ଯାଜପୁର, ୦୩/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ସମସ୍ତ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କର ପ୍ରତିଭା କିଭଳି ଦକ୍ଷତାର ସହ ବିକଶିତ ହୋଇପାରିବ ସେଥିପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି। କୌଣସି ଭିନ୍ନକ୍ଷମ ପିଲା ଯେପରି ନିଜକୁ ଅକ୍ଷମ ମନେ ନକରନ୍ତି ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେଥିପ୍ରତି ସରକାର ସ୍ଵତନ୍ତ୍ର ଧ୍ୟାନ ଦେଉଛନ୍ତି। ଏହି ଆଭିମୁଖ୍ୟରେ ସର୍ବସାଧାରଣ ସ୍ଥାନମାନଙ୍କରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସୁଯୋଗ ଉପଲବ୍ଧ କରାଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଡି.ଆର.ଆଇ ଲୋନ୍ ମାଧ୍ୟମରେ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ସୁବିନିଯୋଗ କରି ସୁସ୍ଥ ଜୀବନ ଯାପନ କରିବା ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଆଜି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ କହିଲେ ଭିନ୍ନକ୍ଷମମାନେ କେବଳ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ନାହିଁ ସେମାନେ ବିଭିନ୍ନ କ୍ଷେତ୍ରରେ ନେତୃତ୍ଵ ନେଇ ପାରିବେ। ଆମ ରାଜ୍ୟର ଜଣେ ଭିନ୍ନକ୍ଷମ ପ୍ରମୋଦ ଭଗତ ଅଲିମ୍ପିକ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ସେହିଭଳି ସନ୍ଥକବି ଭୀମ ଭୋଇ ଅନ୍ଧ ହୋଇ ମଧ୍ୟ ବହୁ କାଳଜୟୀ କାବ୍ୟ କବିତା ରଚନା କରି ଯାଇଛନ୍ତି। ଆଜି ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ବେହେରା ସ୍ୱାଗତ ସୂଚନା ପ୍ରଦାନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ପେନସନ ତଥା ଅନ୍ୟାନ୍ୟ ବିଭିନ୍ନ ସହାୟତା ଯୋଜନା ଉପରେ ଆଲୋକପାତ କରିଥିଲେ। ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କୁ ବାଣୀଶ୍ରୀ ସ୍କଲାରସିପ, ପ୍ରି-ମାଟ୍ରିକ, ପୋଷ୍ଟ ମାଟ୍ରିକ, ସ୍ନାତକୋତ୍ତର ମେଧା ବୃତ୍ତି ପ୍ରଦାନ କରାଯାଉଛି। ସେମାନଙ୍କୁ ପ୍ରଦାନ କରାଯାଉଥିବା ଯୋଜନାରେ ବଣ୍ଟା ଯାଉଥିବା ଉପକରଣ, ମାଗଣା ଲାପଟପ୍, ଡି.ଆର.ଆଇ ଲୋନ, ଏନ୍. ଏଚ୍.ଏଫ୍.ଡି.ସି ଲୋନ୍, ବୈବାହିକ ପ୍ରୋତ୍ସାହନ ସହାୟତା (୨ ଲକ୍ଷ ୫୦ ହଜାର), ଆତ୍ମସହାୟକ ଦଳଙ୍କୁ ମିଶନକ୍ଷମତା ଯୋଜନାରେ ଆର୍ଥିକ ସହାୟତା, ସ୍ଵତନ୍ତ୍ର ବିଦ୍ୟାଳୟରେ ପଢ଼ିବା ସୁଯୋଗ, ବସ ପାସ, ଟ୍ରେନ୍ ପାସ୍, ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଂରକ୍ଷଣ, ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ଭିନ୍ନକ୍ଷମ ଅଭିଭାବକଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ମେଧାବୃତ୍ତି ପ୍ରଦାନ କରାଯାଉଛି। ଏହି ଦିବସରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଶିବାଶିଷ ମହାରଣା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସବିତା ଚ୍ୟାଉ ପଟ୍ଟନାୟକ, ଡି.ସି.ପି.ଓ ନିରଞ୍ଜନ କର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଏଲ୍.ଏଲ.ସି ସଦସ୍ୟ ମଣ୍ଟୁ ଦାସ ଡିବ୍ୟାଙ୍ଗ ମାନଙ୍କ ଉଦ୍ଦିଷ୍ଟ ଯୋଜନା, ଥଇଥାନ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ। ଏହି ଦିବସରେ ୪ ଗୋଟି ଶ୍ରବଣବାଧିତ ବାଧିତ ସ୍ଵତନ୍ତ୍ର ବିଦ୍ୟାଳୟ ଶିବନ ଶିଳ୍ପ, ଅଳ କୁଣ୍ଡ, ଦୃଷ୍ଟି ବାଧିତ ସ୍ଵତନ୍ତ୍ର ବିଦ୍ୟାଳୟ ନେସକୋଇ ଦଶରଥପୁର, ମାନସିକ ଅନଗ୍ରସର ସ୍ଵତନ୍ତ୍ର ବିଦ୍ୟାଳୟ ରୋଜ, ପୁରୁଷୋତ୍ତମପୁର ଶାସନ, ବଡ଼ଚଣା ଓ ସହକାରୀ ମାସଡ଼ା, ବିଂଝାରପୁର ର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗଦାନ କରିଥିଲେ। ଏହି ଦିବସ ପାଳନ ଅବସରରେ ପ୍ରଥମେ ରାମ ମନ୍ଦିର, ମାନସାପୋଲ ଠାରୁ ଗୌତମ ବୁଦ୍ଧ ସଂସ୍କୃତି ଭବନ ପର୍ଯ୍ୟନ୍ତ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ଏହି ଦିବସ ଅବସରରେ ବିଦ୍ୟାଳୟସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।