ୍ୱପ୍ନର ରାଇଜକୁ, ଯେଉଁଠି ସମସ୍ତେ ଖୋଜୁଥିଲେ ଅତୀତକୁ, ପିଲାଦିନର ପୁରୁଣା ସ୍ମୃତିକୁ । ଆଜ୍ଞା ଆପଣର କାଠଗଡ଼ା ଭିତରୁ ବାହାରି ଯାଇ ଖୋଜୁଥିଲେ ସେଇ ତୁ, ତା’ର ଦିନକୁ । ସମୟ ତ ଖୁବ୍ ଆଗେଇ ଯାଇଥିଲା, ୪୬ ବର୍ଷ କିଛି କମ୍ କଥା ନୁହେଁ । ଆମେ କିନ୍ତୁ ଫେରିଥିଲୁ ପଛକୁ, ସମୟକୁ ଭ୍ରୁକ୍ଷେପ ନକରି । ପକ୍ୱକେଶ, ବାର୍ଦ୍ଧକ୍ୟକୁ ଭୁଲି କିଛି ସମୟ ପାଇଁ ଆମେ ହୋଇଯାଇଥିଲୁ ତାରୁଣ୍ୟରେ ଛଳଛଳ, ସମସ୍ତେ ଶୁଣୁଥିଲେ ଯେମିତି ଅତୀତର ମଧୁର ସଙ୍ଗୀତ ।
ବିଶ୍ୱନାଥ ପତି ତା ଯୌବନର ମୁମ୍ବାଇ ଗସ୍ତର ସ୍ମୃତି ବଖାଣୁଥିଲା । ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ । ଭାନୁ, ଜିତେନ୍ଦ୍ର (ତଜୁ), ଲୋକନାଥଙ୍କ ଅକ୍ଲାନ୍ତ ପରିଶ୍ରମ ରୂପ ଦେଇଥିଲା ଏଇ ବନ୍ଧୁ ମିଳନକୁ । ଅମୀୟ, ଅସିତ, ଚଣ୍ଡୀ, ମିହିର, ହିମାଂଶୁ, ବରଦା, କ୍ଷେତ୍ରମୋହନ, ସଞ୍ଜୀବ, ଜ୍ୟୋତିରଞ୍ଜନ, ପ୍ରାଣକୃଷ୍ଣ, ବିଭୂତି, ଅବନୀ, ଦିଲ୍ଲୀପ, ପ୍ରଫୁଲ୍ଲ, ଦେବବ୍ରତ, ଗୌରୀ, ଚିତରଞ୍ଜନ, ବିଶ୍ୱନାଥ ସାମନ୍ତରାୟ ପରସ୍ପର ଭିତରେ ସ୍ମୃତି ବାଂଟୁଥିଲେ । ସମୟ ଅଟକି ଯାଇଥିଲା କିଛି ସମୟ ପାଇଁ । ମନେ ପଡ଼ିଥିଲେ ଆମ ଗହଣରୁ ହଜିଯାଇଥିବା ଦେବାନନ୍ଦ ସୁବୁଦ୍ଧି, ଗିରିଜା ଶଙ୍କର ମହାନ୍ତି, ସୁଦାମ ପେରା, ପ୍ରଦୀପ୍ତ କୁମାର ଦାସ, ସୁଶାନ୍ତ ରାୟ, ରଜନୀକାନ୍ତ ସ୍ୱାଇଁ, ଅରୁଣ ରାୟ ପ୍ରମୁଖ ୭ ଜଣ ବନ୍ଧୁ । ସେମାନଙ୍କ ଲାଗି ୧ ମିନିଟ୍ ନୀରବ ପ୍ରାର୍ଥନା କଲାବେଳେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଡାକୁଥିଲୁ, ହେ ପ୍ରଭୁ, ଆଗାମୀ ବନ୍ଧୁମିଳନ ବେଳକୁ ଯେତିକି ଅଛୁ, ସେତିକି ଥାଉ । ସନ୍ଧ୍ୟା ନଇଁ ଆସୁଥିଲା, ଫେରୁଥିଲୁ ବିଦାୟ ନେଇ ପରସ୍ପର ଠାରୁ । ମନ କିନ୍ତୁ ରହିଯାଇଥିଲା ସେଇଠି, ପୁଣି ମିଶିବାର ଇଚ୍ଛା ନେଇ । ୩୦ ଜଣ ବନ୍ଧୁ ଅତ୍ୟନ୍ତ ଭାବ ବିହ୍ୱଳ ହୋଇ ସ୍କୁଲ୍ ଜୀବନର ସ୍ମୃତିଚାରଣ କରିଥିଲେ ବୋଲି ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *