ରାଉରକେଲା,୦୯/୧୨/୨୦୨୪ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ)- ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ୧୩୭ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।
ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ରେ ବୀଣାପାଣି ରାୟ ଙ୍କ ସଭାପତିତ୍ବ ଓ ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ମୋହାନ୍ତିଙ୍କ ସଂଯୋଜନାରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ବାରା ପୁରସ୍କୃତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଓ ବିଦ୍ୟୁତ କଲୋନୀ ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂହ ସମ୍ମାନିତ ଅତିଥି, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ କାନ୍ତକବି ଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ
ଯେ ଲକ୍ଷ୍ମୀକାନ୍ତ ଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ। ଓଡ଼ିଆ ଜାତି ମଧ୍ୟରେ ନିକୃଷ୍ଟତାକୁ ଦୂରକରି ଦୃତ ଆତ୍ମବିଶ୍ଵାସ ଜଗାଇବା କାନ୍ତକବି ଙ୍କ କବିତା ଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଓଡ଼ିଆ ମାନଙ୍କର ହଜିଯାଇଥିବା ଖ୍ୟାତି ଏବଂ ପୁରାତନ ପରମ୍ପରା କୁ ଫେରି ପାଇବାର ତଥା ମାତୃଭୂମି ଏବଂ ମାତୃଭାଷା ପ୍ରତି ପ୍ରେମ ଓ ଭକ୍ତିଭାବ ଜାଗ୍ରତ କରିବା ତାଙ୍କ କବିତାର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ। ବନ୍ଦେ ଉତ୍କଳ ଜନନୀ ଭଳି ଅନେକ କାଳଜୟୀ ସଂଗୀତର ସ୍ରଷ୍ଟା ତଥା ବୁଢାଶଙ୍ଖାରୀ ଗଳ୍ପ ଅବା ଜୀବନ ସଂଗୀତ କବିତା ପାଇଁ
ସେ ପାଠକଙ୍କ ନିକଟରେ ଆଦୃତ ଥିଲେ। ଅତିଥି ମାନେ କାନ୍ତକବି ଙ୍କୁ ଏକାଧାରରେ କବି, ସଂଗୀତକାର, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ତଥା ଶିଶୁ ସାହିତ୍ୟିକ ଭାବେ ଅବହିତ କରିଥିଲେ। ପ୍ରାରମ୍ଭରେ ସଂଯୋଜକ ଶ୍ରୀମତୀ ମୋହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହାପରେ ବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସହ ସ୍ବାଗତ ସଂଗୀତ ଗାନ କରିଥିଲେ। ଏହି ଅବସରରେ ଛାତ୍ର ସୋନୁ ଶର୍ମା ଲକ୍ଷ୍ମୀକାନ୍ତ ଙ୍କ ଜୀବନୀ ସମ୍ପର୍କରେ ଓ ସମ୍ମାନିତ ଅତିଥି ଶ୍ରୀ ସିଂହ କବି ଙ୍କ ଏକ ମାର୍ମିକ କବିତା ଗାନ କରିଥିଲେ। ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସଭାପତି ଶ୍ରୀମତୀ ରାୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷୟିତ୍ରୀ ସଞ୍ଜୁଲତା ଚିନ୍ନରା, ଶିକ୍ଷକ ଅମର କୁମାର ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ୧୩୭ ତମ ଜୟନ୍ତୀ ପାଳିତ
