ଯାଜପୁର ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ।

ଯାଜପୁର, ୦୫/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା କୃଷି ବିଭାଗ ର ଏଫ୍.ଆଇ. ଏ.ସି ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅରୁଣ କୁମାର ବେହେରା କହିଲେ ଚଳିତ ବର୍ଷ ବିଶ୍ଵ ମୃତ୍ତିକା ଦିବସର ବିଷୟ ବସ୍ତୁ “ମୃତ୍ତିକାର ପରିମାପ, ପର୍ଯ୍ୟବେକ୍ଷଣ ଓ ପରିଚାଳନା” ରାଜ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ  ଯାଜପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବରାଳ ଯୋଗଦେଇ କହିଲେ ଯେ ମାଟି ଆମର ମା’ ମୃତ୍ତିକା ର ସଂରକ୍ଷଣ ହେଲେ ପରିବେଶର ସଂରକ୍ଷଣ କରାଯାଇପାରିବ। ଆମେ ପାରମ୍ପରିକ ଖତରେ ଚାଷ କଲେ ଓ ଜୈବିକ ଖତର ବହୁଳ ବ୍ୟବହାର କରିବା ଦ୍ଵାରା ମାଟିର ଉର୍ବରତା ବଢିବା ସହ ମାଟିର ସଂରକ୍ଷଣ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ମାଟିର ପରୀକ୍ଷା କରାଯାଇ ମାଟି ଆବଶ୍ୟକ କରୁଥିବା କେଉଁ ସାର ଓ କେତେ ପରିମାଣର ବ୍ୟବହାର କରିବା ଦ୍ଵାରା ମାଟିର ଊର୍ବରତା ବଢ଼ିପାରିବ, ମାଟିର ଉର୍ବାରତା ବଢିଲେ ଉତ୍ପାଦନ ବଢିବା ସହିତ ଚାଷୀ ମଧ୍ୟ ଲାଭାଦାୟୀ ହୋଇପାରିବେ।ଚାଷୀ ଭାଇମାନେ କିଭଳି ଜୈବିକ ଖତ ବ୍ୟବହାର କରିବେ, ଚାଷୀଭାଇମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ବରାଳ ଚାଷୀମାନଙ୍କୁ  ରାସାୟନିକ ସାର ସାଙ୍ଗରେ ଉପଲବ୍ଧ ଅନୁଯାୟୀ କୌଣସି ଜୈବିକ ସାର ଯେପରିକି କମ୍ପୋଷ୍ଟ, ଜିଆ ଖତ , ଗୋବର ଖତ ଆଜୋଲା, ବି.ଜି.ଏ, ସବୁଜ ସାର ଆଦିର ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ଯାଜପୁର ଜିଲ୍ଲାରେ ପୂର୍ବରୁ ଉପଲବ୍ଧ ଥିବା ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷଣ ଭ୍ୟାନ ଗୁଡ଼ିକୁ ପୁନଃ ଯାଜପୁର ଜିଲ୍ଲାକୁ ଆଣିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ  ପରାମର୍ଶ ଦେଇଥିଲେ। ଯାଜପୁର ଜିଲ୍ଲାରେ କିପରି ଆଳୁ ଚାଷ କରାଯାଇପାରିବ ଚାଷୀମାନଙ୍କୁ ସଚେତନ କରାଯାଇ ସରକାରଙ୍କଠାରୁ ଆସୁଥିବା ଉତ୍ତମମାନର ଆଳୁ ବିହନ ବ୍ଲକ୍ ସ୍ତରରେ ଥିବା କୃଷି ଅଧିକାରୀମାନେ ଚାଷୀ ମାନଙ୍କୁ ବଣ୍ଟନ କରିବା ସହିତ କିପରି ଆଳୁ ଚାଷରେ ଅଧିକ ଉତ୍ପାଦନ ହୋଇପାରିବ ସେଥିପ୍ରତି ଯତ୍ନବାନ ହେବା ଦରକାର। ଏହି ଦିବସ ରେ ଯୋଗଦେଇ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଅରୁଣ କୁମାର ପାତ୍ର କହିଲେ ଯେ ଶିଶୁର ଯତ୍ନ ଭଳି ମାଟିର ଯତ୍ନ ନେବା ନିହାତି ଆବଶ୍ୟକ।ଜମିର ମାଟିକୁ ଅନ୍ତତଃ ପକ୍ଷେ ପ୍ରତି ତିନି ବର୍ଷରେ ଥରେ ପରୀକ୍ଷା କରାଇନେବା ଉଚିତ୍। ଯାଜପୁର ଜିଲ୍ଲାରେ ରେ  ୭୫% ମାଟି ଅମ୍ଲଯୁକ୍ତ ଅଟେ। ମାଟିର ଅମ୍ଲତା ସୁଧାରିବା ପାଇଁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପରାମର୍ଶ ଅନୁସାରେ ଚୂନ ଜାତୀୟ ପଦାର୍ଥ (ଡୋଲମାଇଟ) ର ପ୍ରୟୋଗ କରନ୍ତୁ। ଅନ୍ୟମାନଙ୍କ ମଧ୍ୟରେ , ପି.ଡି,ଜଳ ଜୀବନ ମିଶନ ଶ୍ରୀ ରମାକାନ୍ତ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଉଦ୍ୟାନ କୃଷି , ଶ୍ରୀ ରାଧେଶ୍ୟାମ ବେହେରା ସମ୍ମାନିତ ଅତିଥି ଭାବେ ଓ ଗଣମାଧ୍ୟମ ପ୍ରତିନିଧି, ଚାଷୀ, ବିଭାଗୀୟ ଅଧିକାରୀ ଓ କୃତୀ ପ୍ରତିଯୋଗୀମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କ ଦ୍ଵାରା ମା’ ବିରଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା। ସମସ୍ତ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଏ.ଡି.ଏ, ମୃତ୍ତିକା ପରୀକ୍ଷକ, ମୀରା ପରିଛା ସ୍ବାଗତ କରିଥିଲେ।

ବିଶ୍ଵ ମୃତ୍ତିକା ଦିବସ ଅବସରରେ ଜିଲ୍ଲାରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ପୋଷ୍ଟର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର, ସାର୍ଟିଫିକେଟ ଏବଂ ବିଭିନ୍ନ ବ୍ଲକର ଚାଷୀମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *