ଭୁବନେଶ୍ୱର, ୧୦/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏକ ପ୍ରଭାବୀ ଓ ଫଳପ୍ରଦ ସାମୁଦି୍ରକ ନୀତି ପ୍ରଣୟନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନସ୍ଥ ବନ୍ଦର ଓ ଆଭ୍ୟନ୍ତରୀଣ ଜଳପଥ ନିର୍ଦ୍ଦେଶାଳୟ ଓ ଆଇଆଇଟି, ମାଡ୍ରାସସ୍ଥିତ ବନ୍ଦର, ଜଳପଥ ଓ ଉପକୂଳ ନିମନ୍ତେ
ଜାତୀୟ ବୈଷୟିକ କେନ୍ଦ୍ର (ନ୍ୟାସନାଲ ଟେକ୍ନୋଲୋଜି ସେଣ୍ଟର ଫର ପୋର୍ଟସ, ୱାଟରେୱଜ୍ ଆଣ୍ଡ କୋଷ୍ଟସ୍) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଉଦ୍ଦେଶ୍ୟରେ ଆୟୋଜିତ ଏକ ପ୍ରାଥମିକ ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଉପସ୍ଥିତ ରହି ଏକ ସମୃଦ୍ଧ ତଥା ଉପଯୋଗୀ ସାମୁଦି୍ରକ ନୀତି ପ୍ରଣୟନ ଉପରେ ଓଡ଼ିଶାର ଅର୍ଥନୈତିକ ବିକାଶ ନିର୍ଭର କରେ ବୋଲି ଉଲ୍ଲେଖ କରିଥିଲେ ।
ବୈଠକରେ ନ୍ୟାସନାଲ ଟେକ୍ନୋଲୋଜି ସେଣ୍ଟର ଫର ପୋର୍ଟସ, ୱାଟରେୱଜ୍ ଆଣ୍ଡ କୋଷ୍ଟସର ଡିନ୍ ପ୍ରଫେସର କନ୍ଥରାଜ ମୁରଲୀ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନା ମାଧ୍ୟମରେ ସାମୁଦି୍ରକ ନୀତି ପ୍ରଣୟନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବୈଠକରେ ଉପସ୍ଥିତ ବିଭିନ୍ନ ଅଂଶୀଦାରମାନଙ୍କ ନିକଟରୁ ମତାମତ, ପ୍ରସ୍ତାବ ଓ ପରାମର୍ଶ ଇତ୍ୟାଦି ଆମନ୍ତ୍ରଣ କରାଯାଇଛି । ନୀତି ପ୍ରଣୟନ ବାବଦରେ ବିଭିନ୍ନ ସୂଚନା ମଧ୍ୟ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା । ଏହି ସୂଚନା ଆଧାରରେ ଅଂଶୀଦାରମାନେ ମତାମତ ଦେବାକୁ ବୈଠକରେ ଅନୁରୋଧ କରାଯାଇଛି । ବୈଠକରେ ବିଭିନ୍ନ ସରକାରୀ ବିଭାଗର ପଦାଧିକାରୀ, ପରିବହନ ତଥା ସାମୁଦି୍ରକ ବାଣିଜ୍ୟ ବିଶେଷଜ୍ଞ, ବନ୍ଦର ପରିଚାଳକ ଏବଂ ବୋଟ୍ ମାଲିକ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
-0-
ସୂର୍ଯ୍ୟ ମିଶ୍ର,ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ