ଲୋକାଭିମୁଖୀ ଶାସନର ଅଭିନବ ପ୍ରୟାସ ସାବ୍ୟସ୍ତ ହୋଇଛି ବିକାଶ ବାହନ

                     ଲୋକଙ୍କ ନିକଟକୁ ଯାଇ ଯୋଗାଇଛି ଜରୁରୀ ସେବା: ମନ୍ତ୍ରୀ ରବି ନାରାୟଣ ନାଏକ

ଭୁବନେଶ୍ୱର,୨୪/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୋକଙ୍କ ସ୍ବପ୍ନ ଓ ସଂକଳ୍ପକୁ ସାକାର କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ସେଥିପାଇଁ ଏକ ବର୍ଷ ମଧ୍ୟରେ ପ୍ରଣୀତ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମର ଲାଭ ଯେପରି ଜନସାଧାରଣ ପାଇ ପାରିବେ ସେଥିପ୍ରତି ମଧ୍ୟ ସରକାର ବେଶ ଯତ୍ନବାନ ଅଛନ୍ତି । ସେହି ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ସୂଚନା-ଶିକ୍ଷା-ସଂଚାର  ପାଇଁ ଉଦ୍ଦିଷ୍ଟ ବିକାଶ ବାହନ । ଜୁନ ୧୨ ତାରିଖରୁ ୩୧୯ଟି ବିକାଶ ବାହନ  ରାଜ୍ୟର ସମସ୍ତ ବ୍ଲକ ଓ ମହାନଗର ନିଗମରେ ପ୍ରାୟ ୧.୫ ଲକ୍ଷ କିମି ଯାତ୍ରାକରି  ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଓ ଅନେକ ଯୋଜନାର ହିତାଧିକାରୀଙ୍କୁ ସିଧାସଳଖ ଯୋଜନାର ଲାଭ ପହଞ୍ଚାଇପାରିଛି ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ପ୍ରକାଶ କରିଛନ୍ତି ।

ଏହି ବିକାଶ ବାହନ ଗୁଡିକ ରାଜ୍ୟର ସମସ୍ତ ୩୧୪ ବ୍ଲକ, ୧୧୫ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୫ ଟି ମହାନଗର ନିଗମରେ ଲୋକଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଓ ବିକାଶର ବାର୍ତ୍ତା  ପହଞ୍ଚାଇଛନ୍ତି । ଏହି ସୂଚନା- ଶିକ୍ଷା- ସଂଚାର ଆଧାରିତ ବିକାଶ ବାହନ ଗୁଡ଼ିକ ଦ୍ବାରା ୧୦ ଦିନ ଧରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅନ୍ତର୍ଗତ ଯୋଜନା ଗୁଡ଼ିକର ସୁଫଳ ଲୋକଙ୍କ ନିକଟରେ ସିଧା ସଳଖ ଭାବରେ ପହଞ୍ଚାଯାଇଥିଲା ।  ଏହା ମାଧ୍ୟମରେ ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ୪୫, ୯୩୩ କାର୍ଯ୍ୟାଦେଶ ବଣ୍ଟନ,  ୮୯୧୯୩ ଏମ୍ ଜିଏନ୍ଆର୍ ଇଜିଏ ଜବ୍ କାର୍ଡ ବଣ୍ଟନ,   ୪୭,୩୪୨ ରାସନ୍ କାର୍ଡ, CM- KISAN ରେ ୧, ୩୨, ୯୩୩ ଓ PM- KISAN ଅଧିନରେ ୯୯,୬୭୭ ହିତାଧିକାରୀଙ୍କୁ  ସାମିଲ କରାଯାଇଛି ।

ଏହି ସମୟ ମଧ୍ୟରେ ଏବିପିଏମ୍ ଜେଏୱାଇ ବୟ ବନ୍ଦନା ଯୋଜନା ଅଧୀନରେ  ୧,୪୯,୩୪୩ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ୧୩,୦୩୮ ଟି ବ୍ୟକ୍ତିଗତ ପଟ୍ଟା ଓ ୨୨୮୫ଟି ଗୋଷ୍ଠି ପଟ୍ଟା କରାଯାଇ ପାରିଛି । ଏକ୍ ପେଡ୍ ମାଁ କେ ନାମ୍ ରେ ୨,୮୩,୪୦୯ ଟି ଚାରା ରୋପଣ କରାଯାଇଛି । ୫୯,୬୯୭ ନୂତନ ହିତାଧିକାରୀଙ୍କୁ    ଭତ୍ତା ଦିଆଯାଇଛି । ବିକାଶ ବାହନ ଗୁଡ଼ିକ ମାଧ୍ୟମରେ ୨୦୯୯୮ଟି ନୂତନ ଜନଧନ୍ ଆକାଉଣ୍ଟ ଖୋଲାଯାଇଛି , ୫୧୧୧୩ ହିତାଧିକାରୀଙ୍କ  ନୂତନ ଆଧାର୍ କାର୍ଡ ପଞ୍ଜୀକରଣ କରାଯାଇଛି । ଲେବର୍ କାର୍ଡରେ ୨୬,୮୯୭ ନୂତନ ହିତାଧିକାରୀ, କିସାନ୍ କ୍ରେଡିଟ୍ କାର୍ଡରେ ୨୭,୧୯୪ ନୂତନ ହିତାଧିକାରୀ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ୧୭,୦୬୬ ନୂତନ  ହିତାଧିକାରୀଙ୍କୁ ସାମିଲ କରାଯାଇପାରିଛି ।      

  ଏହି ବିକାଶ ବାହନ   ମାଧ୍ୟମରେ ସରକାରୀ ଯୋଜନାର ହିତାଧିକାରୀ ଏବଂ ସମ୍ଭାବ୍ୟ ହିତାଧିକାରୀଙ୍କ ସହିତ ଆଲୋଚନା, ମତାମତ ସଂଗ୍ରହ ଏବଂ ଅଭିଯୋଗ ସଂଗ୍ରହ ସହିତ ଅଭିଯୋଗର ତ୍ଵରିତ ସମାଧାନ ପାଇଁ ପ୍ରଚେଷ୍ଟା   କରାଯାଇଥିଲା  । ଏହା ସହ ବିକାଶ ବାହନ ଯୋଗେ ଡାଏରିଆଜନିତ ସଚେତନତା ବାର୍ତ୍ତା ମଧ୍ୟ ସମସ୍ତ ପଞ୍ଚାୟତକୁ ପହଞ୍ଚା ଯାଇ ପାରିଥିଲା । ସମସ୍ତ ବିକାଶ ବାହନର ଗତିପଥ ଓ କାର୍ଯ୍ୟ ଉପରେ   ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମୁଖ୍ୟାଳୟରୁ ଦୃଷ୍ଟି ରଖାଯାଇଥିଲା । ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ସହ ସରକାରୀ ସେବା ଗୁଡିକୁ ଲୋକଙ୍କ ନିକଟକୁ ପହଞ୍ଚାଇବାର ସଂକଳ୍ପ ଓ ବିକାଶର ବାର୍ତ୍ତା  ବିକାଶ ବାହନ ସୁଶାସନର ଏକ ଅଭିନବ ପ୍ରୟାସ  ସାବ୍ୟସ୍ତ ହୋଇଛି ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି  ।

-0-

 ବିନାୟକ ମିଶ୍ର, ଲୋକସମ୍ପର୍କ ଅଧିକାରୀ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *