ଓଡ଼ିଶା ଡାଟା, ପଲିସି ଏବଂ ଇନୋଭେସନ ସେଣ୍ଟର (ଡିପିଆଇସି)ର ନୂତନ କାର୍ଯ୍ୟାଳୟ ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ ଦ୍ଵାରା ଉଦ୍ଘାଟିତ  

ରାଜ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ଅଭିବୃଦ୍ଧିର ଉଚ୍ଚ ପ୍ରଶଂସା କଲେ ପ୍ରଫେସର କ୍ରେମର

ଭୁବନେଶ୍ୱର, ୦୯/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା କମ୍ପୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ପରିସରରେ ଡାଟା, ପଲିସି ଆଣ୍ଡ ଇନୋଭେସନ ସେଣ୍ଟର (ଡିପିଆଇସି)ର ନୂତନ କାର୍ଯ୍ୟାଳୟ ଚିକାଗୋ ବିଶ୍ୱବିଦ୍ୟାଳୟର ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଶାସନ ସଚିବ-ତଥା-ସିଇଓ ଓକାକ ଡ଼ ପ୍ରଦୀପ କୁମାର ରାଉତ, ଡିପିଆଇସିର ମୁଖ୍ୟ ପରିଚାଳିକା ଉର୍ମିଳା ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶାର ଏହି ଆଧୁନିକ ଡାଟା ଆନାଲିଟିକ୍ସ ହବ୍ ବିଭିନ୍ନ ଉତ୍ସରୁ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦେବା ସହିତ ସଂଗୃହିତ ତଥ୍ୟର ବ୍ୟବହାର ଦ୍ଵାରା ପ୍ରଚଳିତ କାର୍ଯ୍ୟକ୍ରମଗୁଡ଼ିକ କିପରି ଅଧିକ ଫଳପ୍ରଦ ହୋଇପାରିବ ଏବଂ ନୀତି ନିର୍ଦ୍ଧାରଣରେ କିପରି ଅଧିକ ଉନ୍ନତି ଆସିପାରିବ ସେ ଦିଗରେ କାର୍ଯ୍ୟ କରିବ । ଶକ୍ତି, ପରିବେଶ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଏବଂ ଜଳ ଓ ପରିମଳ ଇତ୍ୟାଦି କ୍ଷେତ୍ରରେ ଗବେଷଣା, ତଦାରଖ ଓ ପ୍ରଭାବ ମୂଲ୍ୟାଙ୍କନ ଆଦି କ୍ଷେତ୍ରରେ ସରକାରଙ୍କୁ ତଥ୍ୟ ପ୍ରଦାନ କରିବ । ଏହି ପ୍ରୟାସ ଦ୍ଵାରା ପ୍ରଚଳିତ ବ୍ୟବସ୍ଥାରେ ଉନ୍ନତି କରାଯାଇପାରିବ ।

ଓଡ଼ିଶା ସରକାର ଏବଂ ୟୁନିଭର୍ସିଟି ଅଫ୍ ସିକାଗୋ ଟ୍ରଷ୍ଟ (ଡିପିଆଇସି)ର କାର୍ଯ୍ୟକାରିତାକୁ ପ୍ରଶଂସା କରିବା ସହିତ ଭବିଷ୍ୟତରେ ନୀତି ନିର୍ଦ୍ଧାରଣରେ ଆହୁରି ଉନ୍ନତି ଆସିପାରିବ ବୋଲି ପ୍ରଫେସର କ୍ରେମର ମତବ୍ୟକ୍ତ କରିଥିଲେ । ଏହା ସହ ସେ ରାଜ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ । ଅଧିକନ୍ତୁ, ଏପରି ଅନେକ କ୍ଷେତ୍ର ଅଛି ଯେଉଁଠାରେ ଡାଟା-ପରିଚାଳିତ ନୀତି ବିଶ୍ଳେଷଣ ସଦ୍ୟ ନୀତିରେ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ଯୋଡିପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

-0-

ସୌରଭ ପ୍ରଧାନ, ଲୋକ ସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *