ଜଗତସିଂହପୁର,୦୩/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ଜିଲ୍ଲା ର ସିଂହାରପୁର ଠାରେ ଥିବା ଆସ୍ରା ସ୍ବତନ୍ତ୍ର ବିଦ୍ୟାଳୟ ରେ ଜିଲ୍ଲା ପ୍ରଶାସନ ଏଵଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି।
ଏହି ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଯେ, ଭିନ୍ନକ୍ଷମ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ୍ କରିବା ନିମନ୍ତେ ସମସ୍ତେ ଚେଷ୍ଟିତ ହେବା ଆବଶ୍ୟକ।ଦୃଢ଼ ମନୋବଳ ଓ ଅଦମ୍ୟ ଚେଷ୍ଟା ରହିଲେ ସମସ୍ତ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଆସ୍ରା ସ୍ବତନ୍ତ୍ର ବିଦ୍ୟାଳୟ ରେ ପଢୁଥିବା ପିଲାମାନଙ୍କୁ ବିଧାୟକ ଉପଦେଶ ଦେଇଥିଲେ।ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ନିମନ୍ତେ ସମସ୍ତ ଅଂଶଗ୍ରହଣକାରୀ ଏବଂ ସମର୍ଥକମାନଙ୍କୁ ଅଧିକ ଅନ୍ତର୍ଭୂକ୍ତ କରିବା ତଥା ସୁବିଧାଜନକ ପରିବେଶ ସୃଷ୍ଟି ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ ବିଧାୟକ ଶ୍ରୀ ଦାସ।ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ଭିନ୍ନକ୍ଷମ ପିଲା ମାନଙ୍କ ଅଭିଭାବକ ମାନଙ୍କୁ ମନ ଖରାପ ନକରି ବରଂ ସେମାନଙ୍କ ଦିବ୍ୟାଙ୍ଗ ପିଲାମାନଙ୍କୁ ସମାଜ ରେ ପ୍ରତିଷ୍ଠିତ ହେବାର ପ୍ରେରଣା ଯୋଗାଇବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଭିନ୍ନକ୍ଷମ ପିଲାମାନଙ୍କୁ ଭଗବାନ ଙ୍କ ଆଶୀର୍ବାଦ ବୋଲି କହିଥିଲେ। ସେମାନଙ୍କର ଉପଯୁକ୍ତ ଯତ୍ନ ନେଇ ସମାଜ ର ମୁଖ୍ୟସ୍ରୋତ ରେ ସାମିଲ୍ କରିବାର ପ୍ରୟାସ କରୁଥିବା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଦିବ୍ୟାଙ୍ଗ ମାନଙ୍କର ଦିବ୍ୟ ଅଙ୍ଗ କୁ ସଠିକ୍ ମାର୍ଗ ଦର୍ଶନ ମିଳିଲେ ସେମାନେ ମଧ୍ୟ ଅନ୍ୟ ମାନଙ୍କ ପରି ପ୍ରତିଷ୍ଠିତ ହୋଇପାରିବେ ବୋଲି କହିଥିଲେ।ଭିନ୍ନକ୍ଷମଙ୍କ ଅନ୍ତର୍ଭୁକ୍ତି, ଅଭିଗମ୍ୟତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ହିଁ ଏହି ଦିବସ ର ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ କହିଥିଲେ ଏବଂ ସରକାର ଙ୍କ ପକ୍ଷରୁ ଦିଆ ଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ର ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ଅନୁରୂପ ମନ୍ତବ୍ୟ ରଖିଥିଲେ। ସଭାର ପ୍ରାରମ୍ଭ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ ସ୍ଵାଗତ ଭାଷଣ ଦେବାସହ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଆସ୍ରା ସ୍ଵତନ୍ତ୍ର ବିଦ୍ୟାଳୟ ର ୧୩୬ ଜଣ ଅନ୍ତେବାସୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଅତିଥି ମାନେ ଭିନ୍ନକ୍ଷମ ଵିଵାହ ସହାୟତା ରାଶି ବାବଦ ରେ ୧୦ଜଣ ଦମ୍ପତି ଙ୍କୁ ୨ ଲକ୍ଷ ୫୦ହଜାର ଲେଖାଏଁ ଅର୍ଥ ର ଚେକ୍ ପ୍ରଦାନ କରିଥିଲେ। ବିଦ୍ୟାଳୟ ରେ ଅନ୍ତେବାସୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରୀଡା, ମ୍ୟୁଜିକ ଚେୟାର ଓ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କୃତ କରଯାଇଥିଲା। ଅତିଥି ମାନେ ୩ ଜଣ ଭିନ୍ନକ୍ଷମ ଙ୍କୁ ତିନିଚକିଆ ସାଇକେଲ ପ୍ରଦାନ କରିଥିଲେ। ଜିଲ୍ଲାପାଳ ବିଦ୍ୟାଳୟ ର ପରିଚାଳକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ଓ ବିଦ୍ୟାଳୟ ପରିଦର୍ଶନ କରିବା ସହ ଏହାର ଉନ୍ନତି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ।ପରେ ବିଦ୍ୟାଳୟ ର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁନି କୁନି ଭିନ୍ନକ୍ଷମ ପିଲାମାନଙ୍କ ଦ୍ଵାରା ସାଇନ୍ ଲାଙ୍ଗୁଏଜ ରେ ବନ୍ଦେ ଉତ୍କଳଜନନୀ ପରିବେଷଣ କରାଯାଇଥିଲା।ପରିଶେଷ ରେ ଆସ୍ରା କଲେଜ୍ ର ବି ଏଡ ଓ ସି ଟି ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ଏକ ସଚେତନତା ଧର୍ମୀ ନାଟକ ‘ସ୍ଵପ୍ନରୁ ସଫଳତା’ ପରିବେଷଣ କରାଯାଇଥିଲା।
ଏଠାରେ ସୂଚନା ଥାଉ କି, ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୪ ପାଳନ ଅବସରରେ ସକାଳ ଘ. ୮ ସମୟରେ ଏକ ସଚେତନତା ରାଲିର (ୱାକାଥନ୍) ଆୟୋଜନ କରାଯାଇଥିଲା I ଉଭୟ ସକ୍ଷମ ଓ ଭିନ୍ନକ୍ଷମ ଲୋକଙ୍କୁ ଅନ୍ତର୍ଭୁକ୍ତ କରି ଏହି ରାଲି ଆସ୍ରା ବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇ ସିଂହାରପୁର ବିଦ୍ୟାଳୟ ରେ ସମାପ୍ତ ହୋଇଥିଲା Iଏହି କାର୍ଯ୍ୟକ୍ରମ ରେ ଆସ୍ରା ବିଦ୍ୟାଳୟ ର ସୂପେରି ଟେଣ୍ଡେଣ୍ଟ ଅନ୍ତେବାସୀ,ଅଭିଭାବକ, ବୁଦ୍ଧିଜୀବୀ ତଥା ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଆସ୍ରା ବିଦ୍ୟାଳୟ ର କର୍ମକର୍ତ୍ତା, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର କର୍ମଚାରୀ , ଆସ୍ରା ପ୍ରଶିକ୍ଷଣ ଅନୁଷ୍ଠାନ ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।