ସେପ୍ଟେମ୍ବର ୨୦ରେ ଯାଜପୁରରେ ଅନୁଷ୍ଠିତ ହେବ ଏକ ଦିବସୀୟ ଚିତ୍ରକଳା ପ୍ରତିଯୋଗିତା-ତଥା-ପ୍ରଦର୍ଶନୀ

ଯାଜପୁର, ୧୭/୦୯/୨୦୨୫ (ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଜାରି ସେବା ପର୍ବ – ୨୦୨୫ ପାଇଁ  ମାର୍ଗଦର୍ଶିକା ଅନୁଯାୟୀ ଯାଜପୁର ଜିଲ୍ଲା ପ୍ରଶାସନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ନିର୍ଦ୍ଦେଶାଳୟର ସହଯୋଗରେ ସେପ୍ଟେମ୍ବର ୨୦, ୨୦୨୫ରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ଯାଜପୁର ଟାଉନ ଠାରେ ଏକ ଦିନିକିଆ ଚିତ୍ରକଳା ପ୍ରତିଯୋଗିତା-ତଥା-ପ୍ରଦର୍ଶନୀ ଆୟୋଜନ ହେବାକୁ ଯାଉଅଛି।

ଏହି ପ୍ରତିଯୋଗିତା-ତଥା-ପ୍ରଦର୍ଶନୀ ଯାଜପୁର ଜିଲ୍ଲାର ପ୍ରଖ୍ୟାତ ଚିତ୍ରଶିଳ୍ପୀମାନେ “ବିକଶିତ ଭାରତ – ୨୦୪୭” ବିଷୟବସ୍ତୁ ଉପରେ ସେମାନଙ୍କର କାରୁକାର୍ଯ୍ୟ ଏବଂ ଜୀବନ୍ତ ସୃଷ୍ଟି ଉପସ୍ଥାପନ କରିବେ, ଯାହା ସ୍ୱାଧୀନତାର ଶତବାର୍ଷିକୀ ବର୍ଷ ସୁଦ୍ଧା ଏକ ବିକଶିତ, ଅନ୍ତର୍ଭୁକ୍ତ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ର ଭାବରେ ଭାରତର ଦୃଷ୍ଟିକୋଣକୁ ପ୍ରତିଫଳିତ କରିବ। ପ୍ରତିଯୋଗିତା ତିନୋଟି ବର୍ଗରେ ଅନୁଷ୍ଠିତ ହେବ: 1. ବୃତ୍ତିଗତ/ପେଶାଭିତ୍ତିକ ସ୍ଥାନୀୟ କଳାକାର 2. କଲେଜ/ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ 3. ସ୍କୁଲରେ ଅଧ୍ୟୟନରତ  ଛାତ୍ରଛାତ୍ରୀ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରୁ ମନୋନୀତ କଳାକୃତିଗୁଡ଼ିକୁ ୨୫ ସେପ୍ଟେମ୍ବର ୨୦୨୫ ରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଦର୍ଶିତ ଏବଂ ମୂଲ୍ୟାଙ୍କନ କରାଯିବ।

ଅଂଶଗ୍ରହଣକାରୀମାନଙ୍କୁ ଭାରତର ସ୍ୱାଧୀନତାର ଶତବାର୍ଷିକୀ ବର୍ଷ ସୁଦ୍ଧା ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା, ସ୍ଥାୟୀ ବିକାଶ, ମହିଳା ସଶକ୍ତିକରଣ, ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ଏବଂ ବିଶ୍ୱସ୍ତରୀୟ ଅଗ୍ରଣୀ ଦେଶ  ଭାବରେ ଭାରତର ଭୂମିକା ଭଳି ବିଷୟବସ୍ତୁ ଅନୁସନ୍ଧାନ କରିବାକୁ ଉତ୍ସାହିତ କରାଯାଉଅଛି। ଆଗ୍ରହୀ ଅଂଶଗ୍ରହଣକାରୀମାନେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ, ଯାଜପୁର ସହିତ ଯୋଗାଯୋଗ କରିପାରିବେ ଏବଂ ୨୦.୦୯.୨୦୨୫ ସକାଳ ୯ ଟା ସୁଦ୍ଧା ଯାଜପୁର ଟାଉନର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ପହଞ୍ଚି ପଞ୍ଜୀକରଣ କରିପାରିବେ। ଯାଜପୁର ଜିଲ୍ଲାର ସମସ୍ତ ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଏବଂ ସମସ୍ତ ଅଗ୍ରଣୀ ଚିତ୍ର କଳାକାର ମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବା ପାଇଁ  ଜିଲ୍ଲା ସଂସ୍କୃତି ଅଧିକାରୀ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *