ଭୁବନେଶ୍ୱର, ୦୩/୧୨/୨୦୨୪ (ଓଡ଼ିଶା ସମାଚାର)- ସାମାଜିକ ଅନୁଷ୍ଠାନ ‘ଫିନିକ୍ସ ସେବା’ର ଅଷ୍ଟମ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଓଡ଼ିଶା ସରକାରଙ୍କର ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରରେ ବିଭିନ୍ନ ବିଦ୍ୟାଳୟ ମାନଙ୍କ ମଧ୍ୟରେ ଶିଶୁ ଦିବସ ବିଷୟବସ୍ତୁ ଉପରେ ବକ୍ତୃତା, ଚିତ୍ରାଙ୍କନ, କାହାଣୀ, ସାଧାରଣଜ୍ଞାନ ଇତ୍ୟାଦି ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ମନୋରଂଜନ ପାଣିଗ୍ରାହୀ, ଡ. ଜ୍ୟୋତ୍ସ୍ନାରାଣୀ ପାତ୍ର, ଡ. ଶ୍ୱେତାଙ୍କ ଦାସ, ଶ୍ରୀମତୀ ନିବେଦିତା ଭଞ୍ଜ ପ୍ରମୁଖ ଉପସ୍ଥିତ ରହି ଆଲୋଚ୍ୟ ସାହିତ୍ୟ ସେବା ଉପରେ କହିଛନ୍ତି ଯେ, ସାହିତ୍ୟ ଶିକ୍ଷା ଦିଏ ଓ ସକରାତ୍ମକ ଧାରା ସହ ନିଃସ୍ୱାର୍ଥ ଭାବରେ ସ୍ୱାର୍ଥକୁ ତ୍ୟାଗ ଦେଇ ଗଣସ୍ୱାର୍ଥ ନିମନ୍ତେ ସେବାର ଆବଶ୍ୟକତା ରହିଛି । ଏଥିସହ ତୁଷାର ଚାରିଟେବୁଲ୍ ଟ୍ରଷ୍ଟ, ସୃଷ୍ଟି ଓ ସୃଷ୍ଟିକଳା ସଂସ୍କୃତି ବିକାଶ ଟ୍ରଷ୍ଟ, ପୁରାତନ ଛାତ୍ର ସଂସଦ, ଭୋଳାନାଥ ବିଦ୍ୟାପୀଠ, ଶ୍ରୀ ଧୃତିମୟ ବେହେରା, ମହିଳା ଦକ୍ଷତା ସମିତି ପ୍ରମୁଖ ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସଭାକୁ ପରିଚାଳନା କରିଥିଲେ ଶୁଭଜିତ୍ ପଣ୍ଡା । ଅଧ୍ୟକ୍ଷ ମଲ୍ଲିକ ଆୱେସ୍ ବାର୍ଷିକ ବିବରଣୀ ପାଠ କରିବା ସହ ସଭାପତି ତାପସ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରୀତିପ୍ରଜ୍ଞା ସ୍ୱାଇଁ, ତଟିନୀ ବିଶ୍ୱାଳ, ବିନୋଦ, ଆଶୁତୋଷ, ହରିଶ, ପୂଜା, ଏଲିନା, କାଜଲ, ଶିବ, ଅର୍ଚ୍ଚନା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।