ପାଣି ପଞ୍ଚାୟତ ପକ୍ଷ ପାଳନ

ଲକ୍ଷ୍ମୀପୁର, ୧୬/୦୧/୨୦୨୪ (ଓଡ଼ିଶା ସମାଚାର/ପ୍ରମୋଦ ଜେନା)-  ଚଳିତ ବର୍ଷ ଆରମ୍ଭରୁ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳ ସମ୍ପଦ ବିଭାଗ ଦ୍ଵାରା ସାରା ଓଡିଶାରେ ପାଣି ପଞ୍ଚାୟତ ପକ୍ଷ ପାଳନ ଆରମ୍ଭ ହୋଇ ଯାଇଛି। ଏହି କ୍ଷେତ୍ରରେ ଆଜି ଜୟପୁର କ୍ଷୁଦ୍ର ଜଳ ସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ସୁପ୍ରଭା କହଁର ଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ମୀପୁର ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଆରତୀ କୁଲଦୀପ,ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମେରିକା ,ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି,ସାଙ୍ଗାନା ହାଇସ୍କୁଲ୍ ର ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା,କ୍ଷୁଦ୍ର ଜଳ ସେଚନ କୋରାପୁଟ ସହକାରି ନିର୍ବାହି ଯନ୍ତ୍ରୀ ରାମ ଚନ୍ଦ୍ର ମୁର୍ମୁ,ବନ୍ଧୁଗାଁ ନିର୍ବାହି ଯନ୍ତ୍ରୀ କେ.ସତ୍ୟ ନାରାୟଣ, ନାରାୟଣପାଟଣା ସହକାରି ନିର୍ବାହି ଯନ୍ତ୍ରୀ ସିତମ କୁମାର ମେହେର୍, ଜୟପୁର କନିଷ୍ଟ ଯନ୍ତ୍ରୀ ରଞ୍ଜନ କୁମାର ସାହୁ ଯୋଗ ଦେଇଥିବା ବେଳେ ଜୟପୁର ଓ କୋରାପୁଟ ଜଳସେଚନ ବିଭାଗ କର୍ମଚାରି ମାନଙ୍କ ସମେତ ଲକ୍ଷ୍ମୀପୁର,ନାରାୟଣ ପାଟଣା ଓ ବନ୍ଧୁଗାଁ ବ୍ଲକ୍ ର ଅନେକ ଚାଷି ଯୋଗ ଦେଇଥିଲେ। ଏଥିରେ ଜୟପୁର ଉପ ବିଭାଜନର ଅଚ୍ୟୁତା ନନ୍ଦ ମାଳି ଓ ଅବସର ପ୍ରାପ୍ତ ଅମିନ ସୁଦର୍ଶନ ପଣ୍ଡା ପରିଚାଳନା କରିଥିଲା ବେଳେ ଡମ୍ବରୁ ମଣ୍ଡାଙ୍ଗି,ଲେଙ୍ଗୁ ମିଣୀଆକା,ବିଜୟ ନାୟକ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଳ ଭିତ୍ତିଭୁମି ନିର୍ମାଣ,ଅଧିକରୁ ଅଧିକ କୃଷି କ୍ଷେତ୍ରକୁ ଜଳ ସେଚନ ବ୍ୟବସ୍ଥା,ପାଣି ପଞ୍ଚାୟତକୁ ସୁଦୃଢ କରିବା ଉପରେ ଆଲୋଚନା ହୋଇଥିଲା।ଏଥି ସହ ନାରାୟଣ ପାଟଣା ବ୍ଲକ୍ ଢେପାଗୁଡ଼ା ଅଞ୍ଚଳରେ କେନାଲ ମରାମତି କରିବାକୁ ଚାଷୀ ଏ.ବାସୁଦେବ ରାଓ,ରମେଶ ଦାସ,ଶରତ ବିସୋଇ କହିଥିଲେ। ସେହିପରି ପାଣି ପଞ୍ଚାୟତକୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ସାଙ୍ଗାନା ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ୧୬ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *