ଆଧୁନିକ ସୁରକ୍ଷା ବ୍ୟବସ୍ଥା ଓ ବନ୍ଦୀମାନଙ୍କ କଲ୍ୟାଣ ପାଇଁ ବହୁମୁଖୀ ପଦକ୍ଷେପ ସଂପର୍କରେ ପରାମର୍ଶ
ଭୁବନେଶ୍ୱର,୨୧/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ କାରାଗାର ବିକାଶ ବୋର୍ଡ(ପିଡିବି) ର ୪ ର୍ଥ ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୋର୍ଡ ୨୦୨୨ମସିହାରେ ଗଠିତ ହୋଇଥିଲା।ଏଥିରେ ବିଭିନ୍ନ ବିଭାଗର ୯ଜଣ ସଚିବ ଏବଂ କାରାଗାର ମହାନିର୍ଦ୍ଦେଶକ ତଥା ସଂଶୋଧନାତ୍ମକ ସେବା ନିର୍ଦ୍ଦେଶକ ସଦସ୍ୟ ଭାବେ ରହିଛନ୍ତି । ବୈଠକରେ କାରାଗାର ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଆଧୁନିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ କାଗାଗାର ସଂସ୍କାର, ବନ୍ଦୀମାନଙ୍କ କଲ୍ୟାଣ ପାଇଁ ଶିକ୍ଷା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, କାଗାଗାରରୁ ମୁକ୍ତି ପରେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ କାରାଗାର କର୍ତ୍ତୃପକ୍ଷଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗ ଗୁଡ଼ିକର ସହଯୋଗ କାମନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।
କାରାଗାର ମହାନିର୍ଦ୍ଦେଶକ ତଥା ସଂଶୋଧନାତ୍ମକ ସେବା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ନାଥ, କାରାଗାର ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗତ ଏକ ବର୍ଷ ମଧ୍ୟରେ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ନୂତନ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିଥିଲେ ।ପ୍ରମୁଖ ପଦକ୍ଷେପ ମଧ୍ୟରେ ଭିଡିଓଆନାଲିଟିକ୍ସ ସୁବିଧା ସହିତ କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ) ଆଧାରିତ ସିସିଟିଭି ବ୍ୟବସ୍ଥା ୨୦ଟି କାରାଗାରରେ ସ୍ଥାପନ କରାଯାଇଛି।କାରାଗାର ପରିସୀମା ପ୍ରାଚୀରର ଉଚ୍ଚତା ବୃଦ୍ଧି, କଣ୍ଟାଯୁକ୍ତ ସର୍ପିଳ ତାର ଜାଲି(କନ୍ସର୍ଟିନା ତାର) ଲଗାଇବା ସହିତ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି।
ଡ୍ରୋନ୍, ବଡି-ୱର୍ନ କ୍ୟାମେରା, କାରାଗାରକୁ ପ୍ରବେଶ କରୁଥିବା ବ୍ୟକ୍ତି କିମ୍ବା ବନ୍ଦୀଙ୍କ ଶରୀରରେ ଲୁଚାଇ ରଖାଯାଇଥିବା ଧାତୁ ଜିନିଷ (ଛୁରୀ, ମୋବାଇଲ, ଅସ୍ତ୍ର ଇତ୍ୟାଦି) ଚିହ୍ନଟ କରିବା ପାଇଁ ହ୍ୟାଣ୍ଡ ହେଲ୍ଡ ମେଟାଲ ଡିଟେକ୍ଟର, ପ୍ରବେଶ ଦ୍ୱାରରେ ଫ୍ରେମ୍ ଆକୃତିର ଧାତୁ ଚିହ୍ନଟକାରୀ ଯନ୍ତ୍ର ( ଡିଏଫ୍ଏମଡି) ଦ୍ୱାରା ସତର୍କ ସୂଚନା ବ୍ୟବସ୍ଥା, ଡିପ୍ ସର୍ଚ୍ଚ ମେଟାଲ୍ ଡିଟେକ୍ଟର, ନନ୍-ଲିନିୟର୍ ଜଙ୍କସନ୍ ଡିଟେକ୍ଟର (ମୋବାଇଲ୍ ଫୋନ୍ ଚିହ୍ନଟ ପାଇଁ) ଇତ୍ୟାଦି ଆଧୁନିକ ସୁରକ୍ଷା ଉପକରଣର ବ୍ୟବହାର ନିମନ୍ତେ ପଦକ୍ଷେପ ନିଆଯାଇଛି । କାରାଗାର ଗୁଡ଼ିକରେ କାରାଗାର ଗୁଇନ୍ଦା ୟୁନିଟ୍ ସ୍ଥାପନ ଏବଂ କାରାଗାର କର୍ତ୍ତୃପକ୍ଷଙ୍କ ତତ୍ୱାବଧାନରେ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱରେ ଅଧିକ ସଂଖ୍ୟକ ଦୋଷୀ ସାବ୍ୟସ୍ତ ଅଥଚ ବିଶ୍ୱସନୀୟ ବନ୍ଦୀମାନଙ୍କୁ କାରାଗାର ଭିତରେ ଶୃଙ୍ଖଳାରକ୍ଷା, ବନ୍ଦୀଙ୍କ ଗତିବିଧି ଉପରେ ନଜର ରଖିବା, ପରିଷ୍କାର-ପରିଚ୍ଛନ୍ନତା, ଇତ୍ୟାଦି ଆଭ୍ୟନ୍ତରୀଣ ସହାୟକ କାର୍ଯ୍ୟରେ ନିୟୋଜିତ କରାଯାଉଛି।
କାରାଗାର ମାନୁଆଲ୍ ଅନୁଯାୟୀ ବନ୍ଦୀମାନଙ୍କ ପାଇଁ ଟେଲିଫୋନ୍ କଲ ସୁବିବିଧାର କାର୍ଯ୍ୟକାରୀ କରାଯାଇଛି।ଏହି ସୁବିଧା ଅନୁସାରେ ପ୍ରତ୍ୟେକ ବନ୍ଦୀ ସପ୍ତାହକୁ ସର୍ବାଧିକ ୨ଟି କଲ କରିପାରିବେ ଏବଂ ପ୍ରତ୍ୟେକ କଲ୍ ର ଅବଧି ୪ ମିନିଟ୍ ରେ ସୀମିତ ରହିବ।ବରିଷ୍ଠ କାରାଗାର ଅଧିକାରୀ, ଜିଲ୍ଲା ପୁଲିସ ଓ ଗୁଇନ୍ଦା ଦଳ ପକ୍ଷରୁ ନିୟମିତ ସୁରକ୍ଷା ଅଡିଟ୍ ଏବଂ ଅଚାନକ ଯାଞ୍ଚ କରାଯାଉଛି।ଏଥିସହିତ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜିଲ୍ଲା ଜଜ୍ ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟ ବିଚାରପତି ମାନଙ୍କ ପକ୍ଷରୁ ମଧ୍ୟ ନିୟମିତ ପରିଦର୍ଶନ କରାଯାଉଛି। କର୍ତ୍ତବ୍ୟରେ ଯେକୌଣସି ଅବହେଳା କିମ୍ବା ତ୍ରୁଟି ପାଇଁ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଗତ ଏକ ବର୍ଷ ମଧ୍ୟରେ ବନ୍ଦୀମାନଙ୍କର ଉନ୍ନତ ଜୀବନ ଯାପନ ବ୍ୟବସ୍ଥା ସୁନିଶ୍ଚିତ କରିବା ସହିତ କାରାଗାରରୁ ମୁକ୍ତ ହେବା ପରେ ସେମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ୭୪ ଟି କାରାଗାର ପାଇଁ ୧୧୮ ଜଣ ସମର୍ପିତ ଯୋଗ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି । ୩୬ ଟି କାରାଗାର ରେ ୬୧ଜଣ ସମର୍ପିତ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି । ବନ୍ଦୀ ମାନଙ୍କୁ ବିଭିନ୍ନ ଉତ୍ପାଦନ ମୂଳକ କାର୍ଯ୍ୟରେ ନିୟୋଜିତ ରଖିବା ପାଇଁ୯୬ଟି ମାଇକ୍ରୋ ଇଣ୍ଡଷ୍ଟ୍ରି ସ୍ଥାପନ କରାଯାଇଛି ।ସେମାନଙ୍କ ର ଦକ୍ଷତା ବିକାଶ ଓ ବୃତ୍ତି ମୂଳକ ପ୍ରଶିକ୍ଷଣ ପାଇଁ ସ୍ୱତନ୍ତ୍ର ଅଭିଯାନ ସ୍ୱରୂପ ୨୦୨୫ ମସିହା ରେ୧,୬୩୬ ଜଣ ବନ୍ଦୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।କାରାଗାରରେ ଉତ୍ପାଦିତ ସାମଗ୍ରୀ ଗୁଡ଼ିକର ମାନକୀକରଣ ଏବଂ ବ୍ରାଣ୍ଡିଂ, ଜାମୁଝରୀ ଖୋଲା କାରାଗାର(ଓପନ ଏୟାର ଜେଲ) ରେ ସ୍ୱତନ୍ତ୍ର ଔଷଧୀୟ ବୃକ୍ଷ ରୋପଣ ପ୍ରକଳ୍ପ,ବନ୍ଦୀମାନଙ୍କ ପାଇଁ ହାଇକୋର୍ଟରେ ଅପିଲ୍ ପିଟିସନ୍ ଏବଂ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଆବେଦନ (ଏସଏଲପି) ଦାଖଲ ସୁନିଶ୍ଚିତ କରିବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ସ୍ୱରୂପ ୨,୪୧୮ଟି ଅପିଲ୍ ଏବଂ ୨୫୬ଟି ଏସଏଲପି ଦାଖଲ କରାଯାଇଛି।
୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ବିଶେଷ କାରଣରେ ବନ୍ଦୀଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତରେ କିଛି ଦିନ ପାଇଁ କାରାଗାରରୁ ବାହାରକୁ ଯିବାର ଅନୁମତି ଦିଆଯାଇଥିବା (ପାରୋଲରେ ଯାଇଥିବା) ଏବଂ ଭଲ ଆଚରଣ ପାଇଁ ବନ୍ଦୀଙ୍କୁ ନିୟମିତ ବ୍ୟବଧାନରେ କିଛି ଦିନ ପାଇଁ ଛୁଟି ଦିଆଯାଇଥିବା କ୍ଷେତ୍ରରେ (ଫର୍ଲୋ) ଫେରାର ସନ୍ଦେହ ଭୁକ୍ତ ବନ୍ଦୀମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ନିଆଯାଇଛି ।୨୦୨୫-୨୬ ମସିହାରେ ଏକ ସ୍ୱତନ୍ତ୍ର ଶିକ୍ଷା ଅଭିଯାନରେ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ(ଏନଆଇଓଏସ), ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ), ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ( ଓଏସଓୟୁ) ଅଧୀନରେ ମାଟ୍ରିକ୍ରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟକ୍ରମରେ ୨୧୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ବୈଠକରେ କାରାଗାର ଭିତ୍ତିଭୂମିରେ ଉନ୍ନତି ପାଇଁ ଭୁବନେଶ୍ୱର, ଯାଜପୁର ଏବଂ ଭଦ୍ରକ ସମେତ ବିଭିନ୍ନ ସ୍ଥାନରେ ନୂତନ ମଡେଲ କାରାଗାର ନିର୍ମାଣ, ବନ୍ଦୀ କଲ୍ୟାଣ ଏବଂ ଉନ୍ନତ ଜୀବନ ଯାପନ ବ୍ୟବସ୍ଥା ସ୍ୱରୂପ ବନ୍ଦୀ ମାନଙ୍କ ଖାଦ୍ୟ ଖର୍ଚ୍ଚ, ରାତ୍ରି ଭୋଜନ, ବିଶୁଦ୍ଧ ଓ ନିରାପଦ ପାନୀୟ ଜଳ ର ବ୍ୟବସ୍ଥା, ବନ୍ଦୀ ମାନଙ୍କ ମଜୁରୀ, କାରାଗାର ଭିତରେ ନିଶା ମୁକ୍ତି କେନ୍ଦ୍ର ସ୍ଥାପନ, କଟକ ଚୌଦ୍ୱାର କାରାଗାର ରେ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସ୍ଥାପନ ଇତ୍ୟାଦି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି ।
କାରାଗାର ପ୍ରଶାସନ ର ଅନ୍ୟାନ୍ୟ ବିକାଶ ମୂଳକ ପ୍ରସଙ୍ଗ, ଯଥା-କାରାଗାର ସୁରକ୍ଷା କର୍ମୀଙ୍କ ମଞ୍ଜୁରୀ ପ୍ରାପ୍ତ ପଦବୀ ସଂଖ୍ୟା ବୃଦ୍ଧି, ଅଧିକ ସଂଖ୍ୟକ“ଓପନ ଏୟାର ଜେଲ” ଖୋଲିବା ଇତ୍ୟାଦି ସଂପର୍କିତ କାରାଗାର ବିକାଶ ଓ ଅନ୍ୟନ୍ୟା ସଂସ୍କାରମୂଳକ ପଦକ୍ଷେପ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ପବିତ୍ର ମୋହନ ସାମଲ ଙ୍କ ସମେତ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଉଚ୍ଚ ଶିକ୍ଷା, ବିଭାଗ କମିଶନର ତଥା ଶାସନ ସଚିବ, ନିର୍ଦ୍ଦେଶକ ,ସମାଜ କଲ୍ୟାଣ ବୋର୍ଡ ନିର୍ଦ୍ଦେଶିକା ପ୍ରମୁଖ ଉପସ୍ଥିତ ଥିଲେ ।
-0-
ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
